ଓଡ଼ିଶାଲାଇଭ ବ୍ୟୁରୋ

ବଲିଉଡ୍‌ର ଭେଟେରାନ ଅଭିନେତା ଦିଲୀପ କୁମାର ଏବଂ କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ପ୍ରେମ କାହାଣୀ କାହାକୁ ବା ଅଛପା। ଦୁହିଁଙ୍କ ପ୍ରେମ ସମ୍ପର୍କରେ ସମସ୍ତଙ୍କୁ ଜଣା। ‘ମୋଗଲ-ଏ-ଆଜମ’ ଚଳଚ୍ଚିତ୍ର ସେମାନଙ୍କ ସବୁଠାରୁ ହିଟ ଚଳଚ୍ଚିତ୍ର। ଏହି ଫିଲ୍ମରେ ତାଙ୍କର ପ୍ରେମ କାହାଣୀ ଯେତିକି ରୋମାଞ୍ଚକ ଥିଲା, ବାସ୍ତବ ଜୀବନର ପ୍ରେମ କାହାଣୀ ମଧ୍ୟ ସେତିକି ଦୁଃଖଦାୟକ ଥିଲା। ସେମାନଙ୍କର ପ୍ରେମ ଆଗକୁ ବଢ଼ିଥିଲା ସତ କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିନଥିଲା। ସେମାନଙ୍କ ପ୍ରେମ ପଛରେ ଥିବା କାରଣକୁ ମଧୁବାଲାଙ୍କ ଭଉଣୀ ମଧୁର ଭୂଷଣ ଏକ ସାକ୍ଷାତକାରରେ କହିଛନ୍ତି।

ତାଙ୍କ ପ୍ରେମ କାହାଣୀକୁ ନେଇ ମଧୁର କହିଥିଲେ, ଦିଲୀପ ମଧୁବାଲାଙ୍କୁ କେବେବି ଭୁଲି ନ ଥିଲେ। ମଧୁବାଲା ଅସୁସ୍ଥ ଥିବା ସମୟରେ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲକୁ ଆସିଥିଲେ ଦିଲୀପ। ଦିଲୀପ ମଧୁବାଲାଙ୍କୁ କହିଥିଲେ, ସେମାନେ ପୁଣି ଏକାଠି କାମ କରିବେ। ଦିଲୀପ କୁମାର ସେତେବେଳେ ବିବାହ କରି ନ ଥିଲେ। ମଧୁବାଲାଙ୍କ ଶେଷକୃତ୍ୟକୁ ମଧ୍ୟ ଦିଲୀପ ଯାଇଥିଲେ। ହେଲେ ସେତେବେଳକୁ ମଧୁବାଲାଙ୍କ ଅନ୍ତମ ସଂସ୍କାର ସରି ଯାଇଥିଲା।

ମଧୁବାଲାଙ୍କ ବାପା ଏବଂ ଦିଲୀପ କୁମାରଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ମଧୁର କହିଥିଲେ, ‘ଦିଲୀପ ଥରେ ଆମ ଘରକୁ ଆସିଥିଲେ। ସେ ବାପାଙ୍କୁ ଅତ୍ୟାଚାରୀ ଏବଂ ନିଷ୍ଠୁର ବୋଲି କହିଥିଲେ। ହେଲେ ମୋ ବାପା ଦିଲୀପ କୁମାରଙ୍କୁ ପସନ୍ଦ କରୁଥିଲେ। ଯଦି ସେ ଦିଲୀପ କୁମାରଙ୍କୁ ପସନ୍ଦ କରିନଥାନ୍ତେ ତେବେ ସେ ତାଙ୍କ ଝିଅର ପ୍ରେମକୁ ସମ୍ମତି ଦେଇନଥାନ୍ତେ। ମଧୁବାଲା ଦିଲୀପ କୁମାରଙ୍କୁ ତାଙ୍କ ବାପାଙ୍କୁ କ୍ଷମା ମାଗିବାକୁ କହିଥିଲେ। କିନ୍ତୁ ଦିଲୀପ କ୍ଷମା ମାଗି ନ ଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ବହୁ ଦୂରତା ବଢ଼ି ଯାଇଥିଲା। ପରବର୍ତ୍ତୀ ସମୟରେ ଦିଲୀପ କୁମାର ଅଭିନେତ୍ରୀ ସାଇରା ବାନୁଙ୍କୁ ବିବାହ କରିଥିଲେ। ମଧୁବାଲା ମଧ୍ୟ ଗାୟକ କିଶୋର କୁମାରଙ୍କୁ ବିବାହ କରିଥିଲେ। କିନ୍ତୁ ମାତ୍ର ୩୬ ବର୍ଷ ବୟସରେ ମଧୁବାଲା ଦୁନିଆରୁ ବିଦାୟ ନେଇଥିଲେ।

LEAVE A REPLY

Please enter your comment!
Please enter your name here