ଓଡ଼ିଶାଲାଇଭ୍ ବ୍ୟୁରୋ

  • କାୟାବିସ୍ତାର କରୁଛି ଓମିକ୍ରନ
  • ଭିଡ଼କୁ ଯିବାକୁ ବାରଣ

ସମଗ୍ର ଦେଶରେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଛି। ଓଡ଼ିଶାରେ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତେଣୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ କରୋନା ମୁକାବିଲା କରିବା ନିମନ୍ତେ ସମସ୍ତ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘କୋଭିଡର ପ୍ରଥମ ଏବଂ ଦ୍ଵିତୀୟ ଲହରକୁ ଓଡ଼ିଶା ସଫଳ ଭାବେ ମୁକାବିଲା କରିପାରିଛି। କୋଭିଡର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ କାୟାବିସ୍ତାର କରୁଛି। ସତର୍କ ରହିବା ଦ୍ଵାରା ପରିସ୍ଥିକୁ ନିୟନ୍ତ୍ରଣରେ ରଖାଯାଇପାରିବ। କୋଭିଡ ନିୟମ ପାଳନ କରିବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଓ ଆବଶ୍ୟକ ନହେଲେ ଭିଡ଼କୁ ଯାନ୍ତୁ ନାହିଁ।’’

ଦିନକୁ ଦିନ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୧୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଆକ୍ରାନ୍ତ ଦିଲ୍ଲୀ ଏବଂ ମହାରାଷ୍ଟ୍ରର ରହିଛନ୍ତି। ଗତକାଲି ଭୁବନେଶ୍ଵରରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବମିଖାଲ ଜୟଦୁର୍ଗାନଗରକୁ କଣ୍ଟେନମେଣ୍ଟ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ(ବିଏମସି)। ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ପୁଣି ଥରେ କଟକଣା ଲାଗୁ ହେବାର ସମ୍ଭାବନା ରହିଛି।

Comment