ଡକ୍ଟର ଫକୀର ମୋହନ ନାହାକTelevision Katha

‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ସରକାର ଏବଂ ପ୍ରଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ କରି ଆସୁଥିବା ନକ୍ସଲମାନେ ଅନେକ ସମୟରେ ନିଜର ଦାବିକୁ ହାସଲ କରିବା ଉଦ୍ଦେଶ୍ୟରେ ହିଂସାତ୍ମକ ପଦକ୍ଷେପ ନେଇଥାନ୍ତି। ଓଡ଼ିଶାରେ ବିଭିନ୍ନ ସମୟରେ ନକ୍ସଲ ହିଂସାର ଅନେକ ନଜିର ରହିଛି। କିନ୍ତୁ ଏମିତି ହିଁ ଏକ ଘଟଣା ଘଟିଥିଲା, ଯାହା ସମ୍ପର୍କରେ ଆଲୋଚନା କଲେ ଏବେ ବି ଦେହ ଶିହରି ଉଠେ।୧୫ ନଭେମ୍ବର ୨୦୦୫। ବେଳ ନଇଁ ଆସିଲା ପରେ ଉତ୍ତର ଭାରତରେ ଶୀତର ଲହରୀ। ଏତିକି ବେଳେ ରାତି ପ୍ରାୟ ୯ଟା ବେଳକୁ ବିହାରର ଜହାନାବାଦ ଜେଲ୍ ଉପରେ ହଠାତ୍ ସଂଘବଦ୍ଧ ଆକ୍ରମଣ କଲେ ହଜାରେରୁ ଅଧିକ ସଶସ୍ତ୍ର ନକ୍ସଲ। ଜେଲ୍ ସୁରକ୍ଷାକର୍ମୀ ଓ କିଛି କଏଦୀ, ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିଲେ। ଏତେ ସଂଖ୍ୟାରେ ନକ୍ସଲଙ୍କ ଗୁଳିବର୍ଷଣର ଗର୍ଜନରେ ପୂରା ସହର ସ୍ତବ୍ଧ। ଲାଗୁଥିଲା ଯେମିତି ପୂରା ଜହାନାବାଦ ସହରଟା ଗୋଟାତୁଲେ ଥରୁଛି। ଏହାର ସୁଯୋଗ ନେଇ ଜେଲରୁ ଶତାଧିକ କଏଦୀଙ୍କୁ ମୁକୁଳାଇ ନେଲେ ନକ୍ସଲ। ଏହି ଆକ୍ରମଣ ପୂର୍ବରୁ କାଳେ ପୋଲିସ ଏହି ଜେଲ୍ କର୍ମଚାରୀଙ୍କ ସହାୟତା ପାଇଁ ଆଗେଇ ଆସିବ, ସେଥିପାଇଁ ନକ୍ସଲମାନଙ୍କ ଏକ ଟିମ୍ ପୂରା ପୋଲିସ୍ ଲାଇନକୁ ଘେରେଇ ରଖିଥିଲା।

ଦେଶର ବିଭିନ୍ନ ଭାଗରେ କାମ କରୁଥିବା ଏହି ଚରମପନ୍ଥୀ ସଂଗଠନ ଯେତେବେଳେ ବି ଯେଉଁଠି କୌଣସି ପ୍ରକାର ସଫଳତା ପାଇଛି, ତାକୁ ତୁରନ୍ତ ଅନ୍ୟ କୌଣସି ରାଜ୍ୟ ବା ଅନ୍ୟ କୌଣସି ସ୍ଥାନରେ ପ୍ରୟୋଗ କରିବାକୁ ଚାହିଁଛି। ଆଉ ସେଥିପାଇଁ ଜହାନାବାଦ ଘଟଣା ପରେ ପରେ ଏହାର ଅନୁରୂପ ପ୍ଲାନକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲା ନକ୍ସଲ ସଂଗଠନ।୨୪ ମାର୍ଚ୍ଚ ୨୦୦୬। ଆନୁପାତିକ ଭାବେ ଅନ୍ୟ ସମସ୍ତ ଜିଲ୍ଲାଠୁ ଶାନ୍ତ ତଥା ଘଟଣାବିରଳ ଗଜପତି ଜିଲ୍ଲାର ଆର. ଉଦୟଗିରିରେ ହଠାତ୍ ଗର୍ଜି ଉଠିଲା ବନ୍ଧୁକ ଏବଂ ପୂରା ସହରରେ ସୃଷ୍ଟିହେଲା ହଇଚଇ। କେହି କିଛି ଭାବିବା ପୂର୍ବରୁ ଶତାଧିକ ସଶସ୍ତ୍ର ନକ୍ସଲ ଦଳ ଦଳ ହୋଇ ଏକାସାଙ୍ଗରେ ଆକ୍ରମଣ କରିଥିଲେ ସ୍ଥାନୀୟ ପୋଲିସ ଷ୍ଟେସନ, ଓଏସଏପି କ୍ୟାମ୍ପ୍, ଟ୍ରେଜେରୀ ଏବଂ ସବ୍ ଜେଲ୍ ଉପରେ। ପରିସ୍ଥିତି ଏମିତି ହେଲା ଯେ, ଓଏସଏପି ଯବାନମାନେ ଚାହିଁଲେ ବି ଅନ୍ୟସ୍ଥାନରେ ହେଉଥିବା ଆକ୍ରମଣ ବେଳେ ସେମାନେ କୌଣସି ସହାୟତା ଯୋଗାଇ ପାରିଲେ ନାହିଁ। ତେବେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ଘଟଣାସ୍ଥଳରେ ହିଁ ୨ ଜଣ ପୋଲିସ କର୍ମୀ ଏବଂ ୩ ଜଣ ନକ୍ସଲ ପ୍ରାଣ ହରାଇଥିଲେ।

ତେବେ ଏହାରି ଭିତରେ ନକ୍ସଲମାନେ ଉଦୟଗିରି ଉପ-କାରାଗାର ଭାଙ୍ଗି ସେଠାରୁ ୬୦ରୁ ଅଧିକ କଏଦୀ ଓ ନକ୍ସଲ ସମର୍ଥକଙ୍କୁ ମୁକୁଳାଇନେଲେ। ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେମାନେ ବିଏସଏନଏଲର ଟେଲିଫୋନ୍ ଲାଇନ୍ କାଟିଦେବା ସହ ବିଏସଏନଏଲ ଟାୱାର ନିକଟରେ ବୋମାମାଡ଼ କରିଥିଲେ। ଏପରିକି ସମ୍ପୂର୍ଣ୍ଣ ଯୋଗାଯୋଗ ବ୍ୟାହତ (Communication disruption) କରିବା ପାଇଁ ପୋଲିସଙ୍କ VHF ସେଟକୁ ମଧ୍ୟ ଅକାମୀ କରିଦେଇଥିଲେ ନକ୍ସଲ। ଯାହାଫଳରେ କେହି କାହା ସହିତ ଯୋଗାଯୋଗ କରିପାରିଲେ ନାହିଁ କିମ୍ବା ନକ୍ସଲଙ୍କ ତୁରନ୍ତ ମୁକାବିଲା କରିପାରିଲେ ନାହିଁ।

ସାରା ସହରରେ ସମସ୍ତେ ସ୍ତବ୍ଧ। ଏତିକିବେଳେ ନକ୍ସଲମାନେ ନେଇଗଲେ ୨୪ଟି ପୋଲିସ ବନ୍ଧୁକ, ବହୁମାତ୍ରାରେ ଗୁଳିଗୋଳା ଓ ବାରୁଦ। ତେବେ ସମସ୍ତଙ୍କ ପାଇଁ ସବୁଠୁ ଚିନ୍ତାଜନକ ଥିଲା, ଉଦୟଗିରି ଥାନାର ପୋଲିସ ଅଧିକାରୀ ଇନସ୍ପେକ୍ଟର ରଞ୍ଜନ ମଲ୍ଲିକ ଏବଂ ଉଦୟଗିରି ଉପକାରାଗାରର କାରାପାଳ- ରବି ନାରାୟଣ ସେଠୀଙ୍କ ଅପହରଣ। ରାଜ୍ୟର ଏକମାତ୍ର ଚାନେଲ ଭାବେ ଏହି ଘଟଣାଙ୍କୁ ତୁରନ୍ତ ଲୋକଙ୍କୁ ଜଣାଇବାରେ ସକ୍ଷମ ହୋଇଥିଲା ଈଟିଭି। କିନ୍ତୁ ଏତିକିରେ ସରି ନଥିଲା ଈଟିଭିର ଦାୟିତ୍ୱ। ବରଂ ଈଟିଭିର ଦାୟିତ୍ୱ ବଢ଼ିଯାଇଥିଲା। ସବୁ ମୁହୂର୍ତ୍ତରେ ଜୀବନ-ମରଣର ଘଡ଼ିସନ୍ଧି ଭିତରେ ଥିବା ଏହି ଦୁଇ ଅପହୃତ ଅଫିସରଙ୍କ ପରିବାରରେ ସେତେବେଳକୁ ଶୋକର ଛାୟା। ଯିଏ ଯେତେ ଯେଉଁଠି ନିଜର ପରିଚୟକୁ ଠାବ କରି କିଭଳି ଉଭୟଙ୍କୁ ମୁକୁଳାଇ ହେବ, ସେବାବଦରେ ଚିନ୍ତା କରୁଥାନ୍ତି। ତେଣେ ନକ୍ସଲଙ୍କ ଦାବି ଯଦିଓ ସରକାରଙ୍କ ନିକଟରେ ପହଞ୍ଚୁଥିଲା କିନ୍ତୁ କୌଣସି ସରକାରୀ ଅଧିକାରୀ ମଧ୍ୟସ୍ଥୀ ରୂପେ ନକ୍ସଲଙ୍କ ସହିତ କଥାବାର୍ତ୍ତା ପାଇଁ ଜଙ୍ଗଲ ଭିତରକୁ ଯାଇପାରିନଥିଲେ। ଏପଟେ ଅପହୃତଙ୍କ ପରିବାରରେ ହୃତସ୍ପନ୍ଦନ ବଢୁଥିଲା ବେଳେ, ସେପଟେ ନିଜେ ଅପହୃତମାନେ ନିଜ ଜୀବନକୁ ନେଇ ମାନସିକ ସ୍ତରରେ ଅବସାଦଗ୍ରସ୍ତ ହେବାରେ ଲାଗିଥିଲେ। ତେବେ କେବଳ ଅପହରଣ ଖବର ଦେଇଦେବା ପରେ ଚୁପ୍ ବସିନଥିଲା ଈଟିଭି। ପୂରା ଘଟଣାର ଫଲୋଅପ୍ କରୁଥିଲା ଏବଂ ଜଙ୍ଗଲ ଭିତରେ ନକ୍ସଲ କ୍ୟାମ୍ପରେ ପହଞ୍ଚି ଅପହୃତମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଥିଲା ଈଟିଭି। ଦର୍ଶକମାନଙ୍କୁ ଜଣାଇ ଦେଇଥିଲା ଯେ, ଅପହୃତ ଦୁଇ ସରକାରୀ ଅଧିକାରୀ ନକ୍ସଲଙ୍କ କ୍ୟାମ୍ପରେ ସୁରକ୍ଷିତ ଅଛନ୍ତି।ଈଟିଭି ପ୍ରତିନିଧି ଭାବେ ଗଜପତି ଜିଲ୍ଲାରୁ ଜିତ୍ ପଟ୍ଟନାୟକ, ବ୍ରହ୍ମପୁରରୁ ବିଶ୍ୱଜିତ୍ ସାହୁ, ଭୁବନେଶ୍ୱରରୁ ଅପୂର୍ବ ମହାନ୍ତି ଏବଂ କ୍ୟାମେରାମ୍ୟାନ୍ ମୃତ୍ୟୁଞ୍ଜୟ ସାହୁ ଘଞ୍ଚ ଜଙ୍ଗଲ ଭିତରେ ପହଞ୍ଚି ନକ୍ସଲ ନେତାଙ୍କ ସହିତ ଏକ୍ସକ୍ଲୁସିଭ୍ ସାକ୍ଷାତକାର କରିଥିଲେ। ସେଠାରୁ ହିଁ ଜଣାପଡ଼ିଲା ନକ୍ସଲମାନଙ୍କ ଦାବି କଣ। ସେହି ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇଥିଲା ଈଟିଭି। ଏପରିକି ଅପହୃତମାନେ ନିଜର ଭିଡିଓ ବାର୍ତ୍ତାରେ ଜଣାଇଥିଲେ ଯେ, ସେମାନଙ୍କ ଉପଯୁକ୍ତ ଯତ୍ନ ନିଆଯାଇଛି ଏବଂ ସେମାନଙ୍କୁ କୌଣସି ପ୍ରକାର ନିର୍ଯାତନା ଦିଆଯାଇନାହିଁ। ଏହି ଖବର ଜାଣିବା ପରେ ସାରା ରାଜ୍ୟରେ ଲୋକମାନେ ଈଟିଭିକୁ ଏକ ଭରସାଯୋଗ୍ୟ ମାଧ୍ୟମ ରୂପରେ ଯେଉଁ ପରିଚୟ ଦେଇଥିଲେ, ତାହା ଆହୁରୁ ସୁଦୃଢ଼ ହୋଇଗଲା।

ନକ୍ସଲମାନଙ୍କ ଦାବିକୁ ସେତେବେଳେ ସରକାର ଗୁରୁତ୍ୱର ସହ ନେଇନଥିଲେ। ତେବେ ଈଟିଭି ପ୍ରତିନିଧି ଦଳର ନକ୍ସଲ ନେତାଙ୍କ ସହିତ ନିରନ୍ତର ଆଲୋଚନା ଏବଂ ବୁଝାସୁଝା ପରେ ଶେଷରେ ୨୦୦୬ ଏପ୍ରିଲ ୪ ତାରିଖ ଦିନ ମୁକ୍ତ ହୋଇଥିଲେ ଏହି ଦୁଇ ଅଧିକାରୀ ରଞ୍ଜନ ମଲ୍ଲିକ ଏବଂ ରବି ନାରାୟଣ ସେଠୀ। ଈଟିଭିର ଏହି ପ୍ରୟାସକୁ ସେତେବେଳେ କେବଳ ଓଡ଼ିଶା ନୁହେଁ ଜାତୀୟ ସ୍ତରରେ ବି ଭୂୟସୀ ପ୍ରଶଂସା କରାଯାଇଥିଲା। ଏଣେ ନକ୍ସଲଙ୍କ କବଳରୁ ମୁକ୍ତ ହେବା ପରେ ଏହି ଦୁଇ ଅଧିକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ଈଟିଭିର ପ୍ରୟାସକୁ ବାହାବା ଦେବା ସହ କୃତଜ୍ଞତା ଜଣାଇଥିଲେ। ଉଭୟଙ୍କ ପରିବାରରେ ଖେଳିଯାଇଥିଲା ଆନନ୍ଦର ଲହରୀ। ଏତେ ଖୁସି ହୁଏତ କେହି କେବେ ତା ଜୀବଦ୍ଦଶା ଭିତରେ ହୋଇନଥିବ।ଏଇଠି ସରିଯାଇନଥିଲା ଈଟିଭିର ଖବର। ନକ୍ସଲଙ୍କ କବଳରୁ ମୁକ୍ତ ହେବା ପରେ ନିଜର ତିକ୍ତ ମଧୁର ଅନୁଭୂତିକୁ ଈଟିଭିର ଦର୍ଶକମାନଙ୍କୁ ଜଣାଇଥିଲେ ସେମାନେ। ଆଉ ସେସବୁକୁ ନେଇ ଈଟିଭି ପ୍ରସ୍ତୁତ କରିଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ- ମୁକ୍ତିର ଆନନ୍ଦ। ଏମିତି ଅନେକ ଘଟଣା ଅଛି, ଯାହାକି ଲୋକଲୋଚନକୁ ଆସିପାରିଥିଲା କେବଳ ଟେଲିଭିଜନ ପାଇଁ। ଓଡ଼ିଶାରେ ଟେଲିଭିଜନର ଅଭ୍ୟୁଦୟକୁ ନେଇ ଲେଖିଲା ବେଳେ ଏମିତି ଘଟଣାଗୁଡ଼ିକୁ ଅଣଦେଖା କରାଯାଇନପାରେ।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tag: #ETVOdia #ETVOriya #DrFakirMohanNahak #JourneyofTelevisioninOdisha #GajapatiNaxalAttack2006 #Naxalite #ଡକ୍ଟରଫକୀରମୋହନନାହାକ #ଈଟିଭିଓଡ଼ିଆ

Comment