ଓଡ଼ିଶାଲାଇଭ୍ ବ୍ୟୁରୋ

  • ଟିକାକରଣକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ
  • ଜନସାଧାରଣଙ୍କୁ କୋଭିଡ୍ ନିୟମ ପାଳିବାକୁ ନବୀନଙ୍କ ଅନୁରୋଧ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ସାରା ଦେଶରେ କୋଭିଡ୍-୧୯ର ତୃତୀୟ ଲହର ଖୁବ୍ ଜୋରରେ ବ୍ୟାପି ଚାଲିଛି। ଓଡ଼ିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ତେଣୁ ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଏହି ସମୟ ମଧ୍ୟରେ ଆମ ସମସ୍ତଙ୍କୁ ସତର୍କ ରହିବାକୁ ହେବ ବୋଲି କହି ମୁଖ୍ୟମନ୍ତ୍ରୀ ଉଭୟ ଜନସାଧାରଣ ଓ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।“ଯଦିଓ ତୃତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ହସ୍ପିଟାଲ କେସ୍ ବହୁତ କମ୍‌ ରହିଛି, ତଥାପି ଆମକୁ ଭବିଷ୍ୟତ ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ। ସେହିପରି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଥିଲେ ମଧ୍ୟ ଆଦୌ ଟିକା ନେଇ ନ ଥିବା ତଥା ଦ୍ଵିତୀୟ ଡୋଜ୍ ନେଇ ନ ଥିବା ଲୋକମାନଙ୍କର ଟିକାକରଣକୁ ଜୋରଦାର କରିବାକୁ ହେବ। ଏହା ସହିତ ବରିଷ୍ଠ ନାଗରିକ ତଥା ସମ୍ମୁଖ ଯୋଦ୍ଧାମାନଙ୍କର ଟିକାକରଣକୁ ପ୍ରାଥମିକତା ଦେବା ଖୁବ୍ ଜରୁରୀ। ଏହା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ।”, କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପୂର୍ବଥର ଭଳି ଏଥର ମଧ୍ୟ କରୋନା ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯିବା ଏବଂ ଏଥିରେ ମିଶନ ଶକ୍ତି ଗ୍ରୁପମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି କୋଭିଡ୍ ନିୟମର କଡାକଡି ଅନୁପାଳନ ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।ଯେହେତୁ ବର୍ତ୍ତମାନର ଲହରରେ ସଂକ୍ରମିତ ଅଧିକାଂଶ ବ୍ୟକ୍ତି ନିଜ ଘରେ ପୃଥକୀକରଣ ରହିଛନ୍ତି, ତେଣୁ ଆମକୁ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଡିବ ଏବଂ ଏଥିପାଇଁ ରାପିଡ୍ ରେସ୍‌ପନ୍ସ ଟିମ୍ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ନିଜ ଘରେ ପୃଥକୀକରଣରେ ଥିବା ରୋଗୀମାନଙ୍କୁ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍. କେ. ଶର୍ମା ରାଜ୍ୟରେ କୋଭିଡ୍ ସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ। କମ୍‌ ହସ୍‌ପିଟାଲାଇଜେସନ୍ ସତ୍ତ୍ଵେ ରାଜ୍ୟରେ ଦ୍ଵିତୀୟ ଲହରଠାରୁ ଅଧିକ ସଂଖ୍ୟକ ବେଡ୍ ମହଜୁଦ ରଖାଯାଇଛି ଏବଂ ତା’ ସହିତ ଅକ୍ସିଜେନ, ଭେଣ୍ଟିଲେଟର ଆଦି ବ୍ୟବସ୍ଥାକୁ ସକ୍ରିୟ ରଖାଯାଇଛି ବୋଲି ସେ କହିଥିଲେ।କରୋନା ଟିକାକରଣ କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନ ସଂପର୍କରେ ସୂଚନା ଦେଇ ଆର୍. କେ. ଶର୍ମା କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୧.୮ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ, ଦ୍ଵିତୀୟ ଡୋଜ୍‌ର ହାର ୬୮.୪ ପ୍ରତିଶତ ରହିଛି। ସେହିପରି ୩୦.୭ ପ୍ରତିଶତ ୧୫ରୁ ୧୮ ବର୍ଷ ବୟସର ପିଲା ମଧ୍ୟ ଟିକା ନେଇସାରିଲେଣି। ତେଣୁ ଟିକାକରଣକୁ ସଂପୂର୍ଣ୍ଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଥିଲେ।

ଏହି ଅବସରରେ ଭୁବନେଶ୍ଵର ଏବଂ କଟକ ମହାନଗର ନିଗମର କମିଶନର ଦ୍ଵୟଙ୍କ ସମେତ ସମ୍ବଲପୁର ଓ ସୁନ୍ଦରଗଡ଼ର ଜିଲ୍ଲାପାଳ ସେମାନଙ୍କ ଅଞ୍ଚଳର କୋଭିଡ୍ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।ସେହିପରି କୋଭିଡ୍ ନିୟମ ଅନୁପାଳନର କଡ଼ାକଡ଼ି ତଦାରଖ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚଳନା କରିଥିବା ବେଳେ ଉନ୍ନୟନ କମିଶନର ତଥା ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

Comment