ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଡିଜିଟାଲ ପ୍ରଚାରକୁ ଅସ୍ତ୍ର କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି ବିଜେଡି, ବିଜେପି, କଂଗ୍ରେସ।

ଦିନ କେଇଟା ପରେ ପଞ୍ଚାୟତ ଭୋଟ। ହେଲେ ନା ଏଥର ବଡ଼ ବଡ଼ ଶୋଭାଯାତ୍ରା ଦେଖିବାକୁ ମିଳୁଛି ନା ସମର୍ଥକଙ୍କ ନାରାବାଜିରେ କମ୍ପୁଛି ଗାଁ ଦାଣ୍ଡ। କରୋନା ପାଇଁ ନିର୍ବାଚନରେ କଟକଣା ଲାଗିଛି। ତେଣୁ ଡିଜିଟାଲ୍ ପ୍ଲାଟଫର୍ମ ଯୋଗେ ପ୍ରାର୍ଥୀମାନେ ଭୋଟରଙ୍କ ପାଖକୁ ଯିବେ। ଫେସବୁକ୍, ହ୍ଵାଟ୍ସଆପ୍, ଟୁଇଟର୍, ଇନ୍‌ଷ୍ଟାଗ୍ରାମ ଆଦିରେ ଭୋଟ୍ ଭିକ୍ଷା କରିବେ।

ଯଦିଓ ଉଭୟ ଭୋଟର ଓ ରାଜନୈତିକ ଦଳମାନଙ୍କ ପାଇଁ ଡିଜିଟାଲ ପ୍ରଚାର ନୂଆ, ତଥାପି ରାଜନୈତିକ ଦଳମାନେ ପଞ୍ଚାୟତ ନିର୍ବାଚନର ଏହି ଡିଜିଟାଲ ଓ୍ଵାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।ଆଗୁଆ ପ୍ରସ୍ତୁତ ଅଛି ବିଜେଡି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ସମସ୍ତ ପ୍ରସ୍ତୁତି ଶେଷ କରିଛି। କରୋନା କଟକଣା ପାଇଁ ପ୍ରଚାର, ଶୋଭାଯାତ୍ରା ଆଦି ବାରଣ ଥିବାରୁ ଡିଜିଟାଲ ପ୍ଲାଟଫର୍ମ ଯୋଗେ କିପରି ତୃଣମୂଳ ସ୍ଥରରେ ଭୋଟରଙ୍କ ପାଖରେ ପହଞ୍ଚାଯାଇପାରିବ ସେଥିପାଇଁ ଦଳ ପକ୍ଷରୁ ସ୍ଵତନ୍ତ୍ର ବ୍ଲୁ-ପ୍ରିଣ୍ଟ ହୋଇଛି।“୨୦୧୯ ସାଧାରଣ ନିର୍ବାଚନ ପରେ ବାଲେଶ୍ଵର ସଦର, ତିର୍ତ୍ତୋଲ ଏବଂ ପରେ ପିପିଲି ଆସନ ପାଇଁ ଉପ ନିର୍ବାଚନ ହୋଇଥିଲା। ଏ ସମସ୍ତ ନିର୍ବାଚନରେ ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ ଭର୍ଚୁଆଲ ଯୋଗେ ଲୋକମାନଙ୍କ ପାଖରେ ପହଞ୍ଚିଥିଲେ। ଏହି ୩ଟି ଉପ ନିର୍ବାଚନରେ ଦଳକୁ ବିପୁଳ ସଫଳତା ମିଳିଥିଲା। ବିଜେଡି ଉପରେ ଭୋଟରମାନେ ଆସ୍ତା ପ୍ରକଟ କରିଥିଲେ। ତେଣୁ ଭର୍ଚୁଆଲ ପ୍ରଚାରରେ ଭୋଟରଙ୍କ ସହ ଯୋଡ଼ିହେବାରେ ଦଳ ପାଖରେ ଯଥେଷ୍ଟ ଅଭିଜ୍ଞତା ରହିଛି, ଯାହାକୁ ପାଥେୟ କରି ବିଜେଡି ଏଥର ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଛି”, କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ବିଜେଡିର ସୋସିଆଲ ମିଡିଆ ଟିମ୍ ଏବେ ପଞ୍ଚାୟତର ପ୍ରତିଟି ଗାଁ, ଓ୍ଵାର୍ଡ ଭଳି ତୃଣମୂଳ ସ୍ତରରେ ସକ୍ରିୟ ରହିଛି। ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କୁ ଜଣାଉଛି। ଦଳ ପ୍ରତି ଜନସାଧାରଣଙ୍କର ଥିବା ଆଭିମୁଖ୍ୟକୁ ମଧ୍ୟ ନେତା, ମନ୍ତ୍ରୀମାନେ ଜାଣିପାରୁଛନ୍ତି। ତେଣୁ କରୋନା କଟକଣା ପାଇଁ ଏଥର ପଞ୍ଚାୟତ ନିର୍ବାଚନରେ ଆହ୍ଵାନ ସୃଷ୍ଟି କରିଥିବା ଡିଜିଟାଲ ପ୍ରଚାରକୁ ନେଇ ବିଜେଡି ଆଗୁଆ ପ୍ରସ୍ତୁତ ରହିଛି।”ଡିଜିଟାଲ ପ୍ରଚାରରେ ବିଜେପିର ଅସ୍ତ୍ର – ରାଜ୍ୟ ସରକାରଙ୍କ ବିଫଳତା

୨୦୧୪ ଲୋକସଭା ନିର୍ବାଚନ ବେଳୁ ସୋସିଆଲ ମିଡିଆ ସକ୍ରିୟ ରହିଛି ବିଜେପି, ଆଉ ଏଥିରେ ଦଳକୁ ସଫଳତା ମଧ୍ୟ ମିଳିଛି। ତେଣୁ ଡିଜିଟାଲ୍ ପ୍ରଚାର କ୍ଷେତ୍ରରେ ଦଳର ଅଭିଜ୍ଞତା ରହିଛି। ତେଣୁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଡିଜିଟାଲ୍ ପ୍ରଚାର ଭରସାରେ ଲଢ଼ିବାକୁ ଦଳ ପୂର୍ଣ୍ଣ ପ୍ରସ୍ତୁତ ଥିବା ବିଜେପି ପକ୍ଷରୁ କୁହାଯାଇଛି।“ଓଡ଼ିଶା ବିଜେପିର ସୋସିଆଲ ମିଡିଆରେ ପଞ୍ଚାୟତ ଭଳି ତୃଣମୂଳ ସ୍ତରର ଜନତା, କର୍ମୀ ଆଦି ଯୋଡ଼ି ହୋଇଛନ୍ତି। ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟବାସୀଙ୍କ ପାଇଁ ହେଉଥିବା ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନା, ରାଜ୍ୟ ସରକାରଙ୍କ ବିଫଳତା ଆଦିକୁ ନେଇ ଛୋଟ ଛୋଟ ଭିଡିଓ ପ୍ରସ୍ତୁତ କରାଯାଇଛି। ଏଥିସହିତ ସୋସିଆଲ ମିଡିଆରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରିଲ୍ସ ଆଦି ହୋଇଛି, ଯାହା ତୃଣମୂଳ ସ୍ତରରେ ଲୋକଙ୍କୁ ପାଖରେ ପହଞ୍ଚି ବିଜେପି ସହିତ ଭୋଟରଙ୍କୁ ଯୋଡ଼ିଛି”, କହିଛନ୍ତି ଓଡ଼ିଶା ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ସୋସିଆଲ ମିଡିଆ ଟିମ୍ ପୂରା ପ୍ରସ୍ତୁତ ରହିଛି। ଆମ ଦଳର ନେତା, ମନ୍ତ୍ରୀମାନେ ମଧ୍ୟ ସୋସିଆଲ ମିଡିଆ ଜରିଆରେ ଭୋଟରଙ୍କ ସହ ଯୋଡ଼ି ହୋଇଛନ୍ତି। ତେଣୁ ପଞ୍ଚାୟତ ନିର୍ବାଚନୀ ବୈତରଣୀକୁ ଡିଜିଟାଲ ଓ୍ଵାର ଯୋଗେ ପାର କରିବାକୁ ବିଜେପି ପୂର୍ଣ୍ଣ ପ୍ରସ୍ତୁତ ଅଛି।ପ୍ରତିଟି ବୁଥରେ କଂଗ୍ରେସର ଡିଜିଟାଲ୍ ମିଡିଆ ଟିମ୍

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି, ବିଜେପି ଡିଜିଟାଲ ରଣନୀତି ପ୍ରସ୍ତୁତ କରିଥିବା ବେଳେ କଂଗ୍ରେସ ମଧ୍ୟ ଦଳ ବଳ ଖଟାଇ ବ୍ଲୁ-ପ୍ରିଣ୍ଟ କରିଛି। ତୃଣମୂଳ ସ୍ତରରେ ପ୍ରତିଟି ବୁଥ୍ ପର୍ଯ୍ୟନ୍ତ ପହଞ୍ଚିଛି କଂଗ୍ରେସ।“କଂଗ୍ରେସ ସୋସିଆଲ ମିଡିଆ ଟିମ୍ ଏବେ ପ୍ରତିଟି ଜିଲ୍ଲା, ପଞ୍ଚାୟତ ଆଦିରେ ସକ୍ରିୟ ରହିଛି। ସୋସିଆଲ ମିଡିଆରେ କଂଗ୍ରେସର ରିଚ୍ ବିଜେଡି, ବିଜେପିଠାରୁ ଢେର୍ ଅଧିକ ରହିଛି। ପ୍ରାୟ ୨୫ ହଜାରରୁ ଊର୍ଦ୍ଧ୍ଵ ଭଲ୍ୟୁଣ୍ଟିୟର ବୁଥ୍ ସ୍ତରରେ କଂଗ୍ରେସର ସୋସିଆଲ ମିଡିଆକୁ ଭୋଟରଙ୍କ ସହ ଯୋଡ଼ିଛନ୍ତି। କେନ୍ଦ୍ର ବିଜେପି ଏବଂ ରାଜ୍ୟ ବିଜେଡି ସରକାରଙ୍କ ବିଫଳତା ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ଆମେ ଲୋକଙ୍କ ପାଖକୁ ପହଞ୍ଚୁଛୁ”, କହିଛନ୍ତି ଓଡ଼ିଶା କଂଗ୍ରେସର ମୁଖପାତ୍ର ନିଶିକାନ୍ତ ମିଶ୍ର।ସେହିପରି ରାଜ୍ୟ କଂଗ୍ରେସ ସୋସିଆଲ ମିଡିଆ ଓ୍ଵିଙ୍ଗର ଅଧ୍ୟକ୍ଷ ଅଭିଷେକ ମହାନନ୍ଦ କହିଛନ୍ତି ଯେ, ଓଡ଼ିଶା ପ୍ରଦେଶ, ଯୁବ ଏବଂ ଛାତ୍ର କଂଗ୍ରେସ ଡିଜିଟାଲ କ୍ଷେତ୍ରରେ ଅନ୍ୟ ଦଳମାନଙ୍କ ଅପେକ୍ଷା ବହୁତ ଭଲ ସ୍ଥିତିରେ ଅଛନ୍ତି। ରାଜ୍ୟସ୍ତରରେ ୪୦ରୁ ଅଧିକ ଭଲ୍ୟୁଣ୍ଟିୟରଙ୍କୁ ନେଇ କଂଗ୍ରେସର ସୋସିଆଲ ମିଡିଆ ଟିମ୍ କାମ କରୁଛି। ସେହିପରି ଜିଲ୍ଲା ଏବଂ ପଞ୍ଚାୟତ ସ୍ତରରେ ମଧ୍ୟ ଆମ କର୍ମୀମାନେ ସୋସିଆଲ ମିଡିଆ ଯୋଗେ ଭୋଟରଙ୍କ ସହ ଅଛନ୍ତି। ତେଣୁ ପଞ୍ଚାୟତ ନିର୍ବାଚନରେ ବିପୁଳ ସଫଳତା ପାଇବାକୁ କଂଗ୍ରେସ ଆଶାବାଦୀ।

Comment