ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ମହାମାରୀ ପାଇଁ ଦୁଇ ବର୍ଷ ଧରି ରାଜ୍ୟର ସମସ୍ତ ସ୍କୁଲରେ ବନ୍ଦ ରହିଥିଲା ମଧ୍ୟାହ୍ନ ଭୋଜନ। ଧୀରେ ଧୀରେ କୋଭିଡ ପ୍ରଭାବ କମିଥିବାରୁ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା। ଏହା ଆସନ୍ତା ଏପ୍ରିଲ ମାସଠାରୁ ଆରମ୍ଭ ହେବ। ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଦ୍ଵାରା ଅବଗତ କରାଯାଇଛି।

ଏପ୍ରିଲ ମାସଠାରୁ ରାଜ୍ୟର ସମସ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ପୁନର୍ବାର ଆରମ୍ଭ କରିବା ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ ଏମଡିଏମ୍ ୟୁନିଟ୍ ନୋଡାଲ ଅଫିସର। କୋଭିଡ ନିୟମ ପାଳନ କରାଯାଇ ସ୍କୁଲଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ଗତ ୨୦୨୦ ମସିହାଠାରୁ କୋଭିଡ ପରିସ୍ଥିତି ଅଣାୟତ ହେବାରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଥିଲା। ଫଳରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ ବନ୍ଦ କରାଯାଇଥିଲା। ଏବେ କୋଭିଡ ସଂକ୍ରମଣ କମି ଥିବାରୁ ପୁଣି ଥରେ ସ୍କୁଲଗୁଡ଼ିକରେ ପିଲାଙ୍କୁ ମଧ୍ୟାହ୍ନ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ସ୍କୁଲ ପରିସର ଏବଂ ରୋଷେଇଶାଳାକୁ ସାନିଟାଇଜ କରାଯିବା ସହ ବାସନକୁସନ ଆଦି ପରିସ୍କାର ପରିଚ୍ଛନ୍ନ ରଖିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

ଦୁଇ ବର୍ଷ ଧରି ସ୍କୁଲଗୁଡ଼ିକ ବନ୍ଦ ରହିଥିବାରୁ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ଟଙ୍କା ପ୍ରଦାନ କରାଯାଉଥିଲା। ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଥିଲା। ଆଉ କିଛି ସ୍ଥାନରେ ଚାଉଳ ଓ ଡାଲି ଦିଆଯାଉଥିଲା। କୋଭିଡ ପ୍ରଭାବ କମି ଥିବାରୁ ପୂର୍ବଭଳି ଏବେ ସ୍କୁଲଗୁଡ଼ିକ ଖୋଲିଛି। କୋଭିଡ ନିୟମ ଅନୁସାରେ ସ୍କୁଲଗୁଡ଼ିକରେ ପାଠପଢ଼ା ଚାଲିଛି। ପିଲାମାନେ ଯେପରି ସ୍କୁଲରେ ଭୋକିଲା ନରହିବେ ସେଥିପାଇଁ ରାଜ୍ୟ ସରକାର ପୁଣି ଥରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Tags: #Schools #Covid19 #Corona #CoronaVirus #MidDayMeal #MDM #GovtOdisha

Comment