ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଅସହ୍ୟ ତାତି ବଢ଼ିବ। ଏଥର ବି ଗରମରେ ଆଉଟୁପାଉଟୁ ହେବେ ରାଜ୍ୟବାସୀ। ଧୀରେ ଧୀରେ ତାପ ମାତ୍ରାରେ ବୃଦ୍ଧି ହେଉଥିବାରୁ ଦୁଇ ଦିନ ପରେ ଅର୍ଥାତ୍ ୧୬ ଏବଂ ୧୭ ତାରିଖ ତାହୁରି ତାତି ବଢିବ। ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିବ। ଗ୍ରୀଷ୍ମ ପ୍ରବାହ ନେଇ ୧୬ ତାରିଖ ଓ ୧୭ ତାରିଖ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଆସନ୍ତା ୧୬ ତାରିଖ ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୧୭ ତାରିଖ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ପଶ୍ଚିମ-ଉତ୍ତର ଦିଗରୁ ଶୁଷ୍କ ଏବଂ ଉତପ୍ତ ବାୟୁ ପ୍ରବାହ ଯୋଗୁଁ ତାତି ବଢିବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେବ। ପଶ୍ଚିମ ଓଡ଼ିଶାରେ ସ୍ଵାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ।

ଖୋର୍ଦ୍ଧା ଜିଲ୍ଲାରେ ହିଟଓ୍ଵେଭ୍ କଣ୍ଡିସନ୍ ସୃଷ୍ଟି ହେବାକୁ ଥିବାରୁ ଭୁବନେଶ୍ଵରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆସନ୍ତା ୨୧ ଓ ୨୨ ତାରିଖ ବେଳକୁ ତାତି ୪୪ ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Tag: #HeatWave #Summer #MetrologyDept #YelloWarning

Comment