ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜ ଖୋଲାଯିବ। ଅଷ୍ଟମରୁ ଊର୍ଦ୍ଧ୍ଵ ଶ୍ରେଣୀ, ସମସ୍ତ କଲେଜ, ବିଶ୍ଵ ବିଦ୍ୟାଳୟ ଏବଂ ଟ୍ରେନିଂ ସ୍କୁଲ ଆଦି ଖୋଲିବ। ବନ୍ଦ ରହିଥିବା ସମସ୍ତ ହଷ୍ଟେଲ ମଧ୍ୟ ୭ ତାରିଖରୁ ଖୋଲାଯିବ। ସେହିପରି ଆସନ୍ତା ୧୪ ତାରିଖରୁ କେଜିରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ସହାପାତ୍ର।

ରାଜ୍ୟରେ ବଢ଼ି ଚାଲିଥିବା କୋଭିଡ ପରିସ୍ଥିତି ଯୋଗୁଁ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜାନୁଆରି ମାସଠାରୁ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିଲା। ବର୍ତ୍ତମାନ କୋଭିଡର ତୃତୀୟ ଲହର ଶେଷ ହୋଇ ଆସୁଛି। ରାଜ୍ୟରେ ସଂକ୍ରମଣ ହାର ମଧ୍ୟ କମିବାକୁ ଲାଗିଛି। କୋଭିଡ ଯୋଗୁଁ ସ୍କୁଲ କଲେଜ ସବୁ ବନ୍ଦ ରହିଥିବାରୁ ପିଲାଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ସ୍କୁଲ ଏବଂ କଲେଜ ଖୋଲିବାକୁ ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା। ସବୁ ପରିସ୍ଥିତକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ୭ ତାରିଖ ରାଜ୍ୟର ସମସ୍ତ ଅଷ୍ଟମରୁ ଊର୍ଦ୍ଧ୍ଵ ଶ୍ରେଣୀ, କଲେଜ, ବିଶ୍ଵ ବିଦ୍ୟାଳୟ ଏବଂ ଟ୍ରେନିଂ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି।

school-college

 

ସ୍କୁଲ ଏବଂ କଲେଜ ଖୋଲିବା ପରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ପାଠପଢ଼ା ସୁବିଧା ରହିବ। ସ୍କୁଲ ଖୋଲିବା ପୂର୍ବରୁ ପରିସରକୁ ସଫାସୁତର କରାଯିବା ସହ ନିୟମିତ ବ୍ୟବଧାନରେ ସାନିଟାଇଜ କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। କୋଭିଡର ସମସ୍ତ ନିୟମ ପାଳନ କରି ବିଦ୍ୟାଳୟଗୁଡ଼ିକୁ ଖୋଲାଯିବ। ସ୍କୁଲ ଆସୁଥିବା ଛାତ୍ରଛାତ୍ରୀଙ୍କୁ ପରସ୍ପରଠାରୁ ଦୂରତା ରକ୍ଷା କରି ବସାଇବା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବାକୁ ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କୋଭିଡ ଯୋଗୁଁ ଦୁଇ ବର୍ଷ ହେଲା ରାଜ୍ୟରେ ଶିକ୍ଷାଦାନ ବାଧା ପ୍ରାପ୍ତ ହୋଇଛି। ଏହାର ଭରଣା ପାଇଁ ସ୍କୁଲ ଖୋଲାଯାଇ ସ୍କୁଲଗୁଡ଼ିକରେ ଅତିରିକ୍ତ କ୍ଲାସ କରାଯାଇପାରିବ। ଏହା ସହ ଖରାଛୁଟି ଅବଧି କମ୍ କରି କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି। କେଜିରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ପ୍ରମୋସନ ପରୀକ୍ଷା କରାଯିବ ଏବଂ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ବୋର୍ଡର ଗାଇଡ ଲାଇନ ଅନୁସାରେ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି।

Comment