ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟ ସରକାର ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ କରିବା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ସମ୍ମତି ପ୍ରଦାନ କରିଛନ୍ତି।

ବିନୋଦ କୁମାର ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କୁ ଅନୁଗ୍ରହ ଦେଖାଇ ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଞ୍ଜୁର କରିଥିଲେ। ଫଳରେ ରାଜ୍ୟ ସରକାରଙ୍କୁ ଆର୍ଥିକ କ୍ଷତି ହୋଇଥିଲା। ଏନେଇ ବିନୋଦ କୁମାରଙ୍କ ବିରୋଧରେ ଓଡ଼ିଶା ସରକାର ୨୭ଟି ଭିଜିଲାନ୍ସ ମାମଲା ରୁଜୁ କରିଥିଲେ। ଏହା ମଧ୍ୟରୁ ଦୁଇଟି ମାମଲରେ ବିନୋଦ କୁମାର ଦୋଷୀ ସାବସ୍ତ ହୋଇଛନ୍ତି।

ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛନ୍ତି। ଦୁର୍ନୀତି କରିଥିବା ବ୍ୟକ୍ତି ବିଶେଷ ଉଚ୍ଚ ପଦପଦବୀରେ ଥିଲେ ମଧ୍ୟ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ବଦ୍ଧପରିକର। କିଛି ଦିନ ତଳେ ଦୁର୍ନୀତି ଅଭିଯୋଗରେ ସର୍ଵ ଭାରତୀୟ ସେବାର ଜଣେ ବରିଷ୍ଠ ଜଙ୍ଗଲ ସେବା ଅଧିକାରୀଙ୍କୁ ମଧ୍ୟ ଚାକିରିରୁ ବରଖାସ୍ତ କରାଯାଇଥିଲା।

Comment