ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଫେବ୍ରୁଆରି ୨୮ରୁ ଖୋଲିଛି ସମସ୍ତ ପ୍ରାଥମିକ ବିଦ୍ୟାଳୟ।

ପୁଣି ଚଳଚଞ୍ଚଳ ହୋଇଛି ସ୍କୁଲ କ୍ୟାମ୍ପସ୍। ସ୍କୁଲକୁ ଫେରିଛି ପିଲାଙ୍କ କୋଳାହଳ। ଦୀର୍ଘ ୨ ବର୍ଷ ପରେ ଛାତ୍ରଛାତ୍ରୀଙ୍କୁ ପାଖରେ ପାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଖୁସି ବି କହିଲେ ନ ସରେ। ଫୁଲ, ଚନ୍ଦନ ଓ ଚକଲେଟ୍ ଦେଇ ପିଲାମାନଙ୍କୁ ସେମାନେ ସ୍ଵାଗତ କରିଛନ୍ତି ତ ଆଉ କେଉଁଠି ସ୍ଵାଗତମ ରଙ୍ଗୋଲିରେ ଶୋଭା ପାଉଛି ବିଦ୍ୟାଳୟ ପରିସର। କରୋନା ନିୟମ ମାନି ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସିଛନ୍ତି।ଦୀର୍ଘଦିନ ପରେ ପିଲାମାନେ ସ୍କୁଲ ଆସିଥିବାରୁ ଗୋଟିଏ ସପ୍ତାହ ସେମାନଙ୍କୁ ଚିତ୍ରାଙ୍କନ, ନାଚଗୀତ, ଖେଳକୁଦ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟସ୍ତ ରଖାଯାଉଛି। ପିଲାମାନେ କିପରି ଚିନ୍ତାମୁକ୍ତ ପରିବେଶ ପାଇପାରିବେ ସେଥିଲାଗି ସ୍କୁଲଗୁଡ଼ିକରେ ସ୍ଵତନ୍ତ୍ର ଆୟୋଜନ ହୋଇଛି। ଏପରିକି ଅଭିଭାବକମାନେ ମଧ୍ୟ ପୂରା ସମୟ ପିଲାମାନଙ୍କ ସହ ସ୍କୁଲରେ ରହି ସେମାନଙ୍କୁ ପାଠପଢ଼ା ସହ ଯୋଡ଼ିବାରେ ସାହାଯ୍ୟ କରୁଛନ୍ତି।କରୋନା ପାଇଁ ଦୀର୍ଘ ଦୁଇବର୍ଷ ହେଲା ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିଲା। ପୂର୍ବରୁ ପର୍ଯ୍ୟାୟକ୍ରମେ ଅଷ୍ଟମରୁ ଦଶମ ଏବଂ ଷଷ୍ଠରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ପଞ୍ଚମ ସ୍କୁଲ ଖୋଲି ନଥିଲା। ତେବେ ରାଜ୍ୟରେ ଏବେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ଖୋଲାଯାଇଛି।

Comment