ଓଡ଼ିଶାଲାଇଭ୍ ବ୍ୟୁରୋ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଯେଉଁ ନିର୍ବାଚନୀ କ୍ଷେତ୍ରରେ କେହି ପାର୍ଥିପତ୍ର ଦାଖଲ କରି ନଥିବେ କିମ୍ଵା ଯେଉଁଠାରେ ସମସ୍ତ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିବ ସେହି ନିର୍ବାଚନୀ କ୍ଷେତ୍ରରେ ଦ୍ଵିତୀୟଥର ପ୍ରାର୍ଥିପତ୍ର ଭରିବାକୁ ସୁଯୋଗ ଦିଆଯିବ। ଜାନୁଆରି ୨୯ରୁ ୩୧ ତାରିଖ ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିବାକୁ ପାର୍ଥିପତ୍ର ଦାଖଲ କରିପାରିବେ। ଏନେଇ ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଦ୍ଵିତୀୟଥର ପ୍ରାର୍ଥିପତ୍ର ଦାଖଲ ଲାଗି ଜାନୁଆରି ୨୭ ତାରିଖରେ ନିର୍ବାଚନ ଆୟୋଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ଜାନୁଆରି ୨୯ରୁ ୩୧ ତିନି ଦିନ ସକାଳ ୧୧ଟାରୁ ଅପରାହ୍‌ଣ ୩ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ପାର୍ଥିପତ୍ର ଭରିବେ। ଫେବ୍ରୁଆରି ୧ ତାରିଖରେ ପ୍ରାର୍ଥିପତ୍ରଗୁଡ଼ିକୁ ଯାଞ୍ଚ କରାଯାଇ ୨ ତାରିଖକୁ ଯୋଗ୍ୟ ମନୋନୀତ ପ୍ରାର୍ଥି ତାଲିକା ବାହାରିବ।ଯେଉଁମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ଚାହୁଁଥିବେ ସେମାନେ ଫେବ୍ରୁଆରି ୪ ତାରିଖ ଅପରାହ୍‌ଣ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ଏହାପରେ ସେହିଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ଦ୍ଵିତୀୟଥର ପ୍ରାର୍ଥିପତ୍ର ଦାଖଲ ପାଇଁ ସୁଯୋଗ ଦିଆଯିବା ପରେ ମଧ୍ୟ ଯେଉଁ ନିର୍ବାଚନ କ୍ଷେତ୍ରରେ କେହି ପ୍ରାର୍ଥିପତ୍ର ଦାଖଲ କରିବେ ନାହିଁ ବା ସମସ୍ତ ପ୍ରାର୍ଥିପତ୍ର ନାକଚ ହୋଇଯିବ, ସେହି ସ୍ଥାନରେ ସରକାରଙ୍କ ପକ୍ଷରୁ ସିଲେକ୍ସନ ଜରିଆରେ ଜନ ପ୍ରତିନିଧିଙ୍କୁ ଦାୟିତ୍ଵ ଦିଆଯିବ।ରାଜ୍ୟରେ ଏଥର ମୋଟ୍ ୮୫୩ ଜିଲ୍ଲା ପରିଷଦ, ୬,୭୯୩ ସରପଞ୍ଚ, ୬,୭୯୩ ସମିତିସଭ୍ୟ ଏବଂ ୯୧,୯୧୬ ଓ୍ଵାର୍ଡ ସଭ୍ୟ ପଦବୀ ଲାଗି ନିର୍ବାଚନ ହେବ। ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମୋଟ୍ ୫ଟି ପର୍ଯ୍ୟାୟରେ ଭୋଟ୍ ହେବ। ଏହାପରେ ଜାନୁଆରି ୨୬, ୨୭ ଏବଂ ୨୮ ତିନି ଦିନ ଧରି ବ୍ଲକ କାର୍ଯ୍ୟାଳୟରେ ଭୋଟ୍ ଗଣତି ହୋଇ ମାର୍ଚ୍ଚ ୨ ତାରିଖରେ ଫଳାଫଳ ଘୋଷଣା ହେବ।

କରୋନା ପାଇଁ ଏଥର ନିର୍ବାଚନରେ କୌଣସି ପ୍ରକାର ଶୋଭାଯାତ୍ରା, ପ୍ରଚାର ଆଦି ହୋଇପାରିବ ନାହିଁ। ଡିଜିଟାଲ ମିଡିଆ ଯୋଗେ ପ୍ରଚାର କରିବାକୁ କୁହାଯାଇଛି। ସେହିପରି କେବଳ ୫ ଜଣଙ୍କୁ ନେଇ ପ୍ରାର୍ଥୀମାନେ ଡୋର୍ ଟୁ ଡୋର୍ ପ୍ରଚାର କରିବାକୁ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି।

Comment