ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ଏବଂ କଟକ ପରେ ଏବେ ପୁରୀ ସହରରେ ଗଡ଼ିବ ମୋ ବସ୍। ପୁରୀ ସହରରେ ପହଞ୍ଚିବ ରାଜ୍ୟ ସରକାରଙ୍କ ମୋ ବସ୍ ସେବା। ଏପ୍ରିଲ ୧ ତାରିଖରୁ ପୁରୀରେ ମୋ ବସ୍ ସେବା ଆରମ୍ଭ ହେବା ନେଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି।

ଦୀର୍ଘ ୪ ବର୍ଷ ଧରି ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଏବଂ ପୁରୀ ଭଳି ପ୍ରମୁଖ ସହରାଞ୍ଚଳରେ ମୋ ବସ୍ ସେବା ଚାଲିଛି। ସାଧାରଣ ଯାତ୍ରୀ ମୋ ବସ୍ ଯୋଗୁଁ ବେଶ୍ ଉପକୃତ ହୋଇପାରୁଛନ୍ତି। ପୂର୍ବରୁ ପୁରୀ ଜିଲ୍ଲାରେ ୨ଟି ରୁଟ୍‌ରେ ଏକ୍ସପ୍ରେସ୍ ସେବା ଜାରି ରହିଛି। କିନ୍ତୁ ଆସନ୍ତା ଏପ୍ରିଲ ପହିଲାରୁ ପୁରୀ ସହର ମଧ୍ୟରେ ମୋ ବସ୍ ଚଳାଚଳ ଆରମ୍ଭ ହେବ।

୫୨ ନମ୍ବର ରୁଟ୍‌ରେ ପୁରୀ ବସ୍ ଷ୍ଟାଣ୍ଡରୁ ରେଳ ଷ୍ଟେସନ୍‌, ସସୁଦ୍ର କୂଳ, ସ୍ୱର୍ଗଦ୍ୱାର ଦେଇ ଲାଇଟ୍ ହାଉସ୍ ପର୍ଯ୍ୟନ୍ତ ମୋ ବସ୍ ଚାଲିବ। ସେହିପରି ୫୩ ନମ୍ବର ରୁଟ୍‌ରେ ମାଳତୀପାଟପୁରଠାରୁ ଅଠରନଳା ରାସ୍ତା ଦେଇ ପୁରୀ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ମୋ ବସ୍ ଚଳାଚଳ କରିବ। ପୁରୀରେ ମୋ ବସ୍ ସେବା ଆରମ୍ଭ ହେବା ଦ୍ଵାରା କେବଳ ପୁରୀ ବାସିନ୍ଦା ନୁହଁନ୍ତି ପର୍ଯ୍ୟଟକମାନେ ମଧ୍ୟ ଉପକୃତ ହୋଇପାରିବେ।

ଯାତ୍ରୀଙ୍କ ଅନୁରୋଧ ପରେ କ୍ରୁଟ୍ ପକ୍ଷରୁ ପୁରୀ ସହର ମଧ୍ୟରେ ମୋ ବସ୍ ସେବା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ। ସେ କହିଛନ୍ତି ପୁରୀ ଓ କୋଣାର୍କ ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ ତୀର୍ଥକ୍ଷେତ୍ର ହୋଇଥିବାରୁ ଏଠାକୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଏହି ରୁଟଗୁଡ଼ିକରେ ମୋ ବସ ସେବା ଆରମ୍ଭ ହେଲେ ସ୍ଥାନୀୟ ଲୋକଙ୍କ ସହ ବାହାରୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ସୁବିଧାରେ ପୁରୀରେ ପହଞ୍ଚି ପାରିବେ। ପୂର୍ବରୁ ଭୁବନେଶ୍ୱରରୁ ସିଧାସଳଖ ପୁରୀ ଏବଂ କୋଣାର୍କକୁ ମୋ ବସ୍ ସେବା ଚାଲିଛି।

Tags: #MoBus #MoBusService #MoBusServiceinPuri #OdishaGovt

Comment