ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨ ଆକ୍ରାନ୍ତ ନାଇଜେରିଆ ଫେରନ୍ତା ଥିବା ଜଣାପଡ଼ିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଉଭୟଙ୍କର ଚିକିତ୍ସା ଚାଲିଥିବା ନେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ପକ୍ଷରୁ ସୂଚନା ମିଳିଛି। ଏନେଇ ଆଇଏଲଏସ ସ୍ଵାସ୍ଥ୍ୟ ବିଭାଗକୁ ଅବଗତ କରାଇଛି।

ଏହା ପୂର୍ବରୁ ଓଡ଼ିଶାରୁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜିର ୨ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଦେଶର ବିଭିନ୍ନ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଧୀରେ ଧୀରେ ଓଡ଼ିଶାକୁ ମଧ୍ୟ ଓମିକ୍ରନ ପ୍ରବେଶ କରିଛି।  ପୂର୍ବରୁ ରାଜ୍ୟରେ ଚିହ୍ନଟ ହୋଇଥିବା ୨ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଜଗତସିଂହପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଅଞ୍ଚଳର ଥିଲେ। ଉଭୟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କତାରରୁ ଫେରିଥିଲେ। ବର୍ତ୍ତମାନ ଉଭୟଙ୍କ ଚିକିତ୍ସା ଚାଲୁଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର କରୋନା ପରୀକ୍ଷା କରାଯାଇଛି।ଓମିକ୍ରନ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ କଡ଼ାକଡ଼ି ଭାବେ ସମସ୍ତ କୋଭିଡ ନିୟମ ପାଳନ କରିବାକୁ ବୁଧବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି।

Comment