ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏଭଳି ଅନେକ କଳାକାର ଅଛନ୍ତି, ଯେଉଁମାନେ ବାସ୍ତବ ଜୀବନରେ ମୁସଲମାନ, କିନ୍ତୁ ପରଦାରେ ସେମାନଙ୍କର ସ୍କ୍ରିନନେମ ରହିଛି ହିନ୍ଦୁ। ଆସନ୍ତୁ ସେଭଳି କିଛି ବଲିଉଡ କଳାକାରଙ୍କ କଥା ଜାଣିବା।

ମଧୁବାଲା

ପଚାଶ ଓ ଷାଠିଏ ଦଶକର ଗ୍ଲାମରସ ମଧୁବାଲା ୩୦ରୁ ଅଧିକ ହିନ୍ଦୀ ସିନେମାରେ ନାୟିକା ଭୂମିକା ନିଭାଇଥିଲେ। ତାଙ୍କ ଅଭିନୀତ କେତେକ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ହେଲା ‘ବରସାତ୍’, ‘ମୁମତାଜ୍’ ‘ମହଲ୍’, ‘ଅମର ପ୍ରେମ୍’, ‘ପାରସ୍’, ‘କାଲାପାନୀ’, ‘ଦୋ ଉସ୍ତାଦ’, ‘ଜାଲିନୋଟ୍’, ‘ମୁଗଲଏ ଆଜମ୍’, ‘ଗଲତି କା ନାମ ଗାଡ଼ି’ ଇତ୍ୟାଦି। ହେଲେ ମଧୁବାଲାର ପ୍ରକୃତ ନାମ ହେଲା ‘ମୁମତାଜ୍ ଜହାଁ ବେଗମ୍’। ସେ ଇସଲାମ୍ ଧର୍ମାବଲମ୍ବୀ ଥିଲେ, ହେଲେ ହିନ୍ଦୁ ଅଭିନେତା-ଗାୟକ କିଶୋର କୁମାରଙ୍କୁ ବିବାହ କରିଥିଲେ।

ଦିଲ୍ଲୀପ କୁମାର

ବଲିଉଡର ଟ୍ରାଜେଡି କିଙ୍ଗ୍ ଭାବେ ପରିଚିତ ଭେଟରାନ୍ ଆକ୍ଟର ଦିଲ୍ଲୀପ କୁମାରଙ୍କ ପ୍ରକୃତ ନାମ ହେଲା ମହମ୍ମଦ ୟୁସୁଫ୍ ଖାନ୍। କିନ୍ତୁ ଫିଲ୍ମରେ ପାଦ ଥାପିବା ପରେ ସେ ସ୍କ୍ରିନ୍ ନେମ୍ ରଖିଥିଲେ ଦିଲ୍ଲୀପ କୁମାର। ତାଙ୍କ ଅଭିନୀତ କେତୋଟି ଫିଲ୍ମ ହେଲା-‘ଜୁଆରଭଟ୍ଟା’, ‘ଶହିଦ୍’, ‘ଅନ୍ଦାଜ୍’, ‘ଆନ୍’, ‘ରାମ୍‌ ଔର ଶ୍ୟାମ୍’, ‘ଗୋପୀ’, ‘ଦୁନିଆ, ଶକ୍ତି’, ‘ବିଧାତା’, ‘କର୍ମା’ ଇତ୍ୟାଦି।

 ଅଜିତ୍

ବଲିଉଡରେ ଜଣେ ଟପ୍ ଭିଲେନ୍ ଭାବେ ଏକଦା ପ୍ରତିଷ୍ଠା ଅର୍ଜନ କରିଥିଲେ ଅଜିତ୍। ତାଙ୍କୁ ଦର୍ଶକ ‘ଧର୍ମା’, ‘କାହାନୀ କିସ୍ମତ କି’, ‘ଛୁପା ରୁସ୍ତମ୍’, ‘ଛୋଟେ ସିକେ’, ‘କାଲିଚରଣ’, ‘ଚରସ୍’, ‘ଆଖରୀ ଗୋଲି’, ‘ୟାଦୋଁ କି ବାରାତ୍’ ଇତ୍ୟାଦି। ଅଜିତ୍ ଏକ ହିନ୍ଦୁ ନାମ ହେଲେ ବି ପ୍ରକୃତରେ ସେ ଜଣେ ମୁସଲମାନ। ତାଙ୍କର ନାମ ହେଲା ହାମିଦ୍ ଅଲ୍ଲୀ ଖାନ୍।

ଜଗଦୀପ୍

ପ୍ରାୟ ଚାରି ଦଶନ୍ଧି ଧରି ବଲିଉଡରେ ପରଦା ଉପରେ ନିଜର ଅଭିନୟ ଓ ଚାହାଣୀ ଦ୍ୱାରା ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଥିବା ଜଣେ ପ୍ରଖ୍ୟାତ କମେଡିଆନ୍ ହେଲେ ଜଗଦୀପ୍। ସେ ‘ଶୋଲେ’, ‘କିସ୍ମତ କା ଖେଲ୍’, ‘ଏଜେଣ୍ଟ ବିନୋଦ’, ‘କାଲିଘଟା’, ‘କୁରବାନୀ’, ‘ପୁରାନା ମନ୍ଦିର’ ଓ ‘ଅନ୍ଦାଜ୍ ଅପନା ଅପନା’ ସମେତ ଶହେରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ଜଗଦୀପଙ୍କ ପ୍ରକୃତ ନାମ ହେଲା -ସୟଦ ଇସ୍ତିୟାକ୍ ଅହମ୍ମଦ।

ନିମ୍ମି

‘ଦି ବାର”, “ଉଷାକିରଣ”, ‘ଆନ୍’, ‘ଦାଗ୍’, ‘ଅମର୍’, ‘କୁନ୍ଦନ’, ‘ଚାର୍ ପୈସେ’, ‘ରାଜଧାନୀ’ ଓ ‘ମେରେ ମେହେବୁବ୍’ ସମେତ ୫୦ରୁ ଅଧିକ ହିନ୍ଦୀ ସିନେମାର ଲୋକପ୍ରିୟ ନାୟିକା ହେଲେ ନିମ୍ମି। ସେ ବି ଜଣେ ମୁସଲିମ୍ ମହିଳା। ତାଙ୍କର ପ୍ରକୃତ ନାମ ହେଲା ନବାବ୍ ବାନୋ।

ମୀନା କୁମାରୀ

ଏକଦା ତାଙ୍କୁ ସମସ୍ତେ କହୁଥିଲେ ବଲିଉଡର ଟ୍ରାଜେଡି କୁଇନ୍। ତାଙ୍କର ସ୍କ୍ରିନ୍ ନେମ୍ ହେଲା ମୀନା କୁମାରୀ। ହଁ ଏହି ନାମରେ ସେ ହିନ୍ଦୀ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ କେତେକ ଉଲ୍ଲେଖନୀୟ ସିନେମା ମଧ୍ୟରେ ରହିଛି ‘ଲାଲ୍ ହଭେଲି’, ‘ପିୟା ଘର ଆଜା’, ‘ସାହିବ ବିବି ଔର୍ ଗୁଲାମ୍’, ‘ଏକ ହି ରାସ୍ତା’, ‘ଆଜାଦ୍’, ‘ସଟ୍ଟା ବଜାର’, ‘ଦିଲ ଏକ ମନ୍ଦିର’ ଇତ୍ୟାଦି। ହେଲେ ଆପଣ କ’ଣ ଜାଣନ୍ତି କି ମୀନା କୁମାରୀ ବି ଜଣେ ମୁସଲିମ୍। ତାଙ୍କର ପ୍ରକୃତ ନାମ ହେଲା-ମହଜବୀ ବାନୋ।

ଅର୍ଜୁନ୍

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ବି ଆର.ଚୋପ୍ରାଙ୍କ ବହୁ ଚର୍ଚ୍ଚିତ ପୌରାଣିକ ମେଗା ଧାରାବାହିକ ‘ମହାଭାରତ’ରେ ଅର୍ଜୁନ ଭୂମିକା ନିଭାଇବା ପରେ ଜଣେ ଅଭିନେତା ସେହି ଅର୍ଜୁନ ନାମକୁ ନିଜର ସ୍କ୍ରିନ୍ ନାଆଁ ଭାବେ ବ୍ୟବହାର କରିଲେ। ସେ ‘ଆ ଗଲେ ଲଗ୍‌ ଯା’, ‘ମିଷ୍ଟର ଆଜାଦ୍’, ‘ବାରୁଦ୍’, ‘ମେହେନ୍ଦୀ’, ‘ୟୁଗ’, ‘ସାଜନ ଚଲେ ଶଶୁରାଲ୍’, ‘ଆଦ୍‌ମୀ’ ଓ ‘କଲିକି ଆୱାଜ୍’ ସମେତ କେତେକ ହିନ୍ଦୀ ସିନେମାରେ ବି ଅଭିନୟ କରିଛନ୍ତି। ଅର୍ଜୁନଙ୍କ ପ୍ରକୃତ ନାମ ହେଲା ଫିରୋଜ୍ ଖାନ୍।

ଜନି ୱାକର

ପଚାଶରୁ ସତୁରି ଦଶକ ଶେଷ ଯାଏଁ ବଲିଉଡରେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ହାସ୍ୟାଭିନେତାମାନଙ୍କ ମଧ୍ୟରୁ ଜଣେ ହେଲେ ଜନି ୱାକର। ସେ ‘ଦେବଦାସ’, ‘ଚାର ପୈସେ’, ‘ସିଆଇଡି’, ‘ରାଜଧାନୀ’, ‘ଅଞ୍ଜାନା’, ‘ଦୋ ରୋଟି’, ‘ନୟୀ ଦୌର’, ‘କାଲା ପାନି’ ସମେତ ଶତାଧିକ ହିନ୍ଦୀ ସିନେମାରେ ନଜର ଆସିଥିଲେ। ଜନିଙ୍କ ପ୍ରକୃତ ନାମ ହେଲା-ବଦରୁଦ୍ଦିନ୍ ଜମାଲୁଦ୍ଦିନ୍ କାଜି।

ଶ୍ୟାମା

ପୁରୁଣା ସିନେମା ‘ଖେଲ ଖେଲ ମେଁ’, ‘କଙ୍ଗନ୍’, ‘ସାବନ୍ ଭାବୋ’, ‘ଜାନୱାର’, ‘ବହୁରାନୀ’, ‘ବରସାତ୍ କି ରାତ୍’, ‘ଅପନା ଘର’ ସମେତ କେତୋଟି ଫିଲ୍ମର ନାୟିକା ଶ୍ୟାମାଙ୍କ ପ୍ରକୃତ ନାମ ହେଲା ଖୁର୍ସିଦ୍ ଅଖତର୍।

Comment