ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଶନିବାର ସକାଳେ ଓଡ଼ିଶାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ହୋଇଛି। ଏଥିରେ ବସରେ ଥିବା ସମସ୍ତ ୪୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏଥିମଧ୍ୟରୁ ୧୪ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହାଇଓ୍ଵେ ଆମ୍ଵୁଲାନ୍ସ ଯୋଗେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶ୍ରୀକାକୁଲମ ଜିଲ୍ଲା କେଆର ପୁରମ ପୋଲିସର ସୂଚନା ଅନୁଯାୟୀ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୪୭ ଜଣ ଯାତ୍ରୀଙ୍କୁ ନେଇ ବସଟି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରୁ କେରଳ ଓ ତାମିଲନାଡୁ ଅଭିମୁଖେ ବାହାରିଥିଲା। ଶନିବାର ଭୋର ୫ଟା ସମୟରେ ଶ୍ରୀକାକୁଲମ୍ ଜିଲ୍ଲାର ରଣସ୍ଥଲମ ଜୋନ୍ ଅନ୍ତର୍ଗତ ପାଇଡିଭିମାଭାରାମ ଜାତୀୟ ରାଜପଥ ନିକଟରେ ବସଟି ଗୋଟିଏ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା।୧୪ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ହାଇଓ୍ଵେ ଆମ୍ଵୁଲାନ୍ସ ଯୋଗେ ସେମାନଙ୍କୁ ଜିଲ୍ଲାର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେହିପରି ସାମାନ୍ୟ ଆହତମାନଙ୍କୁ ପ୍ରଥମିକ ଚିକିତ୍ସା କରାଇ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ରଖାଯାଇଛି। ସମସ୍ତ ଯାତ୍ରୀଙ୍କ ପରିଚୟ ନେବା ସହ ଘଟଣା ସମ୍ପର୍କରେ ସେମାନଙ୍କ ସମ୍ପର୍କୀୟ, ଗଞ୍ଜାମ ଜିଲ୍ଲାପାଳଙ୍କୁ ସୂଚନା ଦେଇଛି ଶ୍ରୀକାକୁଲମ୍ ଜିଲ୍ଲା ପ୍ରଶାସନ।

ତେବେ ଡ୍ରାଇଭରର ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଥିବା ପୋଲିସ ଆନୁମାନ କରିଛି। ଅନ୍ୟପକ୍ଷେ ପୋଲିସ ନିଜଆଡୁ ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ଜାରି ରଖିଛି।

Comment