ଡକ୍ଟର ଫକୀର ମୋହନ ନାହାକTelevision Katha

‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ଆମେ ଟେଲିଭିଜନରେ କାମ ଆରମ୍ଭ କରିବା ପରେ ସବୁଠୁ ବଡ଼ ଆହ୍ୱାନ ଥିଲା, ନିଜର ଦୋଷତ୍ରୁଟି ସୁଧାରିବା। କାରଣ ନୂଆପିଢ଼ିର ଅଧିକାଂଶ ତରୁଣ ଏବଂ ଦୁଇ ତିନି ଜଣ ସାମାନ୍ୟ ଅଭିଜ୍ଞ ଲୋକଙ୍କୁ ନେଇ ଗଢ଼ିଉଠିଥିବା ଈଟିଭି ଓଡ଼ିଆ ଟିମ୍ ଆରମ୍ଭରୁ ହିଁ ଆପଣା ସିଙ୍ଗରେ ମାଟିତାଡ଼ିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା। ତେଣୁ ପ୍ରତିଦିନ ନ୍ୟୁଜ୍ ଡେସ୍କରେ ପ୍ରସ୍ତୁତ ହେଉଥିବା ଖବରରେ କୌଣସି ତ୍ରୁଟିବିଚ୍ୟୁତି ଥିଲେ, ତାକୁ ସୁଧାରିବା କାମ ବି ସେଇଠି ହେଉଥିଲା। ସେଥିପାଇଁ ପ୍ରତିଦିନ ନ୍ୟୁଜ୍ ଡେସ୍କରେ ବସୁଥିଲା ଏକ ବୈଠକ। ଯାହାକୁ କୁହାଯାଉଥିଲା ଡେସ୍କ ମିଟ୍। ସକାଳ ସିଫ୍ଟରେ ଆସି କାମ କରୁଥିବା ସଂପାଦକୀୟ ଟିମ୍ ଉପରଓଳି ସିଫ୍ଟରେ ଆସିଥିବା ସମ୍ପାଦକୀୟ ଟିମକୁ ପ୍ରତିଦିନର ବିଭିନ୍ନ ଖବର ଏବଂ ତାର ପରବର୍ତ୍ତୀ ଫଲୋଅପ୍ ସମ୍ପର୍କରେ ସୂଚନା ଦେଇଥାଏ।ଅନ୍ୟପକ୍ଷରେ ପୂର୍ବଦିନ ରାତିରୁ ସେଦିନ ଦ୍ୱିପ୍ରହର ଯାଏଁ ପ୍ରସାରିତ ସବୁ ବୁଲେଟିନରେ ଯାହା କିଛି ଭୁଲଭଟକା ଯାଇଥାଏ, ତାହାର ଏକ ଚିଠା ପ୍ରସ୍ତୁତ ହୋଇ ରହିଥାଏ। କାରଣ ବୁଲେଟିନ୍ ଚାଲିଥିଲା ବେଳେ ହିଁ ସେହି ଟିମରେ କାମ କରୁଥିବା ଜଣେ କପିଏଡିଟର କିମ୍ବା ଡେସ୍କର ଯେକୌଣସି ସଦସ୍ୟ ବୁଲେଟିନକୁ ମନିଟରିଂ କରନ୍ତି। ତାଙ୍କ ଦୃଷ୍ଟିରେ ପଡ଼ିଥିବା ସମସ୍ତ ତ୍ରୁଟିବିଚ୍ୟୁତି ଏକ ମନିଟରିଂ ରେଜିଷ୍ଟରରେ ସେ ଲେଖନ୍ତି। ଏହାର ଫଳସ୍ୱରୂପ, ଭୁଲଟି କରିଥିବା ସମ୍ପୃକ୍ତ ଆଙ୍କର, କପି ଏଡିଟର ବା ପାନେଲ ପ୍ରଡ୍ୟୁସର ତାକୁ ତୁରନ୍ତ ସୁଧାରିବା ସହିତ, ଭୁଲ୍ ଥିବା ତଥ୍ୟର ଯେଭଳି ପୁନଃ ପ୍ରସାରଣ ନହୁଏ, ସେଥିପ୍ରତି ଯତ୍ନବାନ୍ ହୁଅନ୍ତି। କାହାକୁ ଆକ୍ଷେପ ବା ପ୍ରତିଆକ୍ଷେପ କରିବା ଏହି ଡେସ୍କ ମିଟ୍‌ର ଉଦ୍ଦେଶ୍ୟ ନଥିଲା, ବରଂ ନିଜ ଗୁଣବତ୍ତାର ବୃଦ୍ଧି ନିମନ୍ତେ ଈଟିଭି ନ୍ୟୁଜ୍ ଟିମର ଏହା ଥିଲା ନିରନ୍ତର ପ୍ରୟାସ। କେବଳ ସେତିକି ନୁହେଁ, ଭଲ ଭାବରେ ଷ୍ଟୋରି ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କୁ କରତାଳି ସହିତ ପ୍ରୋତ୍ସାହିତ କରାଯାଉଥିଲା ବେଳେ, ଭୁଲର ପୁନରାବୃତ୍ତି ନକରିବା ପାଇଁ ସମସ୍ତଙ୍କୁ ପ୍ରେରଣା ବି ଦିଆଯାଉଥିଲା।ସେହି ସମୟରେ ରାଜ୍ୟ ତଥା ରାଜ୍ୟବାହାରେ ରହୁଥିବା ଓଡ଼ିଆ ଦର୍ଶକମାନେ ଈଟିଭି ନ୍ୟୁଜ୍ ଡେସ୍କକୁ ବହୁ ସଂଖ୍ୟାରେ ଚିଠି ଲେଖୁଥାନ୍ତି। ଅଧିକାଂଶ ଦିନ ଡେସ୍କ୍ ମିଟ ସମୟରେ ସେଦିନ ଆସିଥିବା ଚିଠିକୁ ସମସ୍ତଙ୍କ ସମ୍ମୁଖରେ ପଢ଼ାଯାଏ। ଏମିତି ହିଁ ଦିନେ ବହୁସଂଖ୍ୟାରେ ସମ୍ପାଦକୀୟ ସଦସ୍ୟ ଉପସ୍ଥିତ ଥିଲା ବେଳେ ଡେସ୍କ ମିଟରେ ପଢ଼ାଗଲା ଏକ ଚିଠି। ଅନୁଗୁଳ ଜିଲ୍ଲାରୁ ଆସିଥିବା ଏହି ଚିଠିରେ ଜଣେ ଦର୍ଶକ ନିଜର କ୍ଷୋଭ ପ୍ରକାଶ କରିଥିଲେ। ସେଥିରେ ଲେଖାଥିଲା, “ଆପଣମାନଙ୍କଠାରୁ ଏମିତି ଭୁଲ୍ ଆଶା କରାଯାଏନି। ଟିଭି ପରଦାରେ ଆପଣ ଲେଖୁଥିବା ତଥ୍ୟରେ ଯଦି ଭୁଲ୍ ଭଟକା ରହିଲା, ବା ବନାନଗତ ଅଶୁଦ୍ଧି ରହିଲା, ତାହେଲେ ସେଥିରୁ ଆମ ପିଲାମାନେ କଣ ଶିଖିବେ? ଆପଣଙ୍କଠାରୁ ନିୟମିତ ଭାବେ ଆମ ପିଲାମାନେ ଶୁଦ୍ଧ ଓଡ଼ିଆ ଭାଷା ଶିଖିବା ସହିତ ଆପଣମାନଙ୍କ ଦ୍ୱାରା ପରିବେଷିତ ଅଧିକାଂଶ କଥାକୁ ଶିଖନ୍ତି। ତେଣୁ ଦୟାକରି ଏହି ଦିଗଟି ପ୍ରତି ଧ୍ୟାନ ଦେବେ।” ଏତିକି କଥାରୁ ନିଶ୍ଚିତ ଭାବେ ଜାଣି ପାରୁଥିବେ ସମସ୍ତେ ଯେ, ସାଧାରଣ ଦର୍ଶକମାନଙ୍କ ସହିତ କିଭଳି ଭାବେ ଯୋଡ଼ି ହୋଇଥିଲା ଈଟିଭି।ଏହି ଚିଠିରେ ଥିବା ତଥ୍ୟ ଆମ ସମସ୍ତଙ୍କ ଆଖି ଖୋଲିଦେବା ଲାଗି ଏକ ଆହ୍ୱାନ ଥିଲା। ଆଜି ବି ସେହିଦିନର ସେହି ଚିଠି କଥା ମନେ ପଡ଼ିଲେ ଲୋମ ଟାଙ୍କୁରୀ ଉଠେ। ଲୋକଙ୍କ ବିଶ୍ୱାସଭାଜନ ହେବା କେତେ କଷ୍ଟ ଏବଂ ଏହା ହରାଇବାକୁ ଯେ ମାତ୍ର କିଛି ମୁହୂର୍ତ୍ତ ହିଁ ଲୋଡ଼ା, ତାହା ସ୍ପଷ୍ଟ ହେଉଥିଲା। ସାରାଜୀବନ ପାଇଁ ସେଇଟା ଯେ ଏକ ଶିକ୍ଷା ଥିଲା, ସେଥିରେ ସନ୍ଦେହ ନାହିଁ। ଟେଲିଭିଜନ ସାମ୍ବାଦିକତା କେବଳ ଘଟଣାସ୍ଥଳକୁ ଯାଇ କ୍ୟାମେରାରେ ଚିତ୍ରୋତ୍ତୋଳନ କରି ଖବରକୁ ନ୍ୟୁଜ୍ ସେଣ୍ଟରରେ ପହଞ୍ଚାଇଦେବା ଭିତରେ ସୀମିତ ନୁହେଁ। ଏଥିପାଇଁ ବିଭିନ୍ନ ବେଷୟିକ ଜ୍ଞାନକୌଶଳ ସାଙ୍ଗକୁ ସୃଜନଶୀଳତାର ବି ଆବଶ୍ୟକତା ରହିଛି। ତେଣୁ ବିଭିନ୍ନ ସମୟରେ ଡେସ୍କରେ କାମ କରୁଥିବା କପି ଏଡିଟର ଏବଂ ପ୍ରଡ୍ୟୁସରଙ୍କ ସମେତ ନ୍ୟୁଜ୍ ଆଙ୍କର ଏବଂ ଡେସ୍କର ଅନ୍ୟ ସଦସ୍ୟମାନଙ୍କ ପାଇଁ ନିୟମିତ ସମୟ ବ୍ୟବଧାନରେ ଆୟୋଜିତ ହେଉଥିଲା ବିଭିନ୍ନ କର୍ମଶାଳା।ଦୂରଦର୍ଶନ ଏବଂ ଜୀ ମିଡିଆର ପ୍ରାରମ୍ଭିକ ପର୍ଯ୍ୟାୟରେ କାମ କରିଥିବା ବରିଷ୍ଠ ଉପସ୍ଥାପକ ତଥା ଦେଶର ଅନ୍ୟତମ ଜଣାଶୁଣା ଭଏସ୍ ଓଭର ଆର୍ଟିଷ୍ଟ ଡକ୍ଟର ଜିତେନ୍ଦ୍ର ରାମ ପ୍ରକାଶ, ଭଏସ୍ ଓଭର ଏବଂ ଆଙ୍କରିଂ ଉପରେ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରିଥିଲେ। ଏଥିରେ ଈଟିଭି ଓଡ଼ିଆରୁ ବିଭୂତି ବିଶ୍ୱାଳ, ମୃଣାଳକାନ୍ତି ନନ୍ଦ, ରାଜଶ୍ରୀ ମହାପାତ୍ର, ଭବାନୀ ଶଙ୍କର ମହାପାତ୍ର, ଶକ୍ତିସାଇ ମିଶ୍ର, ଇତିଶ୍ରୀ ନାୟକ ଏବଂ ମୌସୁମୀ ମହାନ୍ତିଙ୍କ ସମେତ ଆହୁରି ଅନେକ ସଦସ୍ୟ ସ୍ୱତନ୍ତ୍ର ତାଲିମ ପାଇବାରେ ସକ୍ଷମ ହୋଇଥିଲେ। ଏହାସହ ନ୍ୟୁଜ୍ ଆଙ୍କରମାନଙ୍କୁ ଅପଡେଟ୍ ରଖିବା ସହିତ ସେମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ନିରନ୍ତର ଭାବେ ଧ୍ୟାନ ଦିଆଯାଉଥିଲା। ପୂରା ଈଟିଭି ନେଟୱର୍କ ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇ, ତାହାରି ପ୍ରଚେଷ୍ଟାରେ ନିୟମିତ ଭାବେ ଆଙ୍କରମାନଙ୍କ ପରୀକ୍ଷା କରାଯାଉଥିଲା।

ଏହାବ୍ୟତୀତ ପ୍ରତିଦିନ ଲେଖାଯାଉଥିବା ଖବରରେ କିଭଳି ଭାବେ ଏକ ମାନକ ଭାଷା ବ୍ୟବହାର କରାଯାଇପାରିବ, ଏହାକୁ କିଭଳି ତ୍ରୁଟିଶୂନ୍ୟ କରାଯାଇପାରିବ, ଏଥିରେ ସମାନତା ବଜାୟ ରଖିହେବ, ସେଥିପାଇଁ ନିୟମିତ ପ୍ରୟାସ କରିଥିଲା ଈଟିଭି ଓଡ଼ିଆ। ପୂରା ନେଟୱର୍କର ପ୍ରଥମ ଚାନେଲ ଭାବେ ଏବଂ ରାଜ୍ୟର ଏକମାତ୍ର ଚାନେଲ ଭାବେ ପ୍ରସ୍ତୁତ କରିଥିଲା ନିଜସ୍ୱ ଷ୍ଟାଇଲ୍ ସିଟ୍। ବିଶିଷ୍ଟ ଶିକ୍ଷାବିତ୍ ତଥା ଭାଷାବିତ୍ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା ଏକ ମୁଦ୍ରିତ ଏବଂ ପ୍ରକାଶିତ ପୁସ୍ତକ- “ଈଟିଭି ଭାଷା ସହଚର”। ଏହାରି ପଛରେ ମୂଳ ଉଦ୍ଦେଶ୍ୟ ଥିଲା ଈଟିଭି ନ୍ୟୁଜ୍ ଓଡ଼ିଆର ସମସ୍ତଙ୍କୁ ସେହି ଷ୍ଟାଇଲ୍ ସିଟ୍- ଈଟିଭି ଭାଷା ସହଚର ପ୍ରଦାନ କରିବା ସଙ୍ଗେ ସଙ୍ଗେ, ଏହାରି ସହାୟତାରେ ଦର୍ଶକଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ବୁଲେଟିନ୍ ଉପହାର ଦେବା।

ଗୁଣବତ୍ତା ଉପରେ ଗୁରୁତ୍ୱ ଦିଆଯିବା ଫଳରେ, ଡେସ୍କ ଏବଂ ଫିଲ୍‌ଡରେ କାମ କରୁଥିବା ଈଟିଭିଆନମାନେ ନିଜର ପେସାଗତ ଜୀବନରେ ଉନ୍ନତି କରିବାରେ ସକ୍ଷମ ହେଲେ। ତା ସହିତ ଦର୍ଶକଙ୍କ ଦୃଷ୍ଟିକୋଣରୁ ଦେଖିଲେ ଜାଣିହୁଏ ଯେ, ଏହା ସେମାନଙ୍କୁ ତ୍ରୁଟିଶୂନ୍ୟ ଖବର ଏବଂ ତଥ୍ୟ ପାଇବାରେ ସହାୟକ ହେଲା। ସେ ଟେଲିଭିଜନକୁ ନେଇ ବୈଷୟିକ ଜ୍ଞାନକୌଶଳ ହେଉ ବା ରିପୋର୍ଟିଂ, କ୍ୟାମେରା ହେଣ୍ଡଲିଂ, ଡିଏନଜି ଅପରେସନ୍, ଘଟଣାସ୍ଥଳରୁ ଲାଇଭ୍ ରିପୋର୍ଟିଂ, ଭିଜୁଆଲ ଏଡିଟିଂ, ଭଏସ୍ ଓଭର ଏବଂ ଆଙ୍କରିଂ, ସବୁ କ୍ଷେତ୍ରରେ ଈଟିଭିଆନ୍‌ମାନଙ୍କୁ ସୁଦକ୍ଷ କରାଇବା ପାଇଁ ନିୟମିତ ଭାବେ ଆୟୋଜିତ ହେଉଥିଲା ସ୍ୱତନ୍ତ୍ର ତାଲିମ୍, ପ୍ରଶିକ୍ଷଣ ଶିବିର ଏବଂ କର୍ମଶାଳା।କେବଳ ସେତିକି ନୁହେଁ, ରିପୋର୍ଟର, କପିଏଡିଟର ଏବଂ ଭିଜୁଆଲ ଏଡିଟରଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପୂରା ନେଟୱର୍କର ସମସ୍ତ ଚାନେଲଙ୍କ ମଧ୍ୟରେ ପ୍ରତିଦିନ ଚାଲୁଥିଲା ଏକ ନିଆରା ପ୍ରତିଯୋଗିତା। ତାହା ଥିଲା ଈଟିଭି ବେଷ୍ଟ ଷ୍ଟୋରି କମ୍ପିଟିସନ୍। ପ୍ରତ୍ୟେକ ଚାନେଲର ସମ୍ପାଦକୀୟ ଟିମ୍ ସେହି ଦିନ ନିଜ ଚାନେଲରେ ପ୍ରସାରିତ ସମସ୍ତ ଷ୍ଟୋରି ମଧ୍ୟରୁ ଗୋଟିଏ ଶ୍ରେଷ୍ଠ ଷ୍ଟୋରି ବାଛି, ତାକୁ ଇଂରାଜୀରେ ଭାଷାନ୍ତର କରି ନେଟୱର୍କର ସମସ୍ତଙ୍କ ଅବଗତି ନିମନ୍ତେ, ସମସ୍ତଙ୍କ ପାଇଁ ଉପଲବ୍ଧ ଏକ ସ୍ୱତନ୍ତ୍ର ଫୋଲଡରରେ ତାକୁ ପକାଉଥିଲେ। ପୂରା ନେଟୱର୍କରୁ ପ୍ରତିନିଧିମାନଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ସମ୍ପାଦନାମଣ୍ଡଳୀ ସେହି ସମସ୍ତ ଷ୍ଟୋରି ଦେଖି ତାର ମୂଲ୍ୟାୟନ କରୁଥିଲେ। ଶେଷରେ ସେଦିନର ଶ୍ରେଷ୍ଠ ଷ୍ଟୋରିକୁ ନ୍ୟାସନାଲ କୋର୍ ଡେସ୍କରେ ଥିବା ପବ୍ଲିକ୍ ଆନାଉନସମେଣ୍ଟ ସିଷ୍ଟମ ଜରିଆରେ ଘୋଷଣା କରାଯାଉଥିଲା। ଯାହାଫଳରେ ବିଜୟୀ ଡେସ୍କରେ ସେହି ସମୟରେ ସୃଷ୍ଟି ହେଉଥିଲା ଏକ ଆନନ୍ଦମୟ ପରିବେଶ। ଏହି ଭଳି ଆୟୋଜନ ଡେସ୍କ ଏବଂ ଫିଲଡ୍ ସବୁଠି କାମ କରୁଥିବା ଲୋକଙ୍କୁ ପ୍ରୋତ୍ସାହିତ କରିବାରେ ସହାୟକ ହୋଇପାରିଥିଲା। ଏହାସହ ସମସ୍ତଙ୍କ ମଧ୍ୟରେ ଏକ ପ୍ରତିଯୋଗୀ ମନୋଭାବ ମୁଣ୍ଡଟେକିବା ଫଳରେ ସମସ୍ତେ ନିଜ କାମରେ ଗୁଣବତ୍ତା ଉପରେ ଗୁରୁତ୍ୱ ଦେଲେ। ପ୍ରକାରାନ୍ତରେ ଏହା ଚାନେଲର ଲୋକପ୍ରିୟତା ବଢ଼ାଇବା ସାଙ୍ଗକୁ ଦର୍ଶକଙ୍କୁ ଉଚ୍ଚମାନର ତଥ୍ୟ ଓ କାର୍ଯ୍ୟକ୍ରମ ଯୋଗାଇବାରେ ସକ୍ଷମ ହୋଇପାରିଥିଲା।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tag: #ETVOdia #ETVOriya #DrFakirMohanNahak #JourneyofTelevisioninOdisha #ଡକ୍ଟରଫକୀରମୋହନନାହାକ #ଈଟିଭିଓଡ଼ିଆ

LEAVE A REPLY

Please enter your comment!
Please enter your name here