ଓଡ଼ିଶାଲାଇଭ୍ ବ୍ୟୁରୋ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ତେଣୁ ବିଭିନ୍ନ ବ୍ଲକ ଏବଂ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଭରିବାକୁ ପ୍ରାର୍ଥୀମାନଙ୍କର ଭିଡ଼ ଲାଗିଛି। କୋଭିଡ୍ କଟକଣାରେ ମାତ୍ର ୫ ଜଣ ସମର୍ଥକଙ୍କ ସହ ପ୍ରାର୍ଥିପତ୍ର ଦାଖଲ କରିବାର ନିୟମ ରହିଥିବା ବେଳେ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ ତାରିଖରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଥିଲା। ୱାର୍ଡ ‌ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ବ୍ଲକ କାର୍ଯ୍ୟାଳୟରେ ଏବଂ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଆଶାୟୀ ପ୍ରାର୍ଥୀମାନେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବାର ବ୍ୟବସ୍ଥା ରହିଛି।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଜାନୁଆରି ୨୦ ତାରିଖ ସୁଦ୍ଧା ରାଜ୍ୟରେ ମୋଟ୍ ୧ ଲକ୍ଷ ୩୩ ହଜାର ୫୮୪ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ଜିଲ୍ଲା ପରିଷଦ ପାଇଁ ୧୭୩୦ ଜଣ, ସମିତି ସଭ୍ୟ ପାଇଁ ୧୫ ହଜାର ୫୮୩ ଜଣ, ସରପଞ୍ଚ ପାଇଁ ୨୦ ୪୫୭ ଜଣ ଏବଂ ଓ୍ଵାର୍ଡ ମେମ୍ଵର ପାଇଁ ୯୫ ହଜାର ୮୧୪ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।ଆଜି ପ୍ରାର୍ଥିପତ୍ର ଦାଖଲ ଶେଷ ହେବା ପରେ ଆସନ୍ତାକାଲି ପ୍ରାର୍ଥିପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ଏହାପରେ ୨୩ ତାରିଖରେ ଯୋଗ୍ୟ ମନୋନୀତ ପାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ତେବେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଜାନୁଆରି ୨୫ ତାରିଖ ଅପରାହ୍‌ଣ ୩ଟା ସୁଦ୍ଧା ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ଏହାପରେ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ବାହାରିବ।

ରାଜ୍ୟରେ ଏଥର ୮୫୩ ଜିଲ୍ଲା ପରିଷଦ, ୬୭୯୩ ସରପଞ୍ଚ, ୬୭୯୩ ସମିତିସଭ୍ୟ ଏବଂ ୯୧,୯୧୬ ଓ୍ଵାର୍ଡ ମେମ୍ଵର ପଦବୀ ଲାଗି ନିର୍ବାଚନ ହେବ। ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମୋଟ୍ ୫ଟି ପର୍ଯ୍ୟାୟରେ ଭୋଟ୍ ହେବ। ଏହାପରେ ଜାନୁଆରି ୨୬, ୨୭ ଏବଂ ୨୮ ତିନି ଦିନ ଧରି ବ୍ଲକ କାର୍ଯ୍ୟାଳୟରେ ଭୋଟ୍ ଗଣତି ହୋଇ ମାର୍ଚ୍ଚ ୨ ତାରିଖରେ ଫଳାଫଳ ଘୋଷଣା ହେବ।

Comment