ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଦ୍ରୁତ ଗତିରେ ମାଡ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ଦେଶର ମୋଟ ୨୧ଟି ରାଜ୍ୟରେ ୬୫୩ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି। । ମଙ୍ଗଳବାର ୨୧ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ପକ୍ଷରେ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୬ ଜଣ ସୁସ୍ଥ ହୋଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ କଟକଣା ଲାଗୁ କରାଯାଇଛି।

କରୋନାର ସ୍ଥିତି ସୁଧାରିବା ପାଇଁ ବିଭିନ୍ନ ରାଜ୍ୟଗୁଡ଼ିକରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ମଧ୍ୟପ୍ରଦେଶ, ୟୁପି, ହରିଆଣା ଓ ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। କର୍ଣ୍ଣାଟକରେ ମଙ୍ଗଳବାର ରାତିଠାରୁ ନାଇଟ କର୍ଫ୍ୟୁ ଲାଗୁ ହେବ। ୧୦ ଦିନ ପାଇଁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରିବାକୁ କର୍ଣ୍ଣାଟକ ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଥିବାବେଳେ ତା’ ତଳକୁ ରହିଛି ଦିଲ୍ଲୀ। ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭ରେ ପହଞ୍ଚିଥିବା ବେଳେ ଦିଲ୍ଲୀରେ ୧୬୫ ରହିଛି। କେରଳରେ ୫୭, ତେଲେଙ୍ଗାନାରେ ୫୫, ଗୁଜୁରାଟରେ ୪୯, ତାମିଲନାଡୁରେ ୩୪, ମଧ୍ୟପ୍ରଦେଶରେ ୯, ଓଡ଼ିଶାରେ ୮, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ୬ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି। ସେହିପରି ହରିଆଣା ଏବଂ ଉତ୍ତରାଖଣ୍ଡରୁ ୪ ଜଣ ଲେଖାଏଁ, ଜମ୍ମୁ, କେରଳ, ଜମ୍ମୁ-କଶ୍ମିରରେ ୩ଜଣ ଲେଖାଏଁ, ଉତ୍ତର ପ୍ରଦେଶରେ ୨ଜଣ, ହିମାଚଳପ୍ରଦେଶ, ଉଦ୍ଦାଖ, ଗୋଆ ଏବଂ ମଣିପୁରରେ ଜଣେ ଲେଖାଏଁ ଆକ୍ରାନ୍ତି ରହିଛନ୍ତି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ହଜାର ୩୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୬ ହଜାର ୪୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ମୋଟ ୭୫ ହଜାର ୪୫୬ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି। ଚଳିତ ଥର ୯୮.୪୦ ପ୍ରତିଶତ କରୋନା ଆକ୍ରାନ୍ତ ଠିକ୍ ହେଉଥିବା ଜଣାପଡ଼ିଛି।

Comment