ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ପୌରପାଳିକାର ମହେଶଡିହିଠାରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ୟୁପିଏଚସି)ର ଲୋକାର୍ପଣ ହୋଇଛି। ଶୁକ୍ରବାର ଦିନ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଏହାର ଉଦଘାଟନ କରିଛନ୍ତି। ଏହା ଦ୍ୱାରା ଆଖପାଖ ଅଞ୍ଚଳର ସାଧାରଣ ଲୋକ, ବସ୍ତି ବାସିନ୍ଦା ଏବଂ ଶ୍ରମଜୀବୀମାନେ ସୁବିଧାରେ ପ୍ରାଥମିକ ଚିକିତ୍ସା ସେବା ପାଇ ପାରିବେ।

ରୋଗୀମାନଙ୍କୁ ପ୍ରାଥମକି ଚିକିତ୍ସା ସେବା ଯୋଗାଇଦେବା ପାଇଁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଦୁଇ ଜଣ ଷ୍ଟାଫ ନର୍ସ, ଜଣେ ଲାବୋରେଟୋରି ଟେକନିସିଆନ, ୫ ଜଣ ଏଏନଏମ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି।‘‘ସହରାଞ୍ଚଳର ବସ୍ତି ବାସିନ୍ଦା ଏବଂ ଶ୍ରମଜୀବୀ ଶ୍ରେଣୀର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ରେ ଗୋଟିଏ ୟୁପିଏଚସି ଖୋଲା ଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗର ଏହା ହେଉଛି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭଳି ଏଠାରେ ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ରହିଛି’’, କହିଛନ୍ତି ବିଧାୟିକା କୁସୁମ ଟେଟେ।

ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯଥା: ଦୁର୍ଘଟଣା, ବିଷପାନ, ପୋଡ଼ାଜଳା, ହାତଗୋଡ଼ ଭାଙ୍ଗିଥିବା ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ତା’ଛଡ଼ା ନବଜାତ ଶିଶୁଙ୍କ ଟିକକରଣ, ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟର ଯତ୍ନ, ଅଣ ସଂକ୍ରାମକ ରୋଗ ଏବଂ ଇଏନଟି ଆଦି ଚିକିତ୍ସା ସୁବିଧା ରହିଛି।  ରୋଗୀଙ୍କୁ ମାଗଣା ଔଷଧ ଯୋଗାଇ ଦେବା ପାଇଁ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିରାମୟ କେନ୍ଦ୍ର ମଧ୍ୟ ରହିଛି।‘‘ସୁନ୍ଦରଗଡ଼ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଲୋକମାନେ ଏବେ ପ୍ରାୟ ୨୦ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପାଇ ପାରିବେ। ଏହାସହ ସପ୍ତାହରେ ଗୋଟିଏ ଦିନ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ ଓ ଭେଷଜ ବିଶେଷଜ୍ଞ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ରହି ଆବଶ୍ୟକ ଚିକିତ୍ସା ସେବା ପ୍ରଦାନ କରିବେ’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବର୍ତ୍ତମାନ ୧୦ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ଏବେ ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳରେ ଗୋଟିଏ ୟୁପିଏଚସି ଖୋଲିଛି। ଖୁବଶୀଘ୍ର ଜିଲ୍ଲାର ରାଜଗାଙ୍ଗପୁର ଏବଂ ବୀରମିତ୍ରପୁର ପୌରପାଳିକାରେ ଗୋଟିଏ ଲେଖାଏଁ ୟୁପିଏଚସି ଖୋଲାଯିବ ବୋଲି ସିଡିଏମଓ କହିଛନ୍ତି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କାହ୍ନୁ ଚରଣ ନାଏକଙ୍କ ସହିତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଏବଂ ଆଶା କର୍ମୀମାନେ ଉପସ୍ଥିତ ଥିଲେ।

Comment