ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ସଂକ୍ରମଣର ସ୍ଥିତି ଏବେ ଭୟାନକ ରହିଛି। ରାଜ୍ୟରୁ ଦୈନିକ ହଜାର ହଜାର ସଂଖ୍ୟାରେ କରୋନା ପଜିଟିଭ୍ ବାହାରୁଛନ୍ତି। ତେଣୁ ଜାନୁଆରି ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, “ଦିଲ୍ଲୀ, ମୁମ୍ଵାଇ ପରି ମହାନଗରୀରେ କରୋନା ସଂକ୍ରମଣ ବଢ଼ିବାର ୧୦ରୁ ୧୫ ଦିନ ପରେ ଓଡ଼ିଶାରେ ଦୈନିକ କୋଭିଡ୍ କେସ୍ ବଢୁଛି। ଯେହେତୁ ଦିଲ୍ଲୀ, ମୁମ୍ଵାଇରେ କୋଭିଡ୍ ସ୍ଥିତି ପିକ୍ ଛୁଇଁଛି, ସେହି ହିସାବରେ ଜାନୁଆରି ଶେଷ ଆଡ଼କୁ ଓଡ଼ିଶାରେ ମଧ୍ୟ କରୋନା ସ୍ଥିତି ଶୀର୍ଷ ଛୁଇଁପାରେ।”ରାଜ୍ୟରେ ଏବେ ଦୈନିକ କରୋନା କେସ୍ ତୀବ୍ର ବେଗରେ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪,୮୨୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟିନ୍‌ରୁ ୨୮୨୩ ଜଣ ରହିଥିବା ବେଳେ ଲୋକାଲ୍ କେସ୍ ରହିଛି ୨୦୦୬। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୧୮ ବର୍ଷରୁ କମ୍ ବୟସର ୪୪୮ ଜଣ କରୋନା ପଜିଟିଭ୍ ବାହାରିଛନ୍ତି।ମୁଖ୍ୟତଃ ୫-୬ଟି ଜିଲ୍ଲାରୁ ସର୍ବାଧିକ କରୋନା ପଜିଟିଭ୍ ବାହାରୁଛନ୍ତି। ଏଥି ମଧ୍ୟରୁ ସର୍ବାଧିକ ପଜିଟିଭ୍ କେସ୍ ସହ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲା ରେଡ୍ ଜୋନ୍‌ରେ ରହିଥିବା ବେଳେ ସମ୍ଵଲପୁର ଓ କଟକ ଜିଲ୍ଲା ୟେଲୋ ଜୋନ୍‌ରେ ରହିଛନ୍ତି।ରାଜ୍ୟରେ ଏବେ ମୋଟ୍ କୋଭିଡ୍ ପଜିଟିଭ୍‌ଙ୍କ ସଂଖ୍ୟା ୧୦ ଲକ୍ଷ ୭୫ ହଜାର ୬୯୮କୁ ପହଞ୍ଚିଛି। ସେଥିମଧ୍ୟରୁ ୧୦ ଲକ୍ଷ ୪୬ ହଜାର ୬୧୭ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୮,୪୬୮ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୫୬୦ ରହିଛି।

Comment