ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକାବିଲା ପାଇଁ ଦେଶରେ ଏବେ ୧୫ରୁ ୧୮ ବର୍ଷ ବର୍ଗଙ୍କ କୋଭିଡ୍ ଟିକାକରଣ ଜୋର୍ସୋର୍ରେ ଚାଲିଥିବା ବେଳେ ମାର୍ଚ୍ଚ ମାସରୁ ୧୨-୧୪ ବର୍ଷ ବୟସର ପିଲାଙ୍କୁ ଟିକା ମିଳିପାରେ। ଏନେଇ ନ୍ୟାସନାଲ୍ ଟେକ୍ନିକାଲ ଆଡଭାଇଜରି ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ୍ (ଏନ୍ଟିଏଜିଆଇ)ର କୋଭିଡ୍-୧୯ ଓ୍ଵାର୍କିଂ ଗ୍ରୁପ୍ ଅଧ୍ୟକ୍ଷ ଡାକ୍ତର ଏନ୍. କେ. ଆରୋରା ସୂଚନା ଦେଇଛନ୍ତି।
“ଫେବ୍ରୁଆରି ଶେଷ ସୁଦ୍ଧା ଆମେ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ୭ କୋଟି ୪୦ ଲକ୍ଷ କିଶୋରଙ୍କ ସମ୍ପୂର୍ଣ୍ଣ କୋଭିଡ୍ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖିଛୁ। ଫଳରେ ମାର୍ଚ୍ଚ ଆରମ୍ଭରୁ ୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ଟିକା ଦିଆଯାଇପାରେ।”, କହିଛନ୍ତି ଏନ୍ଟିଏଜିଆଇର କୋଭିଡ୍-୧୯ ଓ୍ଵାର୍କିଂ ଗ୍ରୁପ୍ ଅଧ୍ୟକ୍ଷ ଡାକ୍ତର ଏନ୍. କେ. ଆରୋରା।
ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ୭ କୋଟି ୪୦ ଲକ୍ଷ କିଶୋର କିଶୋରୀ ରହିଥିବା ବେଳେ ଜାନୁଆରି ୧୬ ତାରିଖ ସୁଦ୍ଧା ୩ କୋଟି ୩୧ ଲକ୍ଷ କିଶୋର କିଶୋରୀଙ୍କୁ ପ୍ରଥମ ଡୋଜ୍ ଟିକା ଦିଆ ସରିଛି। ଜାନୁଆରି ଶେଷ ସୁଦ୍ଧା ସମସ୍ତ କିଶୋର କିଶୋରୀଙ୍କ ପ୍ରଥମ ଡୋଜ୍ ଏବଂ ଫେବ୍ରୁଆରି ଶେଷ ସୁଦ୍ଧା ଦ୍ଵିତୀୟ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ଅନ୍ୟପକ୍ଷେ ୧୨-୧୪ ବର୍ଷ ବୟସ ବର୍ଗର ପିଲାମାନେ ଅଧିକ ମାତ୍ରାରେ କୋଭିଡ୍ ସଂକ୍ରମିତ ହେଉଥିବାରୁ ସେମାନଙ୍କୁ ଖୁବଶୀଘ୍ର ଟିକା ଦେବାର ଆବଶ୍ୟକତା ରହିଛି ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେଣୁ ମାର୍ଚ୍ଚରୁ ଏହି ବୟସ ବର୍ଗର ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇପାରେ। ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହେଉଥିବା ଜଣାପଡ଼ିଛି।


















