ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁଲାଇ ମାସରେ ହେବ ରାଜ୍ୟସଭା ନିର୍ବାଚନ। କିଏ ଏହି ରେସ୍‌ରେ ସାମିଲ ହେବେ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା।

ଓଡ଼ିଶାର ତିନି ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ ଏବଂ ସସ୍ମିତ ପାତ୍ର। ଗତ ମାର୍ଚ୍ଚ ୩୧ ତାରିଖରେ ସାଂସଦ ଭାବେ ଏମାନଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏଣେ ରାଜ୍ୟସଭା ସାଂସଦ ଥିବା ସୁବାସ ସିଂ ବର୍ତ୍ତମାନ କଟକ ମହାନଗର ନିଗମର ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ସେ ମଧ୍ୟ ନିଜ ପଦବୀ ଛାଡ଼ିବେ। ଏହି ଚାରି ରାଜ୍ୟସଭା ସାଂସଦ ପଦବୀ ପୂରଣ ପାଇଁ କିଏ ରେସ୍‌ରେ ସାମିଲ ହେବେ ତା’ ଉପରେ ଏବେ ସମସ୍ତଙ୍କ ନଜର।

ଶେଷ ହୋଇଛି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ପୌର ନିର୍ବାଚନ ମଧ୍ୟ ସରିଛି। ଆସନ୍ତା ଜୁଲାଇ ମାସରେ ରାଜ୍ୟର ୪ଟି ରାଜ୍ୟସଭା ସଦସ୍ୟ ପଦ ପାଇଁ ନିର୍ବାଚନ ହେବ। ରାଜ୍ୟ ବିଧାନସଭାର ସ୍ଥିତିକି ଦେଖିଲେ ବିଜେଡି ୪ଟି ଯାକ ରାଜ୍ୟସଭା ସଦସ୍ୟ ପଦବୀ ହାତେଇବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ପୂର୍ବ ରାଜ୍ୟସଭା ନିର୍ବାଚନ ବେଳେ ବିଜେପି ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା ବିଜେଡି। ଚଳିତ ଥର ଯଦି ବିଜେଡି ପୁନର୍ବାର ବିଜେପିର କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିବ ତେବେ ଓଡ଼ିଶାରୁ ସେ ରାଜ୍ୟସଭା ସଦସ୍ୟ ନିର୍ବାଚିତ ହୋଇପାରିବେ ବୋଲି କୁହାଯାଉଛି।

ରାଜ୍ୟସଭାରେ କାର୍ଯ୍ୟକାଳ ପୂର୍ଣ୍ଣ କଲେ ପ୍ରସନ୍ନ ଆଚାର୍ଯ୍ୟ ଓ ଏନ୍ ଭାସ୍କର ରାଓ

ରାଜ୍ୟସଭାରେ ଓଡ଼ିଶାର ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ଏନ.ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଗତ ମାର୍ଚ୍ଚ ୩୧ ତାରିଖରେ ଶେଷ ହୋଇଛି। ତେବେ ଉଭୟ ପ୍ରସନ୍ନ ଆଚାର୍ଯ୍ୟ ଏବଂ ଏନ ଭାସ୍କର ରାଓ ଗତ ୨୦୧୬ ଜୁଲାଇ ୨ ତାରିଖରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏହି ଦୁଇ ନେତା ନିୟମ ଅନୁଯାୟୀ ସେମାନଙ୍କର ୬ ବର୍ଷର କାର୍ଯ୍ୟକାଳ ଶେଷ କରିଛନ୍ତି।

ପୂର୍ଣ୍ଣ ଅବଧି ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇନଥିଲେ ସସ୍ମିତ

ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ମଧ୍ୟ ମାର୍ଚ୍ଚ ୩୧ ତାରିଖରେ ଶେଷ ହୋଇଛି। ପୂରା ଅବଧିପାଇଁ ସସ୍ମିତ ପାତ୍ର ରାଜ୍ୟସଭାକୁ ନିର୍ବାଚିତ ହୋଇନଥିଲେ। ବିଧାୟକ ଭାବେ ନିର୍ବାଚିତ ହେବାରୁ କାର୍ଯ୍ୟକାଳ ପୂରଣର ୪ ବର୍ଷ ପୂର୍ବରୁ ପ୍ରତାପ ଦେବ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଏହି ଆସନ ଖାଲି ପଡ଼ିଥିଲା। ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ସସ୍ମିତ ପାତ୍ର ବିଜେଡି ପକ୍ଷରୁ ନିର୍ବାଚିତ ହୋଇଥିଲେ। ୨୦୧୯ ଜୁନ ୨୯ ତାରିଖରେ ସେ ନିଜ ପଦବୀରେ ଯୋଗ ଦେଇଥିଲେ। 

ସେହି ସମୟରେ ସୌମ୍ୟ ରଂଜନ ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଅମର ପଟ୍ଟନାୟକ ଅଚ୍ୟୁତ ସାମନ୍ତଙ୍କ ସ୍ଥାନ ନେଇଥିଲେ। ସେହିପରି ବିଜେପି ପକ୍ଷରୁ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ସ୍ଥାନ ନେଇଥିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଏହି ଦୁଇ ଜଣଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ତାରିଖରେ ଶେଷ ହେବ।

ରାଜ୍ୟସଭା ସାଂସଦ ଥିବା ସୁବାସ ସିଂ କଟକ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ସେ ମେୟର ପଦବୀରେ ରହିଥିବାରୁ ଏବେ ରାଜ୍ୟସଭାରୁ ଇସ୍ତଫା ଦେବେ। ସୁବାସ ସିଂ ୨୦୨୦ ଏପ୍ରିଲ ୩ ତାରିଖରେ ରାଜ୍ୟସଭା ସଦସ୍ୟ ପଦବୀରେ ଯୋଗ ଦେଇଥିଲେ। ତାଙ୍କ ଇସ୍ତଫା ପରେ ଆଉ ୪ ବର୍ଷର କାର୍ଯ୍ୟକାଳ ପାଇଁ ଅନ୍ୟ ଜଣେ ତାଙ୍କ ସ୍ଥାନ ନେବେ।

କିଏ ଯିବ ରାଜ୍ୟସଭାକୁ?

ଏବେ ସମସ୍ତଙ୍କ ମନରେ ଉତ୍କଣ୍ଠା କିଏ ଯିବ ରାଜ୍ୟସଭାକୁ। ଚାରି ରାଜ୍ୟସଭା ଆସନ ପାଇଁ ବିଜେଡିର ଅନେକ ଦାବିଦାର ରହିଛନ୍ତି।

ଚର୍ଚ୍ଚାରେ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାଁ

ପୂର୍ବତନ ଲୋକସଭା ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ରାଜ୍ୟସଭା ଯିବାକୁ ଅପେକ୍ଷାରେ ରହିଛନ୍ତି। ପୂର୍ବରୁ ତାଙ୍କୁ ଏଥିପାଇଁ ଖୋଦ ବିଜେଡି ସୁପ୍ରିମୋ ପ୍ରତିଶ୍ରୁତି ଦେଇଥିବା କଥା ସେ ବିଭିନ୍ନ ଗଣମାଧ୍ୟମକୁ କହିଛନ୍ତି। ଯଦି ସୁପ୍ରିମୋ ନିଜ କଥା ରଖନ୍ତି ତେବେ ପ୍ରସନ୍ନ ପାଟ୍ଟଶାଣୀ ରାଜ୍ୟସଭା ସଦସ୍ୟ ହେବା ବାଟ ଖୋଲିଯିବ।

ପ୍ରଦୀପ ମାଝି ରେସ୍‌ରେ ସାମିଲ

କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ଦଳ ଛାଡ଼ି ୨୦୨୧ ନଭେମ୍ବର ମାସରେ ବିଜେଡିରେ ଯୋଗ ଦେଇଥିଲେ। ତାଙ୍କ ନେତୃତ୍ଵ ଉପରେ ବିଜେଡି ସରକାରଙ୍କର ଭରସା ମଧ୍ୟ ରହିଛି। ଆଗାମୀ ଦିନରେ ତାଙ୍କୁ କୌଣସି ଗୁରୁଦାୟିତ୍ଵ ଦିଆଯିବା କଥା ମଧ୍ୟ ଚର୍ଚ୍ଚାକୁ ଆସିଛି। ରାଜନୀତି କ୍ଷେତ୍ରରେ ତାଙ୍କର ଦକ୍ଷତାକୁ ଦେଖି ରାଜ୍ୟସଭା ରେସରେ ତାଙ୍କୁ ସାମିଲ କରାଯିବ ବୋଲି ମଧ୍ୟ କୁହାଯାଉଛି।

ପ୍ରଫୁଲ ଘଡ଼େଇଙ୍କ ନାଁକୁ ନେଇ ଚର୍ଚ୍ଚା

ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ଦଳକୁ ଫେରିବା ପରେ ସେ କୌଣସି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ପାଇନାହାନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ କୌଣସି ବଡ଼ ସରପ୍ରାଇଜ ଦେଇପାରନ୍ତି ବୋଲି କୁହାଯାଉଛି। ତେଣୁ ଏହି କାରଣକୁ ନେଇ ତାଙ୍କୁ ରାଜ୍ୟସଭାରେ ସାମିଲ କରାଯିବ ବୋଲି ମଧ୍ୟ କଥା ଉଠୁଛି।

ଅରୂପ ପଟ୍ଟନାୟକ ସାମିଲ ହୋଇପାରନ୍ତି

୨୦୧୯ ଲୋକସଭା ନିର୍ବାଚନରେ ଭୁବନେଶ୍ଵରରୁ ନିର୍ବାଚନ ଲଢ଼ି ହାରି ଯାଇଥିବା ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ଅରୂପ ପଟ୍ଟନାୟକଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛି। ୨୦୧୮ ଏପ୍ରିଲ ୧୮ ତାରିଖରେ ବିଜେଡିରେ ଯୋଗ ଦେଇଥିଲେ ଅରୂପ ପଟ୍ଟନାୟକ। ଜଣେ ଦକ୍ଷ ଅଧିକାରୀ ଭାବେ ନିଜର ଦାୟିତ୍ଵ ଏବଂ କର୍ତ୍ତବ୍ୟ ସମ୍ପନ୍ନ କରିଥିବା ଅରୂପ ପଟ୍ଟନାୟକ ଏହି ଦୌଡ଼ରେ ସାମିଲ ହୋଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ପୁଣି ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କୁ ମିଳିବ ସୁଯୋଗ!

ଦଳର ଦୁଇ ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କୁ ପୁଣି ଥରେ ରାଜ୍ୟସଭାକୁ ଯିବା ପାଇଁ ସୁଯୋଗ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସେହିପରି ବହ୍ମପୁରର ବିଜେଡି ନେତା ରମେଶ ଚ୍ୟାଉ ପଟ୍ଟନାୟକଙ୍କ ନାଁ ମଧ୍ୟ ଏହି ରେସ୍‌ରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଚଳିତ ଥର କୌଣସି ମହିଳାଙ୍କୁ ମଧ୍ୟ ରାଜ୍ୟସଭାରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି।

Tags: #RajyasabhaElection #RajyasabhaMembers #MP

Comment