ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ବର୍ଷିୟାନ୍ ଅଭିନେତା ଦିଲ୍ଲୀପ କୁମାର। ମୁମ୍ଵାଇର ହିନ୍ଦୁଜା ହସ୍ପିଟାଲରେ ସକାଳ ୭ଟା ୩୦ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ନିମୋନିଆରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ଏହି ବର୍ଷିୟାନ୍ ଅଭିନେତା। ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ଜୁନ୍ ୨୯ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଦିଲୀପଙ୍କ ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଇରା ବାନୁ ଗଣମାଧ୍ୟମକୁ ଜଣାଇଥିଲେ।

ଜୁନ୍ ମାସରେ ଦୁଇ ଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଦିଲ୍ଲୀପ କୁମାର। ସ୍ଵାସ୍ଥ୍ୟାବସ୍ଥା ଅଧିକ ବିଗିଡିବା କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ବୁଧବାର ତାଙ୍କର ଦେହାନ୍ତ ହୋଇଥିବା ଖବର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ଜଣାପଡ଼ିଛି।

୧୯୨୨ ଡିସେମ୍ଵର ୧୧ରେ ପାକିସ୍ତାନରେ ଦିଲ୍ଲୀପ କୁମାରଙ୍କ ଜନ୍ମ ହୋଇଥିଲା। ତାଙ୍କର ପ୍ରଥମ ନାମ ୟୁସୁଫ ଖାନ୍ ଥିଲା। ପରେ ସେ ପରଦାରେ ଦିଲ୍ଲୀପ କୁମାର ନାମରେ ପରିଚିତ ହୋଇଥିଲେ। ଦିଲ୍ଲୀପ କୁମାରଙ୍କୁ ୮ଟି ଫିଲ୍ମଫେୟାର ଆୱାର୍ଡ ମିଳିଛି। ତାଙ୍କୁ ୧୯୯୧ରେ ପଦ୍ମ ଭୂଷଣ ଏବଂ ୨୦୧୫ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ୧୯୯୪ରେ ଦାଦା ସାହେବ୍ ଫାଲ୍‌କେ ପୁରସ୍କାର ବିଜେତା ଦିଲ୍ଲୀପ କୁମାରଙ୍କୁ ଦର୍ଶକ ଏଯାବତ୍ ଶେଷଥର ଲାଗି ୧୯୯୮ରେ ମୁକ୍ତିଲାଭ ‘କିଲା’ ଚଳଚ୍ଚିତ୍ରରେ ଦେଖିବାକୁ ପାଇଥିଲେ।

ବର୍ଷିୟାନ୍ ଅଭିନେତା ଦିଲ୍ଲୀପ କୁମାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଅନ୍ୟପଟେ ଜଣେ ବରିଷ୍ଠ ଅଭିନେତାଙ୍କୁ ହରାଇ ବଲିଉଡରେ ଶୋକର ଛାୟା ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here