ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ର ଭୟାଭହତାକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ହେବା ପରେ ବୁଧବାର ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସତର୍କ ରହିବା ସହିତ କଡାକଡି କୋଭିଡ ନିୟମ ପାଳନ କରିବା ପାଇଁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “କୋଭିଡର ନୂଆ ଭାରିଏଣ୍ଟର ଭୟଭୟତା ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ଦେଶକୁ ସତର୍କ କରାଇ ଦେଇଛନ୍ତି। ଏହା ଗୁରୁତର ପ୍ରଭାବ ପକାଇବାର ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି। ଗତ କିଛି ସପ୍ତାହ ହେଲା ୟୁରୋପରେ ସଂକ୍ରମଣ ବୃଦ୍ଧି ପାଇଛି। ଏହି ନୂଆ ଭାରିଏଣ୍ଟ ଅଧିକ ସଂକ୍ରମଣକାରୀ ହୋଇଥିବାରୁ ଜନସାଧାରଣ ଅଧିକ ସତର୍କ ରହିବାକୁ ହେବ।”ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଥମରୁ ଓଡ଼ିଶା ଏହି ମହାମାରୀ ମୁକାବିଲା ପାଇଁ ସତର୍କତା ମୂଳକ ପଦକ୍ଷେପ ନେଇ ଆସିଛି। ଆହ୍ୱାନମୂଳକ ପରିସ୍ଥିତି ସତ୍ତ୍ୱେ ଜନସାଧାରଣଙ୍କ ସହଯୋଗରେ ଓଡ଼ିଶା ସଫଳତାର ସହିତ ପ୍ରଥମ ଓ ଦ୍ୱିତୀୟ ଲହରର ମୁକାବିଲା କରିଛି। ବର୍ତ୍ତମାନ ପରିସ୍ଥିତିର ଆମେ ମଧ୍ୟ ସଫଳ ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।ମାସ୍କ ପିନ୍ଧିବା, ସାମାଜିକ ଦୂରତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ତେଣୁ କୋଭିଡ ନିୟମର ଯେପରି କଡାକଡି ଭାବେ ପାଳନ କରାଯିବ, ସେଥିପ୍ରତି ପଦକ୍ଷେପ ନେବାପାଇଁ ସେ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ କୋଭିଡ ନିୟମ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ପଞ୍ଚାୟତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ମିଶନ ଶକ୍ତି ଗ୍ରୁପ୍‌ ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରି ସଚେତନତା କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି. କେ ପାଣ୍ଡିଆନ, ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ଏବଂ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମଗୁଡିକର କମିସନର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Comment