ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି। ଏହା କାର-ନିକୋବର ଦୀପପୁଞ୍ଜଠାରୁ ୧୫୦ କିମି ଦୂରରେ ପଶ୍ଚିମରେ ରହିଛି। ପୁରୀଠାରୁ ଏହା ୧,୨୫୦ କିମି ଦୂର ଦକ୍ଷିଣ–ପଶ୍ଚିମରେ ରହିଛି। ଏହା ଉତ୍ତର-ପୂର୍ବ ଦିଗକୁ ଗତି କରୁଛି। ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ଏବଂ ଆମେରିକା ପାଣିପାଗ ବିଭାଗ ଆକଳନକୁ ଆଧାର କରି ଶନିବାର ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା।

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବ। ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ମୁହାଁ ହେବ। ପରେ ଉତ୍ତର ଉତ୍ତର-ପୂର୍ବକୁ ମୁହାଁଇବ। ଏହି ସମୟରେ ବାତ୍ୟା ଓଡ଼ିଶା ଉପକୂଳଠାରୁ ପ୍ରାୟ ୧୫୦ କିମି ଦୂରରେ ରହିବ। ଏହା ଉତ୍ତର ବଙ୍ଗୋପସାଗର ମୁହାଁ ହେବ ବୋଲି ସ୍ଵତନ୍ତ୍ର ରିଲିଫ୍ କମିଶନର କହିଛନ୍ତି।

ବର୍ତ୍ତମାନର ଆକଳନ ଅନୁସାରେ ଭାରତୀୟ ପାଣିପାଗ ବିଭାଗ ଏବଂ ଆମେରିକା ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଏହି ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବୋଲି ସେ କହିଛନ୍ତି। ଏହା ପ୍ରଭାବରେ ପବନ କହିବା ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଆସନ୍ତା ମେ’ ୮ ତାରିଖର ସ୍ଥିତିକୁ ଦେଖି ପରବର୍ତ୍ତୀ ଆକଳନ କରାଯିବ ବୋଲି ଏସଆରସି କହିଛନ୍ତି। ବାତ୍ୟା ଓଡ଼ିଶା ଉପକୂଳଠାରୁ କେତେ ଦୂରରେ ରହିବ? ବେଶି ଦୂରେ ରହିଲେ କମ୍ ପ୍ରଭାବ ଏବଂ ଅଳ୍ପ ଦୂରରେ ଅଧିକ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି।

ଏହା ପ୍ରଭାବରେ ଆସନ୍ତା ମେ’ ୮ ତାରିଖ ଉପକୂଳ ଅଞ୍ଚଳରେ ପବନର ବେଗ କିଲୋମିଟର ପ୍ରତି ୫୦ରୁ ୬୦ ରହିବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ମେ’ ୧୦ ତାରିଖ ବେଳକୁ ରାଜ୍ୟର ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ ଜଗତସିଂହପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ ମଧ୍ୟ କରାଯାଇଛି। ଆସନ୍ତା ମେ’ ୧୧ ତାରିଖରେ ଖୋର୍ଦ୍ଧା, କଟକ, ଗଞ୍ଜାମ, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। କିଛି ସ୍ଥାନରେ ଅଧିକରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ଏହି ସାମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି ଓଡ଼ିଶା ଉପକୂଳରେ ୮ ତାରିଖ ସୁଦ୍ଧା କେହି ସମୁଦ୍ର ମଧ୍ୟକୁ ଯିବେ ନାହିଁ। ଯେଉଁମାନେ ଯାଇଛନ୍ତି ସେମାନଙ୍କୁ ଫେରାଇ ଆସିବାକୁ ବ୍ୟବସ୍ଥା କରାଯାଉଛି। ମତ୍ସ୍ୟଜୀବୀଙ୍କୁ ସଚେତନ କରିବା ସହ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ମତ୍ସ୍ୟା ଏବଂ ପଶୁ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଫେରାଇ ଆଣିବାକୁ ଭାରତୀୟ ନୌସେନା ଓ ତଟରକ୍ଷୀ ବାହୀନିର ସହଯୋଗ ଲୋଡ଼ା ଯାଇଥିବା ଏସଆରସି କହିଛନ୍ତି।  

ଆଗକୁ ବର୍ଷା ହେବାର ସମ୍ଭାବନା ଥିବାରୁ ଚାଷ କାମ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଚାଷୀମାନଙ୍କୁ ଚାଷ ଯନ୍ତ୍ରପାତିକୁ ସୁରକ୍ଷିତ ରଖିବା ସହ ଫଲସ କିପରି ସୁରକ୍ଷିତ ରଖିପାରିବେ ସେନେଇ କୃଷି ବିଭାଗ ପକ୍ଷରୁ ମାର୍ଗଦର୍ଶୀକା ଜାରି କରାଯାଇଛି। କ୍ଷେତ୍ରୀୟ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ଚାଷୀ ଭାଇଭଉଣୀମାନଙ୍କୁ ସଚେତନ କରୁଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା।

ସେ କହିଛନ୍ତି ରାଜ୍ୟର ୧୮ଟି ସମ୍ବେଦନଶୀଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସ୍ଥାୟୀ ଏବଂ ଅସ୍ଥାୟୀ ବାତ୍ୟାସ୍ଥଳୀରେ ଲୋକଙ୍କୁ ରଖିବା ନିମନ୍ତେ ସମସ୍ତ ପ୍ରକାର ସୁବନ୍ଦୋବସ୍ତ ସମ୍ପର୍କୀତ ତଥ୍ୟ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୮ଟି ଜିଲ୍ଲାର ମୋଟ ୮୬୨ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଏବଂ ଅସ୍ଥାୟୀ ବାତ୍ୟାଆଶ୍ରୟ ସ୍ଥଳ ପ୍ରସ୍ତୁତ ରହିଥିବା ଜିଲ୍ଲାଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଥିବା ଏସଆରସି କହିଛନ୍ତି। ଗୁଜବଠାରୁ ଦୂରେଇ ରହିବାକୁ ଏସଆରସି ପରାମର୍ଶ ଦେବା ସହ ଭୟଭୀତ ନହୋଇ ସତର୍କ ରହିବାକୁ କହିଛନ୍ତି।

Tags: #Cyclone #Weather #MetrologyDepartment #IMD #DeepDepression #RainFall #SRC

Comment