ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରୀୟ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ରଟି ଗୁରୁବାର ସନ୍ଧ୍ୟାରେ ଘନୀଭୂତ ହୋଇ ଏକ ଅବପାତର ରୂପ ନେଇଛି। ଫଳରେ ଆଗାମୀ ୧୨ରୁ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୩ ତାରିଖ ଅର୍ଥାତ୍ ଶୁକ୍ରବାରଠାରୁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହେବ। ଏଥିଲାଗି ପାଣିପାଗ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା, ଗଜପତି, ପୁରୀ, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ଵା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହା ଛଡ଼ା ୪ ତାରିଖରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାରେ ସର୍ବାଧିକ ରହିପାରେ। ଏହି ଦିନ ଉପକୂଳ ଓଡ଼ିଶାର ୪ଟି ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ଏହିସବୁ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଓ୍ଵାର୍ଣ୍ଣିଂ ଦିଆହୋଇଛି। ଏଥିସହ ଗୋଟିଏ ଦୁଇଟି ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ଅର୍ଥାତ୍ ଅତ୍ୟନ୍ତ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ବିଭାଗ ପକ୍ଷରୁ ସତର୍କ କରାଯୋଇଛି।ସେହିପରି ୪ ତାରିଖ ଦିନ କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକରେ ୬ରୁ ୨୦ ସେଣ୍ଟାମିଟର ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ମାଲକାନଗିରି, ବାଲେଶ୍ଵର, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ମଧ୍ୟମ ଧରଣର ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି।ସେହିପରି ୫ ତାରିଖ ଦିନ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବର୍ଷାର ପ୍ରଭାବ ଉତ୍ତର ଉପକୂଳବର୍ତ୍ତୀ ଓଡ଼ିଶାର ୬ ଜିଲ୍ଲା ଯଥା- ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକରେ ରହିବାର ସମ୍ଭାବନା ରହିଛି।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇ ୪ ତାରିଖରେ ସର୍ବାଧିକ ବର୍ଷିବ। ୫ ତାରିଖ ବେଳକୁ ଧୀରେ ଧୀରେ ବର୍ଷାର ପରିମାଣ ହ୍ରାସ ପାଇ ୬ ତାରିଖ ସନ୍ଧ୍ୟା ସୁଦ୍ଧା ପାଗରେ ପରିବର୍ତ୍ତନ ଆସିବ।ପ୍ରବଳ ବର୍ଷା ସହିତ ଓଡ଼ିଶାକୁ ପବନର ଭୟ ମଧ୍ୟ ରହିଛି। ୪ ତାରିଖ ସକାଳେ ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ସହ ଝଟ୍‌କା ପବନର ବେଗ ୧୧୦ କିଲୋମିଟର ରହିବ। ଏହାପରେ ଅପରାହ୍‌ଣ ପରଠାରୁ ପବନର ବେଗ ଘଣ୍ଟାପ୍ରତି ୭୦ରୁ ସର୍ବାଧିକ ୯୦ କିଲୋମିଟର ପର୍ଯ୍ୟନ୍ତ ରହିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୩ରୁ ୫ ଦୁଇଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବିଭାଗ ପକ୍ଷରୁ କୁହାଯାଇଛି।ସେହିପରି ଏବେ ଅମଳ ଋତୁ ହୋଇଥିବାରୁ ଯଥାଶୀଘ୍ର ଅମଳ କାମ ଶେଷ କରି ଶସ୍ୟକୁ ସୁରକ୍ଷିତ ସ୍ଥାନକୁ ଆଣି ସଂରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

Comment