ଓଡ଼ିଶାଲାଇଭ୍ ବ୍ୟୁରୋ

  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ୍ ସ୍ଥିତି ସମୀକ୍ଷା
  • ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • କଡ଼ାକଡ଼ି ଭାବେ କୋଭିଡ୍ ନିୟମ ପାଳନ କର: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। କରୋନା ମୁକାବିଲା ଲାଗି ଆଗାମୀ ୧୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍‌ର ଦ୍ଵିତୀୟ ଲହରୀର ପିକ୍ ସମୟରେ ରାଜ୍ୟରେ ଯେତିକି ବେଡ୍ ଓ ଆଇସିୟୁର ଆବଶ୍ୟକତା ହୋଇଥିଲା, ଅତି କମ୍‌ରେ ସେତିକି ପରିମାଣର ବେଡ୍ ଓ ଆଇସିୟୁ ପ୍ରସ୍ତୁତ କରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।ଜନସାଧାରଣଙ୍କ ଟିକାକରଣ ଲକ୍ଷ୍ୟ ପୂରଣ ପାଇଁ କ୍ୟାମ୍ପେନ ମୋଡ୍‌ରେ କାମ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ୧୫ରୁ ୧୮ ବର୍ଷ ବର୍ଗର କିଶୋରମାନଙ୍କ ଟିକାକରଣ ଉପରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

“ଭୂତାଣୁ ସଂକ୍ରମଣକୁ କମ୍‌ କରିବା ପାଇଁ ଆମକୁ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପଡ଼ିବ। ତେବେ ଏଥିରେ ଯେପରି ଜନସାଧାରଣଙ୍କର ଜୀବିକା ଉପରେ କୌଣସି ପ୍ରଭାବ ନ ପଡେ, ସେଥିପ୍ରତି ଧ୍ୟାନ ଦେବାକୁ ହେବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ଦେଶରେ ଏବେ ଓମିକ୍ରନ୍‌ ଭ୍ୟାରିଆଣ୍ଟ୍ ଦ୍ରୁତ ବେଗରେ ସଂକ୍ରମଣ କରୁଛି। ଅଳ୍ପ ଦିନ ମଧ୍ୟରେ ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଉଛି। ଦେଶରେ ଖୁବଶୀଘ୍ର ଲକ୍ଷ ଲକ୍ଷ ସଂଖ୍ୟାରେ କୋଭିଡ୍ ସଂକ୍ରମଣ ଦେଖା ଦେଇପାରେ। ଓଡ଼ିଶାରେ ମଧ୍ୟ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ବଢ଼ିବା ଆରମ୍ଭ ହୋଇଛି। ତେଣୁ ଜନସାଧାରଣଙ୍କୁ ବିଶେଷ ଅସୁବିଧାରେ ନ ପକାଇ କୋଭିଡ୍‌ର ଉତ୍ତମ ପରିଚାଳନା ପାଇଁ ଆମକୁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ।କୋଭିଡ୍ ସ୍ଥିତିକୁ ନେଇ ଗତ ସପ୍ତାହରେ ହୋଇଥିବା ସମୀକ୍ଷା ବୈଠକରେ ଯେଉଁସବୁ ନିଷ୍ପତ୍ତି ହୋଇଥିଲା ସେଗୁଡ଼ିକର କାର୍ଯ୍ୟାନ୍ଵୟନ ପାଇଁ ମୁଖ୍ୟ ଶାସନ ସଚିବ ପ୍ରତିଦିନ ସମୀକ୍ଷା ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

କୋଭିଡ୍ ଦ୍ଵିତୀୟ ଲହରୀ ସମୟରେ ଅକ୍ସିଜେନ୍ ପରିଚାଳନା, ସୂଚନା ଅଭିଯାନ, ଟ୍ରେନିଂ ମଡ୍ୟୁଲ ଆଦି ବ୍ୟବସ୍ଥା କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ଵ ଦିଆଯାଇଥିଲା। ବର୍ତ୍ତମାନ ପୁଣି ଅଧିକାରୀମାନଙ୍କର ବିଭିନ୍ନ ମନିଟରିଂ ଗ୍ରୁପ ଓ ଜିଲ୍ଲାସ୍ତରୀୟ ଅବ୍‌ଜରଭର୍ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯେହେତୁ ଏହି ଲହରୀରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାର ସମ୍ଭାବନା ରହିଛି, ତେଣୁ ସବୁ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମକୁ ପାଳନ କରିବା ଏବଂ ଦାୟିତ୍ଵରେ ଥିବ ଅଧିକାରୀମାନଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ।ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ, “ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନେବା ପାଇଁ ସମସ୍ତ ସଂପୃକ୍ତ ପଦାଧିକାରୀ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ବରିଷ୍ଠ ଅଧିକାରୀମାନେ ସବୁ ଜିଲ୍ଲାକୁ ଗସ୍ତ କରି ଜିଲ୍ଲାସ୍ତରରେ ପରିସ୍ଥିତିର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବ୍ୟବସ୍ଥା କରିବେ।”

ଏହି ଅବସରରେ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌.କେ. ଶର୍ମା ରାଜ୍ୟ ସରକାରଙ୍କ କୋଭିଡ୍ ମୁକାବିଲା ପ୍ରସ୍ତୁତି ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ। ସେ କହିଥିଲେ ଯେ, “ଓଡ଼ିଶାରେ ଓମିକ୍ରନ୍‌ର ସଂକ୍ରମଣ ସଂପର୍କରେ ସତର୍କ ଦୃଷ୍ଟି ରଖାଯାଇଛି ଏବଂ ବିଦେଶାଗତ ଲୋକମାନଙ୍କର ନିୟମିତ ପରୀକ୍ଷା କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଟ୍ରିଟ୍‌ମେଣ୍ଟ୍ ପ୍ରୋଟୋକଲ ପ୍ରସ୍ତୁତ କରାଯିବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆବଶ୍ୟକ ପରିମାଣର ଔଷଧ, ଶଯ୍ୟା ଓ ଅକ୍ସିଜେନ୍ ମହଜୁଦ ରହିଛି।”ରାଜ୍ୟରେ ଜନସାଧାରଣଙ୍କ ସହଯୋଗରେ କରୋନା କଟକଣାଗୁଡ଼ିକର ଅନୁପାଳନ କରାଯାଉଛି ଓ ଆଗାମୀ ଦିନରେ ଏହାକୁ ଆହୁରି ଜୋରଦାର କରାଯିବ ବୋଲି ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ କହିଥିଲେ।

୫-ଟି ସଚିବ ଭି.କେ. ପାଣ୍ଡିଆନ ଆଲୋଚନାରେ ଅଂଶଗ୍ରହଣ କରି କୋଭିଡ୍ ସଂକ୍ରମଣର ନିୟନ୍ତ୍ରଣ ଲାଗି ଉଭୟ ଘର ଭିତର ଓ ବାହାରେ ଲୋକଙ୍କ ଭିଡ଼ ଉପରେ ନଜର ରଖିବା ପାଇଁ ମତ ଦେଇଥିଲେ।

ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ସୁନ୍ଦରଗଡ଼, ବଲାଙ୍ଗିର, ଗଞ୍ଜାମ ଓ ବାଲେଶ୍ଵର ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ଵର ଓ କଟକ ମହାନଗର ନିଗମର କମିଶନରମାନେ ସାମିଲ ହୋଇ ସେମାନଙ୍କ ଅଞ୍ଚଳରେ ନିଆଯାଉଥିବା ବିଭିନ୍ନ ପଦକ୍ଷପ ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ। ବୈଠକରେ ବିଭିନ୍ନ ବିଭାଗର ସଚିବମାନେ ସାମିଲ୍ ଦେଇଥିଲେ।

Comment