ସଂଗୀତା ମାନସିଂହ

କୁହାଯାଏ ଯୁଗେ ଯୁଗେ ପ୍ରେମ ଶାଶ୍ଵତ ଏବଂ ଚିରନ୍ତନ। ପ୍ରେମ କେବଳ ଶରୀର ନୁହେଁ ଦୁଇଟି ମନ ଏବଂ ଆତ୍ମାର ମିଳନ। ସଚା ପ୍ରେମିକ ଯେତେ ଝଡ଼ଝଞ୍ଜା ଆସିଲେ ବି ପ୍ରେମିକାଠାରୁ ଦୂରେଇ ଯାଏନି। ଏଭିଳି ଏକ ନିଆରା ପ୍ରେମର ଉଦାହରଣ ହେଉଛନ୍ତି ବାଲେଶ୍ଵରର ଶୁଭ୍ରାଂଶୁ ଏବଂ ଦେବସ୍ମିତା।

ଆଜିକାଲି କେଉଁଠି ପ୍ରେମରେ ପୁଅ ଝିଅକୁ ଧୋକା ଦେଉଛି ତ କେଉଁଠି ପୁଅବି ପ୍ରତାରଣାର ଶିକାର ହେଉଛି। ପ୍ରେମରେ ଧୋକା ସହି ନପାରି ଅନେକ ଜୀବନ ମଧ୍ୟ ଦେଉଛନ୍ତି। ଏ ସବୁ ଘଟଣା ପ୍ରତିଦିନ ସୋସିଆଲ ମିଡିଆରେ ମୁଖ୍ୟ ପ୍ରସଂଗ ହେବା ସହ ପ୍ରେମ ଉପରୁ ଧୀରେ ଧୀରେ ଭରସା ମଧ୍ୟ ତୁଟୁଛି। କିନ୍ତୁ ଏହାରି ଭିତରେ ପ୍ରେମର ପରିଭାଷାକୁ ବଦଳାଇ ଦେଇଛନ୍ତି ବାଲେଶ୍ଵରର ଶୁଭ୍ରାଂଶୁ ମହାପାତ୍ର ଏବଂ ଦେବସ୍ମିତା ପଣ୍ଡା।

ଦୀର୍ଘ ଦିନର ପ୍ରେମିକା ଦେବସ୍ମିତାକୁ ନିଜ ଜୀବନ ସଙ୍ଗିନୀ କରିଛନ୍ତି ଶୁଭ୍ରାଂଶୁ ମହାପାତ୍ର। ଏ କୌଣସି ସାଧାରଣ ପ୍ରେମ କଥା ଆମେ କହୁ ନାହୁଁ। ଏମାନଙ୍କ ପ୍ରେମ ସମ୍ପୂର୍ଣ୍ଣ ଭିନ୍ନ। ହ୍ଵିଲ ଚେୟାରରେ ବସିଥିବା ପ୍ରେମିକାକୁ ବେଦିରେ ବିବାହ କରିଛନ୍ତି ଶୁଭ୍ରାଂଶୁ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ ଏବଂ ଆମ ଓଡ଼ିଶାର କଥା।

ବାଲେଶ୍ଵର ଜିଲ୍ଲା ଓଉପଦା ବ୍ଲକ ଫତେପୁର ଗାଁର ଶୁଭ୍ରାଂଶୁ ମହାପାତ୍ର ଏବଂ ସେରଗଡ଼ ବ୍ଲକ ଗଡ଼ପଦା ଗ୍ରାମର ଦେବସ୍ମିତା ପଣ୍ଡା କଲେଜ ବେଳରୁ ପ୍ରେମରେ ପଡ଼ିଥିଲେ। ଯୁକ୍ତ ୩ରେ ପଢ଼ିବା ସମୟରେ ନିଜ ଜୁନିଅର ଥିବା ଦେବସ୍ମିତାଙ୍କୁ ୨୦୧୫ ମସିହା ନଭେମ୍ବର ୩ ତାରିଖରେ ପ୍ରେମ ନିବେଦନ କରିଥିଲେ। ଧୀରେ ଧୀରେ ସମ୍ପର୍କ ନିବିଡ଼ ହେବା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ଓଡ଼ିଶାଲାଇଭ୍‌କୁ କହିଛନ୍ତି ଶୁଭ୍ରାଂଶୁ ମହାପାତ୍ର।

“ପ୍ରାୟ ୮ ବର୍ଷ ସମ୍ପର୍କ ପରେ ନିଷ୍ପତ୍ତି ନେଇଥିଲୁ ବିବାହ କରିବାକୁ। ୨୦୧୯ ମସିହା ମେ’ ୧୯ ତାରିଖରେ ନିର୍ବନ୍ଧ ଏବଂ ଜୁନ ମାସରେ ବାହାଘର ପାଇଁ ଦିନ ଠିକ୍ ହୋଇଥିଲା। ବାହାଘର ପାଇଁ ସମସ୍ତେ ଖୁସିଥିଲୁ, କିନ୍ତୁ ହଠାତ୍ ଆମ ଖୁସିରେ ଗ୍ରହଣ ଲାଗିଗଲା। ଘରଲୋକ ବାହାଘର ଦିନ ଠିକ୍ କରିବାକୁ ଯିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଦେବସ୍ମିତା”, କହିଛନ୍ତି ଶୁଭ୍ରାଂଶୁ।

ଦେବସ୍ମିତା ଅସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ରୋଗ ଚିହ୍ନୁ ଚିହ୍ନୁ ଆହୁରି ଅସୁସ୍ଥ ହୋଇପଡ଼ିଥିଲେ ଦେବସ୍ମିତା। ପକ୍ଷାଘାତ ଯୋଗୁଁ ସେ ବିଛଣାରେ ପଡ଼ିରହିଲେ। ଏହାରି ଭିତରେ କୋଭିଡ ମହାମାରୀକୁ ନେଇ ଚାରି ଆଡ଼େ କୋକୁଆ ଭୟ ଦେଖା ଦେଇଥିବାବେଳେ ଘରେ ରହି ଚିକିତ୍ସିତ ହେଉଥିଲେ ଦେବସ୍ମିତା। ଲକ୍ ଡାଉନ ଏବଂ ସଟଡାଉନ ଯୋଗୁଁ କେହି କାହାରିକୁ ଦେଖା କରିବା ସମ୍ଭବ ନଥିଲା। କିନ୍ତୁ ଉଭୟ ପରସ୍ପରଠାରୁ ଅଲଗା ହେବା କଥା କେବେ ଚିନ୍ତା କରିନଥିଲୁ ବୋଲି ଶୁଭ୍ରାଂଶୁ କହନ୍ତି।

ଗତ ପାଞ୍ଚ ୬ ମାସ ହେବ ଦେବସ୍ମିତା ଧୀରେ ଧୀରେ ଦେବସ୍ମିତା ସୁସ୍ଥ ହେଉଛନ୍ତି। ସେ ପୁଣି ସୁସ୍ଥ ହେବେ ବୋଲି ମନରେ ସାହସ ଆସିଲା। ତା’ ପରେ ଦୁହେଁ କହିଲୁ ବହୁତ ଅପେକ୍ଷା ହେଇଗଲା ଏଥର ବିବାହ କରିବା। ଗତ ନଭେମ୍ବର ମାସ ୪ ତାରିଖରେ ସମସ୍ତଙ୍କ ଆଶୀର୍ବାଦରେ ଆମେ ବିବାହ କଲୁ ବୋଲି ଶୁଭ୍ରାଂଶୁ ମହାପାତ୍ର କହିଛନ୍ତି।

ହ୍ଵିଲ ଚେୟାରରେ କନ୍ୟା ସାଜି ଦେବସ୍ମିତା ବସିଥିବାବେଳେ ବର ବେଶରେ ଆସିଥିଲେ ଶୁଭ୍ରାଂଶୁ। ପରିବାର, ସାଙ୍ଗସାଥୀ ଏବଂ ବନ୍ଧୁବାନ୍ଧବଙ୍କ ଗହଣରେ ବିବାହ ବେଦିରେ ବସିଥିଲେ ଶୁଭ୍ରାଂଶୁ ଏବଂ ଦେବସ୍ମିତା। ହୋମ ନିଆଁକୁ ସାକ୍ଷୀ ରଖି ଦୁହିଁଙ୍କର ହାତଗଣ୍ଠି ପଡ଼ିଲା। ହ୍ଵିଲ ଚେୟାରରେ ବସିଥିବା ନିଜ କନ୍ୟାକୁ ସାଙ୍ଗରେ ଧରି ବେଦୀ ପରିକ୍ରମା କରିଥିଲେ ଶୁଭ୍ରାଂଶୁ। ଦେବସ୍ମିତା-ଶୁଭ୍ରାଂଶୁଙ୍କ ବିବାହ ବେଳର ବିଡିଓ ଭାଇରାଲ ହେବା ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ବାଃ ପ୍ରେମ ହେବ ତ ଏମିତି’।

ଶୁଭ୍ରାଂଶୁ ଏବଂ ଦେବସ୍ମିତାଙ୍କ ଏହି ସଫଳ ପ୍ରେମ କାହାଣୀର ଚର୍ଚ୍ଚା ଏବେ ଚାରିଆଡ଼େ। ପ୍ରେମ କରୁଥିବା ପ୍ରେମୀଯୁଗଳଙ୍କ ପାଇଁ ଏମାନେ ପ୍ରେରଣା ହେବେ ବୋଲି କୁହାଯାଉଛି।

Tags: #Love #Marriage #Soulmate #TrueLove #LoveStory #SubhranshuMohapatra #DabasmitaPanda

Comment