ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଗର୍ଭବତୀ ମହିଳାମାନେ କୋଭିଡ୍ ଟିକା ନେଇପାରିବେ। ବିଭିନ୍ନ ପରୀକ୍ଷା ଓ ତର୍ଜମା କରାଯିବା ପରେ ଗର୍ଭବତୀଙ୍କୁ ଟିକା ଦେବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।ଉଭୟ ଅଫ୍‌ଲାଇନ୍ ଓ ଅନ୍‌ଲାଇନ୍ ପଞ୍ଜୀକରଣ ଯୋଗେ ଗର୍ଭବତୀ ମହିଳାଙ୍କୁ ଟିକା ମିଳିବ ବୋଲି ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଏଥିପାଇଁ ସେମାନେ କୋ-ଓ୍ଵିନ୍ ପୋର୍ଟାଲରେ ଅନ୍‌ଲାଇନ୍ ପଞ୍ଜୀକରଣ କିମ୍ଵା ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଯାଇ ଅନ୍‌ସ୍ପଟ୍ ପଞ୍ଜୀକରଣ କରି ଟିକା ନେଇ ପାରିବେ।

କୋଭିଡ୍ ଟିକାକରଣ କ୍ଷେତ୍ରରେ ସାଧାରଣ ନାଗରିକଙ୍କ ପାଇଁ ଯେଉଁ ସବୁ ନିୟମ ଲାଗୁ ହେଉଛି, ଗର୍ଭବତୀଙ୍କ କ୍ଷେତ୍ରରେ ସମାନ ନିୟମ ଲାଗୁ ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।କିଛି ସପ୍ତାହ ପୂର୍ବେ ସରକାର ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଟିକା ନେବାକୁ ଅନୁମତି ଦେଇଥିଲେ। କିନ୍ତୁ ଗର୍ଭବତୀ ମହିଳାମାନଙ୍କୁ ଟିକା ନେବାକୁ ବାରଣ କରାଯାଇଥିଲା। ତେବେ ଅନେକ କଳ୍ପନାଜଳ୍ପନା ପରେ ଗର୍ଭବତୀଙ୍କୁ କୋଭିଡ୍ ଟିକା ନେବାକୁ ଅନୁମତି ମିଳିଛି।

Comment