ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଧ୍ୟ ଭୋଟ ବିଭ୍ରାଟ ଦେଖାଯାଇଛି। ଭୋଟର ତାଲିକାରେ ନାଁ ନ ଥିବାରୁ ମତଦାନରୁ ବଞ୍ଚିତ ହୋଇ ରାୟଗଡ଼ା ଜିଲ୍ଲାରେ ବୁଥ୍ ଭଙ୍ଗାରୁଜା ସହ ଭୋଟ ବାକ୍ସ ଉଠାଇ ନେଇଛନ୍ତି ଡଙ୍ଗରିଆ ସମ୍ପ୍ରଦାୟର ଲୋକେ। ଏଭଳି ଘଟଣା ଘଟିଛି ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତର ରାଇଲିମା ଗ୍ରାମରେ।   ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ରବିବାର ଦିନ ଭୋଟ ଗ୍ରହଣ ଚାଲିଥିଲା। ଏଥିରେ ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଳ ମୁଶୁଡ଼ି ଓ ଉପର ମୁଶୁଡି ଗ୍ରାମର ଭୋଟରମାନେ ରାଇଲିମାଠାରେ ହୋଇଥିବା ୧୪ ନମ୍ବର ଭୋଟ ଦାନ କେନ୍ଦ୍ରକୁ ଭୋଟ ଦେବା ପାଇଁ ଆସିଥିଲେ। କିନ୍ତୁ ଭୋଟ ତାଲିକାରେ ଏହି ଦୁଇ ଗାଁର ଭୋଟରମାନଙ୍କର ନାଁ ନଥିଲା। ଫଳରେ ସେମାନେ ଭୋଟ ଦେବାରୁ ବଞ୍ଚିତ ହୋଇଥିଲେ। ଏହାପରେ ଗ୍ରାମବାସୀମାନେ ବୁଥ୍‌ରେ ପାଟିତୁଣ୍ଡ କରିବା ସହ ଭୋଟ ବାକ୍ସ ଉଠାଇ ନେଇଥିଲେ।

ଉତ୍ତ୍ୟକ୍ତ ଲୋକମାନେ ଭୋଟବାକ୍ସ ନେବା ସମୟରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦିବ୍ୟଜ୍ୟୋତି ଦାସ, ତହସିଲଦାର ଦେବାଶିଷ କର, କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକୁମା ହାଂସଦା ପହଞ୍ଚି ସେମାନଙ୍କୁ ଅଟକାଇ ବୁଝାସୁଝା କରିଥିଲେ। ହେଲେ ପ୍ରଶାସନର ଭୁଲ ଯୋଗୁଁ ଭୋଟରମାନେ ଭୋଟଦାନରୁ ବଞ୍ଚିତ ହୋଇଥିବାରୁ ବିକଳ୍ପ ଭାବେ ଭୋଟ ଦେବାର ବ୍ୟବସ୍ଥା କରାଯିବା ପରେ ହିଁ ଭୋଟବାକ୍ସ ଫେରାଇବାକୁ ଗ୍ରାମବାସୀ କହିଥିଲେ। ଏହାପରେ ଭୋଟର ତାଲିକାରେ କ’ଣ ତ୍ରୁଟି ରହିଛି ତାହା ତଦନ୍ତ କରାଯାଇ ଯେଉଁ ଭୋଟରମାନେ ମତଦାନରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପାଇଁ ପୁନଃ ଭୋଟ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ଭୋଟବାକ୍ସ ଫେରାଇଥିଲେ।

Comment