ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ତଥା ବଲିଉଡ ଜଗତର ବରିଷ୍ଠ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ ଘଟିଛି। ମୁମ୍ବାଇ ସ୍ଥିତ ବାସଭବନରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ‘ବାଳିକା ବଧୂ’ରେ ‘ଦାଦି ସା’ ଭୂମିକାରେ ଅଭିନୟ କରୁଥିଲେ ସୁରେଖା ସିକ୍ରି। ଆଜି ତାଙ୍କ ମୃତ୍ୟୁରେ ସ୍ତବ୍ଧ ପୁରା ବଲିଉଡ ଜଗତ।ସୁରେଖା ଦୀର୍ଘ ସମୟ ଧରି ଡାକ୍ତରଖାନାରେ ଭର୍ତ୍ତି ଥିଲେ। ତାଙ୍କର ଫୁସଫୁସରେ ପାଣି ଜମିଥିଲା। ଏଥିପାଇଁ ସେ ଔଷଧ ଖାଉଥିଲେ। କିନ୍ତୁ ସ୍ଵାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା। ୨୦୨୦ ମସିହାରେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ ସୁରେଖା। ତା’ପରଠାରୁ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ଏମିତି ବି ସମୟ ଆସିଥିଲା, ସୁରେଖାଙ୍କ ଚିକିତ୍ସା ପାଇଁ ତାଙ୍କ ପ୍ରଶଂସକମାନେ ଆର୍ଥିକ ସହାୟତାର ହାତ ବଢ଼ାଇଥିଲେ। କିନ୍ତୁ ସେ କାହାଠାରୁ କିଛି ନେବାକୁ ମନା କରି ଦେଇଥିଲେ। ଶୁକ୍ରବାର ସକାଳେ ତାଙ୍କର ହୃଦ୍‌ଘାତ ହେତୁ ମୃତ୍ୟୁ ହୋଇଛି।

ସୁରେଖା ସିକ୍ରି, ୧୯୭୮ ମସିହାରେ ରିଲିଜ ହୋଇଥିବା ‘କିସା କୁର୍ସି କା’ ଚଳଚ୍ଚିତ୍ରରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ସେ ନିଜର ତିନୋଟି ବଲିଉଡ ଚଳଚ୍ଚିତ୍ର ‘ତମସ’, ‘ମାମୋ’ ଓ ‘ବଧାଇ ହୋ’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ।ସୁରେଖା ଥିଏଟରଠାରୁ  ଆରମ୍ଭ କରି ଅନେକ ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକରେ କାମ କରିଛନ୍ତି। ସେ ଲୋକପ୍ରିୟ ଟିଭି ସିରିଏଲ ‘ବାଳିକା ବଧୁ’ରେ ‘ଦାଦି ସା’ ଭୂମିକାରେ ଅଭିନୟ କରି ପ୍ରତି ଘରେ ଘରେ ପରିଚିତ ହୋଇପାରିଥିଲେ। ଆଜି ବି ତାଙ୍କୁ ଅନେକ ‘ଦାଦି ସା’ ନାମରେ ଜାଣନ୍ତି। ନେଟଫ୍ଲିକ୍ସରେ ପ୍ରସାରିତ ‘ଘୋଷ୍ଟ ସିରିଜ’ରେ ସେ ଶେଷ ଥର ପାଇଁ ନଜର ଆସିଥିଲେ।

Comment