ଓଡ଼ିଶାଲାଇଭ୍ ବ୍ୟୁରୋ

ଟିଭି ଇଣ୍ଡଷ୍ଟ୍ରିକୁ ଆଜି ଶକ୍ତ ଧକ୍କା ଲାଗିଛି। ବୁଧବାର ଦିନ ହିନ୍ଦୀ ଧାରାବାହିକର ଦୁଇ ଜଣ ପ୍ରସିଦ୍ଧ କଳାକାରଙ୍କର ଅକାଳ ବିୟୋଗ ଘଟିଛି। ଧାରାବାହିକ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ଜଣାଶୁଣା ଅଭିନେତା ନିତେଶ ପାଣ୍ଡେଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଦୁଇଜଣ ଦକ୍ଷ କଳାକାରଙ୍କୁ ହରାଇଥିବାରୁ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

‘ସାରାଭାଇ ଭର୍ସେସ ସାରାଭାଇ’ ହିନ୍ଦୀ ଧାରାବାହିକରୁ ସ୍ଵତନ୍ତ୍ର ପରିଚୟ ହାସଲ କରିଥିବା ଅଭିନେତ୍ରୀ ବୈଭବୀ ଉପାଧ୍ୟାୟ ସୋମବାର ଦିନ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବୁଧବାର ଦିନ ତାଙ୍କର ମୃତ୍ୟୁ ହୋଇଛି। ବୈଭବୀଙ୍କ ମୃତ୍ୟୁ ଖବର ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।

ବୈଭବୀଙ୍କ ଦେହାନ୍ତରେ ଭାଙ୍ଗି ପଡ଼ିଥିବା ସହକଳାକାର, ପ୍ରଶଂସକଙ୍କୁ ପୁଣି ଏକ ଝଟକା ମିଳିଛି। ଆଜି ହୃଦଘାତରେ ପ୍ରାଣ ହରାଇଛନ୍ତି ନିତେଶ ପାଣ୍ଡେ। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ୨୫ ବର୍ଷ ଧରି ସେ ଅନେକ ହିନ୍ଦୀ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିତି ପାରିଥିଲେ।

୧୯୯୦ ମସିହାରୁ ଥିଏଟରରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ନିତେଶ ହିନ୍ଦୀ ଧାରାବାହିକ ସହ ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ଷ୍ଟାରପ୍ଲସରେ ପ୍ରସାରିତ ପପୁଲାର ହିନ୍ଦୀ ଧାରାବାହିକ ‘ଅନୁପମା’ରେ ଅଭିନୟ କରୁଥିଲେ। ଦୁଇ କଳାକାରଙ୍କ ଅକାଳ ବିୟୋଗ ଟିଭି ଇଣ୍ଡଷ୍ଟ୍ରି ପାଇଁ ଅପୂରଣୀୟ କ୍ଷତି।

Tags: #TVActor #Death #BollywoodCinema #HindiSerial #NiteshPandey #BaibhaviUpadhyaya

Comment