ଓଡ଼ିଶାଲାଇଭ୍ ବ୍ୟୁରୋ

  • ୩୬,୫୨୩ ଜଣ ଓ୍ଵାର୍ଡ ସଭ୍ୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ନିର୍ଦ୍ଵନ୍ଦ୍ଵ ରହିଲା
  • ଜଗତସିଂହପୁର ଢିଙ୍କିଆରେ ୨୦୨୩ରେ ହେବ ପଞ୍ଚାୟତ ନିର୍ବାଚନ

ରାଜ୍ୟ ନିର୍ବାଚନ କମିଶନ ବୁଧବାର ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏହି ତାଲିକା ଅନୁସାରେ ୧୨୬ ଜଣ ସରପଞ୍ଚ, ୩୨୬ ଜଣ ପଞ୍ଚାୟତ ସମିତି ସଭ୍ୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ସେହିପରି ୩୬୫୨୩ ଜଣ ଓ୍ଵାର୍ଡ ସଭ୍ୟ ମଧ୍ୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷେ ୮୫୩ ଜିଲ୍ଲା ପରିଷଦ ଆସନରୁ ଜଣେ ପ୍ରାର୍ଥୀ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିବା ତାଲିକାରେ ଦର୍ଶାଯାଇଛି।  ଚଳିତ ପଞ୍ଚାୟତ ନିର୍ବାଚନରେ ମୋଟ ୯୧୮୯୦ ଓ୍ଵାର୍ଡ ସଭ୍ୟ, ୬୭୯୩ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ ଏବଂ ୮୫୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ନିର୍ବାଚନ ହେବ।ଜଗତସିଂହପୁର ଢିଙ୍କିଆରେ ଏଥର ପଞ୍ଚାୟତ ନିର୍ବାଚନ ହେବ ନାହିଁ। ସେଠାରେ ୨୦୨୩ରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି।

ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମୋଟ ୫ଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ଭୋଟ ହେବ। ଏହାପରେ ଜାନୁଆରି ୨୬, ୨୭ ଏବଂ ୨୮ ତିନି ଦିନ ଧରି ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି ହୋଇ ମାର୍ଚ୍ଚ ୨ ତାରିଖରେ ଫଳାଫଳ ଘୋଷଣା ହେବ।କରୋନା ପାଇଁ ଏଥର ନିର୍ବାଚନରେ କୌଣସି ପ୍ରକାର ଶୋଭାଯାତ୍ରା, ପ୍ରଚାର ଆଦି ହୋଇପାରିବ ନାହିଁ। ଡିଜିଟାଲ ମିଡିଆ ଯୋଗେ ପ୍ରଚାର କରିବାକୁ କୁହାଯାଇଛି। ସେହିପରି କେବଳ ୫ ଜଣଙ୍କୁ ନେଇ ପ୍ରାର୍ଥୀମାନେ ଡୋର୍ ଟୁ ଡୋର୍ ପ୍ରଚାର କରିବାକୁ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି। ଅନ୍ୟପକ୍ଷେ ବିଜୟ ଶୋଭାଯାତ୍ରା ପାଳନ ଉପରେ ମଧ୍ୟ ନିର୍ବାଚନ କମିଶନ ରୋକ ଲଗାଇଛନ୍ତି।

Comment