କପିଳାସ ଭୂୟାଁ
କୋଭିଡ ନିୟମ ପାଳନ ପରିପ୍ରେକ୍ଷୀରେ ୨୦୨୦ରେ ବନ୍ଦ ରହି ଏବର୍ଷ ଡିସେମ୍ବର ୧୮ ତାରିଖ ଦିନ ପ୍ରଖ୍ୟାତ କଥାଶିଳ୍ପୀ ଅଖିଳ ମୋହନ ପଟ୍ଟନାୟକଙ୍କ ୯୪ତମ ଜୟନ୍ତୀ ଅବସରରେ ଅଖିଳ ଦିବସ-୨୦୨୧ ସୀମିତ ସଂଖ୍ୟକ ଅତିଥିଙ୍କ ଗହଣରେ ପାଳନ କରାଯାଇଛି। ଉଲ୍ଲେଖନୀୟ କି ଅଖିଳ ମୋହନ ଫାଉଣ୍ଡେସନ ପକ୍ଷରୁ ଏହି ଉତ୍ସବ ପ୍ରତି ବର୍ଷ ପାଳନ କରାଯାଇ ଆସୁଛି। ଏହି କ୍ରମରେ ପ୍ରଥମେ ସେହି ପ୍ରଥିତଯଶା ଗାଳ୍ପିକ ଅଖିଳ ମୋହନଙ୍କ ସମ୍ପର୍କରେ ସଂକ୍ଷେପରେ କିଛିଟା ଆଲୋଚନା କରାଯାଇପାରେ।
ଅଖିଳ ମୋହନ ଥିଲେ ତାଙ୍କ ସମୟର ଜଣେ ପ୍ରଚଣ୍ଡ ବାସ୍ତବବାଦୀ କଥାଶିଳ୍ପୀ। ସାମାଜିକ ଓ ରାଜନୈତିକ ଘଟଣାବଳୀ ଦ୍ଵାରା ବହୁଧା ପ୍ରଭାବିତ ତାଙ୍କ କଥାବସ୍ତୁ ତାଙ୍କର ଅଧିକାଂଶ ଲେଖାରେ ପ୍ରାୟତଃ ପରିଦୃଷ୍ଟ, ଏବଂ ଗଳ୍ପ-କଥନର ଉତ୍ତରଣରେ ତାହା ପରିଣତ ହୋଇଥାଏ ଗଭୀର ମାନବବାଦୀ ସମ୍ବେଦନାରେ ଯାହା ପାଠକକୁ ଆଣି ଦେଇଥାଏ ଜଣେ ବିଶ୍ଵଦର୍ଶୀରେ ପରିଣତ ହେବାର ଏକ ମହାର୍ଘ୍ୟ ସୁଯୋଗ।ଅଖିଳ ମୋହନ ତାଙ୍କର ‘ମୁଁ କାହିଁକି ଲେଖେ’ ଶୀର୍ଷକରେ ପ୍ରକାଶିତ ଆଲେଖ୍ୟରେ ଲେଖିଛନ୍ତି, “… ଜଣେ ଲେଖକକୁ ତାର ଜ୍ଞାତସାରରେ ହେଉ କିମ୍ବା ଅଜ୍ଞାତରେ ହେଉ, ତାତ୍କାଳିକ ସାମାଜିକ ଓ ରାଜନୀତିକ ଅବସ୍ଥା ପ୍ରଭାବିତ କରି ଚାଲିଥାଏ। ପ୍ରତ୍ୟେକ ଲେଖକ ଆଉ ଯାହା ହଉ ନହଉ, ସେ ଯେ ଜଣେ ସ୍ପର୍ଶକାତର ମଣିଷ ଏଥିରେ ସନ୍ଦେହର ଅବକାଶ ନାହିଁ। ତେଣୁ ଦୈନନ୍ଦିନ ବହୁ ସାମାଜିକ ଓ ରାଜନୈତିକ କାର୍ଯ୍ୟକଳାପ ଲେଖକର ଅବଚେତନକୁ ଅବଶ୍ୟ ପ୍ରଭାବିତ କରି ଚାଲିଥାଏ।”, ଓ ସଠିକ ସମୟରେ ତା’ର ସଚେତନ ଭାବ ପ୍ରକାଶ ପାଇଥାଏ।
ସେ ଉଲ୍ଲେଖ କରନ୍ତି, “ଲେଖକ ବେଦନାକୁ ଯେମିତି ଅନୁଭବ କରିଛି, ଠିକ ସେହିପରି ପ୍ରକାଶ କରେ ନାହିଁ – କଲେ ତାହା କଳାର ସ୍ତରକୁ ଉତ୍ତୀର୍ଣ୍ଣ ହୁଅନ୍ତା ନାହିଁ। ଲେଖକ ତାକୁ ଏପରି ପ୍ରକାଶ କରେ, ଯାହା ଏକ ଟ୍ରାଜେଡି ହେଲେ ମଧ୍ୟ ଆମେ ତାକୁ ପଢି ଆନନ୍ଦ ପାଇଥାଉ। ଲେଖକ ସାଧାରଣ ଦୈନନ୍ଦିନ ସୁଖ ଦୁଖଃର ସ୍ଥୂଳ ଅନୁଭୂତିକୁ ଆନ୍ଦୋଳିତ କରେ, ତେଣୁ ଏକ ଟ୍ରାଜେଡି ମଧ୍ୟ ହୋଇଉଠେ ଉପଭୋଗ୍ୟ।”ତାଙ୍କର ଉପରୋକ୍ତ ଆଲେଖ୍ୟର ଶେଷରେ ଲେଖିଛନ୍ତି, “ଲେଖିବା ଅର୍ଥ ଦାୟିତ୍ଵ ଗ୍ରହଣ କରିବା। ତେଣୁ ମୁଁ ଲେଖେ କାରଣ ମୁଁ ପ୍ରତିଟି ଲେଖାରେ ଫାକ୍ଟ ଟୁ ଆର୍ଟ କରି ଚାଲିଛି ଓ ସାହିତ୍ୟ ମୂଲ୍ୟବୋଧ ତିଆରି କରି ଚାଲିଛି।” ଅର୍ଥାତ, ଜୀବନର ଯେ କୌଣସି ସ୍ତରରେ ହେଉ ନା କାହିଁକି ଆମ ସମସ୍ତଙ୍କୁ କିଛି ନା କିଛି ଦାୟିତ୍ଵ ତୁଲେଇବାକୁ ପଡେ। ଅଧିକାର ସହ ଦାୟିତ୍ଵ ଯୋଡି ହୋଇ ଥାଏ। ତେଣୁ ଯେଉଁ ମୁହୂର୍ତ୍ତରେ ଜଣେ ଲେଖିବା ଆରମ୍ଭ କରିବ, ସେତେବେଳେ ତାଙ୍କୁ ସଂଗୁପ୍ତରେ ଯଥେଷ୍ଟ ଦାୟିତ୍ଵ ନେବାକୁ ପଡିବ। ବିନା ଦାୟିତ୍ଵରେ ଜଣେ ଲେଖକ ହେବା ଆଦୌ ସମ୍ଭବ ନୁହେଁ, ଏବଂ ଏହି କଥାଟି ଉତ୍ତର ପିଢିର ଆମ ସମସ୍ତଙ୍କୁ, ବିଶେଷ କରି ଯୁବ ପିଢିକୁ ଯଥେଷ୍ଟ ଗୁରୁତ୍ଵ ଦେବା ଦରକାର।
ଅଖିଳ ମୋହନ ସମୁଦାୟ ଷାଠିଏ ପାଖାପାଖି ଗଳ୍ପ ଲେଖିଛନ୍ତି ଯାହା ତାଙ୍କ ଜୀବନ କାଳ ମଧ୍ୟରେ ଦୁଇଟି ଓ ଦେହାବସାନ ପରେ ଆଉ ଦୁଇଟି ଗଳ୍ପ ସଂକଳନ ରୂପେ ପ୍ରକାଶିତ। ଅନ୍ୟ ଲେଖକମାନଙ୍କ ଲେଖା ପରିମାଣ ତୁଳନାରେ ଏହି ସଂଖ୍ୟା ଯଥେଷ୍ଟ କମ। କିନ୍ତୁ ତାଙ୍କ ଗଳ୍ପଗୁଡିକର ପ୍ରଭାବ ପାଠକମାନଙ୍କୁ ଏଭଳି ପ୍ରଭାବିତ କରେ ଯେ ତାଙ୍କ ସମସାମୟିକ ଅଧିକାଂଶ ଲେଖକଙ୍କ ଦୃଷ୍ଟିରେ ସେ ଥିଲେ ଜଣେ ଈର୍ଷଣୀୟ ବ୍ୟକ୍ତିତ୍ଵ।ଅଖିଳ ମୋହନ ବଞ୍ଚି ରହିଥିବା ବେଳେ ୧୯୬୪ରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଝଡର ଈଗଲ ଓ ଧରଣୀର କୃଷ୍ଣସାର’, ଓ ତା’ ପରେ ୧୯୭୯ରେ ପ୍ରକାଶିତ ହେଲା ‘ଅନ୍ଧଗଳି’, ଓ ସେଥିପାଇଁ ସେ ୧୯୮୧ ମସିହାରେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇଲେ। ୧୯୮୨ରେ ଅଖିଳ ମୋହନଙ୍କ ଦେହାବସାନ ପରେ ରାଜ୍ୟ ସାହିତ୍ୟ ଅକାଦେମି ମରଣୋତ୍ତର ଭାବେ ପୁରସ୍କୃତ କରିବା ପାଇଁ ବହି ଖୋଜିଲା। ତେବେ ତାଙ୍କର ପ୍ରଥମ ପ୍ରକାଶିତ ବହିକୁ ସେ ପର୍ଯ୍ୟନ୍ତ ପୁରସ୍କୃତ କରାଯାଇ ନଥିବାରୁ ଓ ଦ୍ଵିତୀୟ ପ୍ରକାଶିତ ବହିକୁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କୃତ କରି ସାରିଥିବାରୁ ରାଜ୍ୟ ସାହିତ୍ୟ ଅକାଦେମି ବଡ ଧର୍ମ ସଙ୍କଟରେ ପଡିଗଲା। ତେଣୁ ଅଖିଳ ମୋହନଙ୍କୁ ରାଜ୍ୟ ସାହିତ୍ୟ ଅକାଦେମି ସମ୍ମାନିତ କରିବାର ସୁଯୋଗ ପାଇ ପାରିଲା ନାହିଁ।ସେ ବଞ୍ଚିଥିବା ସମୟରେ ପ୍ରେମପତ୍ର ସଂକଳନ ‘ଅନାଗତ ଫାଲଗୁନ’ ଓ ପ୍ୟାରିସ ଭ୍ରମଣ ବୃତ୍ତାନ୍ତ ‘ଅନ୍ୟ ଦେଶ’ ପ୍ରକାଶ ପାଇବା ଅବସ୍ଥାରେ ଥିଲା, କିନ୍ତୁ ତାହା ପ୍ରକାଶ ପାଇଲା ତାଙ୍କ ଦେହାବସାନ ପରେ। ଅଖିଳ ମୋହନଙ୍କର ଅନ୍ୟ ଦୁଇଟି ଗଳ୍ପ ସଂକଳନ ‘ନଦୀର ନାମ ଗଣତନ୍ତ୍ର’ ଓ ‘ପ୍ରଥମ ଓ ଶେଷ’ ଯଥାକ୍ରମେ ୧୯୮୪ ଓ ୧୯୯୦ରେ ପ୍ରକାଶ ପାଇଲା। ଅଖିଳ ମୋହନଙ୍କ ପତ୍ନୀ ଜ୍ଞାନଦାଙ୍କ ଭାଇ ସରୋଜରାଜ ଚୌଧୁରୀଙ୍କ ଦ୍ଵାରା ପୋଷ୍ୟ ବାଘୁଣୀ ଖଇରୀର ଜୀବନ ବୃତ୍ତାନ୍ତ ତାଙ୍କର ଅନ୍ୟ ଏକ ଅନବଦ୍ୟ ରଚନା। ଶେଷକୁ ୨୦୧୬ରେ ଆମ ଓଡ଼ିଶା ପକ୍ଷରୁ ପ୍ରକାଶ ପାଇଲା ଅଖିଳ ମୋହନଙ୍କ ସମଗ୍ର ଗଳ୍ପ ସଂକଳନ ‘ଆଖିଳାୟନ’। ଏପର୍ଯ୍ୟନ୍ତ ଅପ୍ରକାଶିତ ହୋଇ ରହିଥିବା ତାଙ୍କର ଅନ୍ୟାନ୍ୟ ରଚନାବଳି ମଧ୍ୟରେ ରହିଛି ଅନୁଦିତ ଉପନ୍ୟାସ ‘ମଧ୍ୟାହ୍ନର ଅନ୍ଧକାର’, ଦୁଇଟି ନାଟକ, ସାହିତ୍ୟ ପତ୍ରିକା ସମାବେଶରେ ସେ ଲେଖୁଥିବା ସଂପାଦକୀୟ ‘ଶେଷ ପୃଷ୍ଠା’ ଓ ତୀର୍ଜ୍ୟକ ସ୍ତମ୍ଭ ‘କଚ୍ଛପୀୟ’, ଏବଂ ଅନ୍ୟାନ୍ୟ ଅବଶିଷ୍ଟ ଅଖିଳ ମୋହନ।ପ୍ରତି ବର୍ଷ ଅଖିଳ ଦିବସ ଅବସରରେ ଓଡ଼ିଆ ସାହିତ୍ୟର ଜଣେ ଶୀର୍ଷତମ ବ୍ୟକ୍ତିତ୍ଵଙ୍କୁ ଶିଖର ସମ୍ମାନରେ ଭୂଷିତ କରାଯାଏ, ଯାହାକି ୨୦୨୦ ବର୍ଷ ପାଇଁ ଏଥର ବିଶିଷ୍ଟ ଲେଖକ ଶାନ୍ତନୁ ଆଚାର୍ଯ୍ୟଙ୍କୁ ପ୍ରଦାନ କରାଗଲା, କିନ୍ତୁ ସ୍ଵାସ୍ଥ୍ୟଗତ କାରଣରୁ ସେ ଉପସ୍ଥିତ ରହି ଗ୍ରହଣ କରି ପାରିଲେ ନାହିଁ। ଅନ୍ୟାନ୍ୟ ସମ୍ମାନ ରୂପେ ଅଖିଳ କଥା ସମ୍ମାନ ଓ ଜ୍ଞାନଦା କଥା ସମ୍ମାନ ଯଥାକ୍ରମେ ସହଦେବ ସାହୁ ଓ ସ୍ଵାଗତିକା ସ୍ଵାଇଁଙ୍କୁ ପ୍ରଦାନ କରାଯିବା ବେଳେ ଅଖିଳ କବିତା ସମ୍ମାନ ଓ ଜ୍ଞାନଦା କବିତା ସମ୍ମାନ ଯଥାକ୍ରମେ ପ୍ରଦୀପ କୁମାର ପଣ୍ଡା ଓ ଈପ୍ସିତା ଷଡଙ୍ଗୀଙ୍କୁ ପ୍ରଦାନ କରାଗଲା।ଅଖିଳ ଦିବସର ଅନ୍ୟତମ ଆକର୍ଷଣ ରୂପେ ପରିଗଣିତ ଚଳିତବର୍ଷର `ସର୍ଜନର ଆହ୍ୱାନ´ ଶୀର୍ଷକ ବିମର୍ଶରେ ସଭାପତି କବି ସୂର୍ଯ୍ୟ ମିଶ୍ରଙ୍କ ସହ ନିଖିଳେଶ ମିଶ୍ର, ଆଲୋକ ଷଡ଼ଙ୍ଗୀ ଓ ସୁଶ୍ରୀ ଶୁଭଶ୍ରୀ ଶୁଭସ୍ମିତା ମିଶ୍ରଙ୍କ ଭଳି ଯୁବ ଲେଖକ ଓ କବିମାନେ ଅଂଶଗ୍ରହଣ କରି ଉଚ୍ଚକୋଟୀର ତର୍କାଲୋଚନା କରି ଶ୍ରୋତାମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ପାରିଥିଲେ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ, କଳା ସମୀକ୍ଷକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ନିର୍ଦେଶକ)