ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ଆସନ୍ତା ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଦଶମ ଶ୍ରେଣୀ ସମେଟିଭ୍‌ ଆସେସ୍‌ମେଣ୍ଟ୍‌-୨ ତଥା ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌, କରେସପଣ୍ଡେଣ୍ଟ୍‌ କୋର୍ସ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷାର ସମୟ ଅବଧି ରହିବ ୨ ଘଣ୍ଟା, କିନ୍ତୁ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ନିର୍ଦ୍ଧାରିତ ହୋଇଛି।

ଏହି ସମସ୍ତ ପରୀକ୍ଷା ପାଇଁ ଶୁକ୍ରବାରଠାରୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାର ନୋଡାଲ୍‌ ସେଣ୍ଟରଗୁଡ଼ିକୁ ପଠାଯିବ। ମୋଟ ୩୦ଟି ଜିଲ୍ଲାରେ ଏଥିଲାଗି ୩୧୫ଟି ନୋଡାଲ୍‌ ସେଣ୍ଟର କରାଯାଇଛି। ନୋଡାଲ୍‌ ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। 

ଚଳିତ ଥର ୮୦ ମାର୍କର ପରୀକ୍ଷା ହେବ। ମୋଟ ୮୦ ମାର୍କ ମଧ୍ୟରୁ ୫୦ ମାର୍କର ସଂକ୍ଷିପ୍ତ ଏବଂ ୩୦ ମାର୍କର ଦୀର୍ଘ ଉତ୍ତରମୂଳକ ରହିଛି। ଦୀର୍ଘ ଉତ୍ତରମୂଳକ ପରୀକ୍ଷା ବୁକଲେଟରେ ଏବଂ ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା ଓଏମ୍‌ଆର୍‌ ସିଟରେ ଦେବାକୁ ପଡ଼ିବ।

ରାଜ୍ୟର ୩ ହଜାରରୁ ଅଧିକ କେନ୍ଦ୍ରରେ ୫ ଲକ୍ଷରୁ ଅଧିକ ମାଟ୍ରିକ ବିଦ୍ୟାର୍ଥୀ ପରୀକ୍ଷା ଦେବେ। ନିଜ ନିଜ ସ୍କୁଲଗୁଡ଼ିକରେ ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଜ ସ୍କୁଲରେ ପରୀକ୍ଷା ହୋଇନପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା କରିବାକୁ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯିବ।

Tags: #MatricExam #MatricExam2022 #ExamOnApril #Odisha #HighSchool

Comment