ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରୁ ଆଉ ୨୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୮ ଜଣ ଦେଶ ବାହାରୁ ଆସିଥିବା ବେଳେ ୨ ଜଣ ଆକ୍ରାନ୍ତ ରାଜ୍ୟ ବାହାରୁ ଓଡ଼ିଶାକୁ ଫେରିଛନ୍ତି। ବାକି ୮ ଜଣ ଓମିକ୍ରନ ଆକ୍ରାନ୍ତ ସ୍ଥାନୀୟ ବା ଲୋକାଲ୍ କଣ୍ଟାକ୍ଟ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର୍ କରିଛି। ଏନେଇ ସୋମବାର ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ୧୮ ଜଣ ଆକ୍ରାନ୍ତ ବିଭିନ୍ନ ଦେଶରୁ ରାଜ୍ୟକୁ ଫେରିଛନ୍ତି ଏବଂ ୨ ଜଣ ଆକ୍ରାନ୍ତ ଯଥାକ୍ରମେ କଶ୍ମୀର ଓ ମୁମ୍ଵାଇରୁ ଓଡ଼ିଶା ଆସିଛନ୍ତି। ସେହିପରି ୮ ଜଣ ଆକ୍ରାନ୍ତ ରାଜ୍ୟ ବାହାରୁ ଫେରି ନଥିବା ଜଣାପଡ଼ିଛି। ପୂର୍ବରୁ ଚିହ୍ନଟ ଓମିକ୍ରନ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କିଛି ବ୍ୟକ୍ତିଙ୍କଠାରେ ଓମିକ୍ରନ ସଂକ୍ରମଣ ଦେଖା ଦେଇଥିବା ସେ କହିଛନ୍ତି।ଆଜିର ୨୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ତେବେ ଓମିକ୍ରନ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କର କରୋନା ପରୀକ୍ଷା କରାଯାଉଛି।

Comment