ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ନୂଆ ଡିସିପି ଭାବେ ଦାୟିତ୍ଵ ନେଲେ ପିନାକ ମିଶ୍ର। ସୋମବାର ଦିନ କଟକ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। କଟକ ଭଳି ପୁରୁଣା ଏବଂ ସଂସ୍କୃତି ସମ୍ପର୍ଣ୍ଣ ତଥା ଭାଇଚାରାର ସହରର ଆଇନଶୃଙ୍ଖଳା, ସାଇବର କ୍ରାଇମ୍ ଏବଂ ଅପରାଧ ମୁକାବିଲା ଉପରେ ଗୁରୁତ୍ଵ ଦେବେ ବୋଲି ଦାୟିତ୍ଵ ଗ୍ରହଣ କରିବା ଅବସରରେ ପିନାକ ମିଶ୍ର କହିଛନ୍ତି।

ଥାନାକୁ ଆସୁଥିବା ସାଧାରଣ ଲୋକଙ୍କୁ ଭଲ ବ୍ୟବହାର କରିଯିବା ସହ ସେମାନଙ୍କ ଅଭିଯୋଗ ଶୁଣିବା ଉପରେ ଗୁରୁତ୍ଵ ଦିଆଯିବ ବୋଲି ସେ କହିଛନ୍ତି। କଟକରେ ଚାଲିଥିବା ନିଶା କାରବାରକୁ ରୋକିବା ଉପରେ ପଦକ୍ଷେପ ନିଆଯିବ। ସହରରେ ଅପରାଧ ନିଅନ୍ତ୍ରଣ ଉପରେ ଗୁରୁତ୍ଵ ଦିଆଯିବ ବୋଲି ନୂଆ ଡିସିପି କହିଛନ୍ତି।

ଗତ ମେ’ ୪ ତାରିଖରେ ଭୁବନେଶ୍ଵର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ଆଇପିଏସ୍ ପ୍ରତୀକ ସିଂ। ପ୍ରତୀକ ସିଂ କଟକ ଡିସିପି ଦାୟିତ୍ଵରେ ଥିଲେ।

ଗତ ଏପ୍ରିଲ ୨୯ ତାରିଖରେ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳ ବଦଳ ହୋଇଥିଲା। କଟକ-ଭୁବନେଶ୍ୱର ଡିସିପି ବଦଳିବା ସହ ଅନ୍ୟ ବିଭାଗରେ ମଧ୍ୟ ଅଦଳ ବଦଳ ହୋଇଥିଲା। କଟକ ଡିସିପି ଭାବେ ନିଯୁକ୍ତ ପ୍ରତୀକ ସିଂଙ୍କୁ ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତ କରାଯାଇଥିଲା। ଏହା ସହ କଟକ ନୂଆ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ସେହିପରି ସନ୍ତୋଷ ଉପାଧ୍ୟାୟଙ୍କୁ ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ସଞ୍ଜୀବ ପଣ୍ଡାଙ୍କୁ ନିଯୁକ୍ତି ମିଳିଥିଲା। ଉମାଶଙ୍କର ଦାସଙ୍କୁ କଟକ-ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଥିଲା। ମନୋଜ କୁମାର ଛାବ୍ରାଙ୍କୁ ଜେଲ ବିଭାଗ ଡିଜି ଭାବେ ନିଯୁକ୍ତ କରାଯାଇଥିବାବେଳେ ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଦାୟିତ୍ୱ ମିଳିଥିଲା।

ନିତି ଶେଖରଙ୍କୁ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି, ଶ୍ରବଣ ବିବେକ ଏମଙ୍କୁ ବ୍ରହ୍ମପୁର ଏସପି, ଅଭିଳାଷ ଜିଙ୍କୁ କଳାହାଣ୍ଡି ଏସପି, ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା ଏସପି, ଅଲେଖ ପହୀଙ୍କୁ ନୟାଗଡ଼ ଏସପି ଏବଂ ଏସ୍ ସୁଶ୍ରୀଙ୍କୁ ନବରଙ୍ଗପୁର ଏସପି ଭାବେ ନିଯୁକ୍ତି ମିଳିଥିଲା। ସେହିପରି ପରମାର ସ୍ମିତ ପାରଷୋତ୍ତମଦାସଙ୍କୁ ବରଗଡ଼ ଏସପି ଏବଂ ରାହୁଲ ଜୈନଙ୍କୁ ଝାରସୁଗୁଡା ଏସପି ଭାବେ ନିଯୁକ୍ତି ଦିଆଯାଇଥିଲା।

Tags: #IPSOfficer #DCP #PinakMishra #CTCDCP

Comment