ଓଡ଼ିଶାଲାଇଭ୍ ବ୍ୟୁରୋ

  • ସମସ୍ତେ ମିଶି ପାଠପଢ଼ାର କ୍ଷତିକୁ ଭରଣା କରିବା: ମୁଖ୍ୟମନ୍ତ୍ରୀ
  • କୋଭିଡ ନିୟମ ପାଳନ କରିବାକୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
  • ପିଲାମାନଙ୍କୁ ସ୍କୁଲ ଛାଡ଼ିବାକୁ ପିତାମାତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
  • ଶିକ୍ଷକମାନଙ୍କ ଉପରେ ମୋର ପୂରା ଭରସା ଅଛି, ସେମାନେ ପିଲାମାନଙ୍କର ଉଚିତ ମାର୍ଗ ଦର୍ଶନ କରିବେ: ମୁଖ୍ୟମନ୍ତ୍ରୀ

କୋଭିଡ୍ ପାଇଁ ପ୍ରାୟ ଦୁଇ ବର୍ଷ ପରେ ସୋମବାରଠାରୁ ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, “ସ୍କୁଲ ଖୋଲିବା ଖୁସିରେ ପିଲାମାନେ ଖୁସି, ଆଉ ପିଲାମାନଙ୍କ ଖୁସିରେ ମୁଁ ବି ବହୁତ ଖୁସି।”“ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ। ପ୍ରାୟ ଦୁଇ ବର୍ଷ ପରେ ଆଜି ସ୍କୁଲ ଘଣ୍ଟା ବାଜିଲା। ପିଲାମାନେ ଆଜି ସ୍କୁଲ ଗଲେ। ମହାପ୍ରଭୁଙ୍କ ଆଶୀର୍ବାଦ, ଆପଣମାନଙ୍କ ସହଯୋଗ ଓ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଗତ ଦୁଇ ବର୍ଷ ହେଲା କରୋନା ଯୋଗୁଁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ସ୍କୁଲ ଖୋଲିବା ହେଉଛି, ସ୍ଵାଭାବିକ ଅବସ୍ଥା ଫେରିବାର ଶୁଭ ସୂଚନା”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ପିଲାମାନେ, ଦୁଇ ବର୍ଷ ହେଲା ତୁମେମାନେ ଘର ଭିତରେ ରହିଥିଲ। ସାଙ୍ଗସାଥି ଖେଳକୁଦ ସବୁ ବନ୍ଦ ଥିଲା। ମୁଁ ଜାଣେ ଆଜି ସ୍କୁଲ ଖୋଲିବା ନିଷ୍ପତ୍ତି ତୁମମାନଙ୍କୁ ବହୁତ ଖୁସି ଦେଇଛି। ତୁମମାନଙ୍କ ଖୁସିରେ ମୁଁ ବି ବହୁତ ଖୁସି। ପାଠପଢ଼ା ସହିତ ସାଙ୍ଗସାଥି, ନାଚଗୀତ, ଖେଳକୁଦ, ଖୁସି ମଜା ସବୁ କିଛି ଆଗଭଳି ଚାଲିବ। ଆମେ ପୁଣି ଆଗକୁ ବଢ଼ିବା।”ସମସ୍ତଙ୍କ ସହଯୋଗରେ ଆମେ କରୋନାର ମୁକାବିଲା କରିପାରିଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତି ଶହେ ବର୍ଷରେ ଥରେ ଏହିଭଳି ମହାମାରୀ ଆସେ। ଏଥିରେ ଆମର ଯୁବପିଢ଼ି ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି। ତେଣୁ ପିଲାମାନଙ୍କୁ ଭୟ ନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ସେ କହିଛନ୍ତି, “ପିଲାମାନେ ଆମେ ସମସ୍ତେ ତୁମ ସାଥିରେ ଅଛୁ। କିନ୍ତୁ ତୁମକୁ ସତର୍କ ରହିବାକୁ ହେବ। ତୁମମାନଙ୍କୁ ମୋର ଅନୁରୋଧ, ତୁମେମାନେ କୋଭିଡ୍ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବ। ସ୍କୁଲ ଭିତରେ ଓ ବାହାରେ ମାସ୍କ ଠିକ୍‌ ଭାବରେ ପିନ୍ଧିବ। ବାରମ୍ବାର ସାବୁନରେ ହାତ ଧୋଇବ। କୋଭିଡ୍ ନିୟମ ପାଳନରେ କେବେ ବି ହେଳା କରିବ ନାହିଁ। ପାଠପଢ଼ାରେ ଯାହା କିଛି କ୍ଷତି ହୋଇଛି, ତାକୁ ପୂରଣ କରିବା ପାଇଁ ଆମେ ଦିନରାତି ପରିଶ୍ରମ କରିବା।”ସେହିପରି ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଆମ ସଂସ୍କୃତିରେ ଗୁରୁଙ୍କୁ ଆମେ ଭଗବାନ ଭାବରେ ସମ୍ମାନ କରୁ। ଗୁରୁଙ୍କ ଆଶୀର୍ବାଦ, ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ। ଆପଣମାନେ ଜାଣନ୍ତି, କୋଭିଡ୍ ଯୋଗୁଁ ସବୁଠାରୁ ଅଧିକ କ୍ଷତି ହୋଇଛି ପିଲାମାନଙ୍କର ଓ ସେମାନଙ୍କ ପାଠପଢ଼ାର। ତେଣୁ ଆମେ ସମସ୍ତେ ମିଶି ସେ କ୍ଷତି ଭରଣା କରିବା। ଆପଣମାନଙ୍କ ଉପରେ ମୋର ପୁରା ଭରସା ରହିଛି। କୋଭିଡ୍ ଯୋଗୁଁ ପାଠପଢ଼ାରେ ଯେଉଁ କ୍ଷତି ହୋଇଛି, ତାକୁ ଆପଣମାନେ ହିଁ ପୂରଣ କରିପାରିବେ। ଆପଣମାନେ ସବୁବେଳେ କୋଭିଡ୍ ନିୟମ ପାଳନକୁ ବିଶେଷ ଦୃଷ୍ଟି ଦିଅନ୍ତୁ।”ଶିକ୍ଷକମାନଙ୍କ ଦାୟିତ୍ଵରେ ଏବେ ପିଲାମାନେ ରହିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ପିତାମାତା ଓ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡନ୍ତୁ ଏବଂ ଭଲ ଭାବରେ ମାସ୍କ ପିନ୍ଧାଇ ଛାଡନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। କୋଭିଡ୍ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି। ପିଲାଙ୍କ ଖୁସିରେ ପରିବାରର ଖୁସି ବୋଲି ସେ କହିଛନ୍ତି।

Comment