ଓଡ଼ିଶାଲାଇଭ୍ ବ୍ୟୁରୋ

କଶ୍ମୀର ଉପରେ ହ୍ୟୁଣ୍ଡାଇ ପାକିସ୍ତାନର ଏକ ବିବାଦୀୟ ଟ୍ଵିଟର ପୋଷ୍ଟକୁ ନେଇ ଭାରତୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କମ୍ପାନି ନିଜର ଭୁଲକୁ ନେଇ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ଭାରତୀୟଙ୍କ ରାଗ ଥଣ୍ଡା ହୋଇପାରି ନାହିଁ। ଏହି ପୋଷ୍ଟଟିକୁ ନେଇ ଏତେ ମାତ୍ରାରେ ବିରୋଧ କରାଯାଇଥିଲା ଯେ, ହ୍ୟୁଣ୍ଡାଇ ପାକିସ୍ତାନ ପକ୍ଷରୁ ପୋଷ୍ଟଟିକୁ ତୁରନ୍ତ ହଟାଇ ଦିଆଯାଇଥିଲା। କେବଳ ସେତିକି ନୁହେଁ ଗୋଟିଏ ଦିନ ପାଇଁ କମ୍ପାନି ତାର ଟ୍ଵିଟର ହ୍ୟାଣ୍ଡେଲକୁ ବନ୍ଦ କରିଦେଇଥିଲା।

ହ୍ୟୁଣ୍ଡାଇ ପାକିସ୍ତାନର ଟ୍ଵିଟର ହ୍ୟାଣ୍ଡେଲରୁ ହୋଇଥିବା ପୋଷ୍ଟରେ ଲେଖାଯାଇଥିଲା ‘ଆସନ୍ତୁ ସ୍ମରଣ କରିବା ସେହି କଶ୍ମୀର ଭାଇମାନଙ୍କର ବଳୀଦାନକୁ ଏବଂ ଆଗକୁ ସ୍ଵାଧୀନତା ପାଇଁ ସଂଘର୍ଷ ଜାରି ରଖିବାକୁ ସେମାନଙ୍କୁ ସମର୍ଥନ ଜଣାଇବା’। କିଛି କ୍ଷଣ ମଧ୍ୟରେ ଏହି ପୋଷ୍ଟଟି ସୋସିଆଲ ମେଡିଆରେ ଏତେ ଭାଇରାଲ ହେଲା ଯେ, ସୋସିଆଲ ମିଡିଆରେ ‘ବଏକଟ ହ୍ୟୁଣ୍ଡାଇ’ ଟ୍ରେଣ୍ଡ ଆରମ୍ଭ ହୋଇଗଲା।

ଦେଖୁ ଦେଖୁ ପୁରା ଭାରତ ବର୍ଷରୁ ହ୍ୟୁଣ୍ଡାଇ କମ୍ପାନୀକୁ ବିରୋଧ ଆରମ୍ଭ ହେଲା। ‘ହ୍ୟୁଣ୍ଡାଇ ଭାରତୀୟ ବଜାରରୁ ତା’ର ବୟସାୟିକ ଉତ୍ଥାନ ଦେଖିଛି, ଏବେ ଭାରତରେ ପତନ ଆରମ୍ଭ ହେବ’ ଏହିପରି କିଛି ଭାରତୀୟ ନାଗରିକ ନିଜ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି। ଆଉ କିଛି ଲୋକ ହ୍ୟୁଣ୍ଡାଇ କମ୍ପାନିର ଗାଡ଼ି ନକିଣିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଏତେ ପରିମାଣରେ କମ୍ପାନିକୁ ବିରୋଧ କରାଯିବାର ଦେଖି ହ୍ୟୁଣ୍ଡାଇ ପାକିସ୍ତାନ ନିଜର ଟ୍ଵିଟର ହ୍ୟାଣ୍ଡେଲରୁ ପୋଷ୍ଟଟିକୁ ହଟାଇ ଦେଇଥିଲା।

ଆର୍ମିର ଅବସର ପ୍ରାପ୍ତ ଜେନେରାଲ ଅଫିସର କେଜେଏସ ଧିଲ୍ଲୋନ ହ୍ୟୁଣ୍ଡାଇର ଏହି ବିବାଦୀୟ ପୋଷ୍ଟକୁ ନେଇ ଚାଲିଥିବା ‘ବଏକଟ ହ୍ୟୁଣ୍ଡାଇ’ ଟ୍ରେଣ୍ଡରେ ସାମିଲ ହୋଇ ନିଜର ଅସନ୍ତୋଷ ଜାହିର କରିଛନ୍ତି। “ଆମେ ଅନେକ ଭାରତୀୟ ବୀର ଯବାନ ଏବଂ ନିର୍ଦୋଷ ନାଗରିକମାନଙ୍କର ବଳିଦାନ ଦେଇଛୁ। ସେମାନଙ୍କ ବଳିଦାନ ଭାରତ ଏବଂ ପ୍ରତି ଭାରତୀୟମାନଙ୍କ ପାଇଁ ବିଶେଷ ମହତ୍ଵ ରଖେ”, ନିଜ ଟ୍ଵିଟର ପୋଷ୍ଟରେ ଲେଖିଛନ୍ତି ଜେନେରାଲ ଅଫିସର କେଜେଏସ ଧିଲ୍ଲୋନ।

 ହ୍ୟୁଣ୍ଡାଇ ପାକିସ୍ତାନର ଏହି ବିବାଦୀୟ ଟ୍ଵିଟର ପୋଷ୍ଟର ସ୍କ୍ରିନସଟକୁ ଭାଇରାଲ କରାଯିବା ପରେ କମ୍ପାନୀକୁ କଡ଼ା ସମାଲୋଚନା କରାଯାଇଥିଲା। ପରେ ହ୍ୟୁଣ୍ଡାଇ ଭାରତ ତରଫରୁ ଭାରତୀୟଙ୍କୁ କ୍ଷମା ପ୍ରାର୍ଥନା କରାଯାଇଥିଲା। ହ୍ୟୁଣ୍ଡାଇ ଭାରତର କ୍ଷମାପ୍ରାର୍ଥନା ପରେ ମଧ୍ୟ ଭାରତୀୟ ନାଗରିକଙ୍କର ରାଗ ଶାନ୍ତ ହୋଇନାହିଁ। ଏବେ ମଧ୍ୟ ଟ୍ଵିଟରରେ ‘ବଏକଟ ହ୍ୟୁଣ୍ଡାଇ ଏବଂ ବଏକଟ କିଆ’ ଟ୍ରେଣ୍ଡ ଜାରି ରହିଛି।

ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା ହ୍ୟୁଣ୍ଡାଇର ଏହି ବିବାଦୀୟ ପୋଷ୍ଟ ଉପରେ ବୟାନ ଦେଇ କହିଛନ୍ତି, “ମୋର ବ୍ୟକ୍ତିଗତ କ୍ଷମତା ଏବଂ ସାମର୍ଥ୍ୟ ଅନୁସରେ ସମସ୍ତଙ୍କୁ ଅନୁରୋଧ କରୁଛି କେହି ହ୍ୟୁଣ୍ଡାଇ କମ୍ପାନିର କୌଣସି ଗାଡ଼ି କ୍ରୟ କରନ୍ତୁ ନାହିଁ। ପ୍ରଥମ ଥର ପାଇଁ ମୁଁ କୌଣସି ବଏକଟକୁ ସମର୍ଥନ ଜଣାଉଛି। ହ୍ୟୁଣ୍ଡାଇ କମ୍ପାନୀ ମନରେ ଆମ ରାଷ୍ଟ୍ରୀୟ ଭାବନାକୁ ନେଇ କୌଣସି ସମ୍ମାନ ନାହିଁ। କମ୍ପାନି ପକ୍ଷରୁ ଜାରି କରାଯାଇଥିବା ଅସମ୍ପୂର୍ଣ୍ଣ ବୟାନରୁ ଜଣାପଡ଼ୁଛି କମ୍ପାନି ନିଜର ଏହି ଭୁଲ ପାଇଁ ଅନୁତପ୍ତ ନୁହେଁ”।

ଜଣେ ଭାରତୀୟ ଟ୍ଵିଟର ହ୍ୟାଣ୍ଡେଲରେ ଲେଖିଛନ୍ତି “ଏହିଠାରେ କଥା ଶେଷ ହୋଇଯାଇ ନାହିଁ। ହ୍ୟୁଣ୍ଡାଇ ଯେଉଁ ଭୁଲ କରିଛି, ତାହା ଅକ୍ଷମଣିୟ। ହ୍ୟୁଣ୍ଡାଇର ମୂଳ କମ୍ପାନି ନିଜର ଭୁଲ ସ୍ଵୀକାର କରୁନାହିଁ କିମ୍ବା ଭାରତୀୟଙ୍କୁ ଭୁଲ ମାଗୁ ନାହିଁ”।

Comment