ବିଶ୍ଵଜିତ ସାହୁ

ଅଭିନୟ ଏବଂ ଭଏସଓଭର କ୍ଷେତ୍ରରେ ବିରେନ ମିଶ୍ରଙ୍କ ଦୀର୍ଘଦିନର ଅନୁଭୂତି ଓ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଓଡ଼ିଶାଲାଇଭ୍‌ର ସ୍ଵତନ୍ତ୍ର ସାକ୍ଷାତକାର।

‘କଥା ଦେଇ ଯିଏ କଥା ନ ରଖେ, ତା ନାଁ ବିକ୍ରମ’ ଏ ଡାଏଲଗଟି ଶୁଣିଲେ ଆପେ ଆପେ ଆମ ମନକୁ ଯାହାଙ୍କ ନାଁ ଚାଲିଆସେ, ସେ ଚେହେରା ଜଣକ ହେଲେ ବିରେନ ମିଶ୍ର। ତାଙ୍କ ଅଭିନୟ ଯେମିତି ନିଆରା ତାଙ୍କ ଭଏସ୍ ମଧ୍ୟ ସେହିପରି ସମସ୍ତଙ୍କଠାରୁ ଭିନ୍ନ। ଓଡ଼ିଶାରେ ଭଏସଓଭର କିମ୍ଵା ଡବିଂ କଥା ଉଠିଲେ ସର୍ବପ୍ରଥମେ ତାଙ୍କ ନାମ ଆସେ। ସେହିପରି ଓଡ଼ିଆ ସିନେ, ଟେଲି ଏବଂ ଯାତ୍ରା ତିନୋଟି ଯାକ ଇଣ୍ଡଷ୍ଟ୍ରିରେ ଖଳନାୟକ ଚରିତ୍ରରେ ତାଙ୍କର ଦମଦାର ଅଭିନୟ ପାଇଁ ସେ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି। ଓଡ଼ିଶାଲାଇଭ୍‌କୁ ଏକ ସ୍ଵତନ୍ତ୍ର ସାକ୍ଷାତକାର ଦେଇ ବିରେନ ତାଙ୍କ କଳାକାର ଏବଂ ବ୍ୟକ୍ତିଗତ ଜୀବନ ଯାତ୍ରାର କିଛି ଅକୁହା ପୃଷ୍ଠା ଉପସ୍ଥାପନ କରିଛନ୍ତି।ବିକ୍ରମ କହିଲେ ସମସ୍ତେ ଜାଣନ୍ତି

ତାଙ୍କ ପ୍ରକୃତ ନାଁ ବିରେନ ମିଶ୍ର। ହେଲେ ଦର୍ଶକ ମହଲରେ ସେ ବିକ୍ରମ ନାମରେ ବେଶ୍ ଜଣା। ଏହି ନାମ ପଛର କାରଣ ହେଉଛି ନବେ ଦଶକରେ ଦୂରଦର୍ଶନରେ ପ୍ରସାରିତ ମେଗା ଧାରାବାହିକ ‘କହୁଥିଲେ ସରିବନି’ରେ (ପରବର୍ତ୍ତୀ ସମୟରେ ଯାହା କଥା କହୁଥିଲେ ସରିବନି ହୋଇଥିଲା) ତାଙ୍କର ‘ବିକ୍ରମ’ ଚରିତ୍ର। ଏହି ଧାରାବାହିକରୁ ହିଁ ଅଭିନୟ ଦୁନିଆରେ ପାଦ ଦେଇଥିଲେ ବିରେନ ମିଶ୍ର। ଏକ ଭିନ୍ନ ଲୁକ୍ ସହ ଖଳନାୟକ ଭୂମିକାରେ ବିରେନଙ୍କ ଦମଦାର ଅଭିନୟ ସେତେବେଳେ ଓଡ଼ିଶାର ଘରେ ଘରେ ତାଙ୍କୁ ବିକ୍ରମ ନାମରେ ପରିଚୟ ଦେଇଥିଲା। ଏହି ଧାରାବାହିକରେ ତାଙ୍କର ସବୁଠାରୁ ଚର୍ଚ୍ଚିତ ସଂଳାପ ଥିଲା, ‘କଥା ଦେଇ ଯିଏ କଥା ନ ରଖେ, ତା ନାଁ ବିକ୍ରମ’। ବିକ୍ରମ ଚରିତ୍ରଟି ଏତେ ପରିମାଣରେ ଲୋକପ୍ରିୟ ହୋଇଥିଲା ଯେ, ବିକ୍ରମ ଭଳି ଲୁକ୍ ଧାରଣ କରିବା ସେତେବେଳେ ଯୁବବର୍ଗଙ୍କ ମଧ୍ୟରେ ଏକ ପ୍ରକାର ଟ୍ରେଣ୍ଡ ହୋଇଯାଇଥିଲା।

ଗୀତ ଗାଇବାରୁ କ୍ୟାରିୟର ଆରମ୍ଭ

ଏକ ସମୟ ଥିଲା ଯେତେବେଳେ ରେଡିଓ କି ଟିଭିରେ ଯେକୌଣସି ବି ବିଜ୍ଞାପନ ବାଜୁଥିଲା ସେଥିରେ ପ୍ରାୟ ଶୁଣିବାକୁ ମିଳୁଥିଲା ବିରେନଙ୍କ ଗୁରୁ ଗମ୍ଭୀର ସ୍ଵର। ବିରେନଙ୍କ ଦମଦାର ଭଏସ ପାଇଁ ପରବର୍ତ୍ତୀ ସମୟରେ ସେ ଅଭିନୟ ଦୁନିଆରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ ଏବଂ ସେଥିରେ ସଫଳ ମଧ୍ୟ ହୋଇଛନ୍ତି। ତାଙ୍କ ଭଏସ ଏବଂ ଅଭିନୟ ଦୁଇଟି ଯାକ ଲାଗି ସେ ଓଡ଼ିଶାର ଘରେ ଘରେ ପରିଚିତ। ହେଲେ ବିରେନ ଯେ ଭଲ ଗୀତ ଗଇପାରନ୍ତି ଏକଥା ଖୁବ୍ କମ୍ ଲୋକଙ୍କୁ ଜଣା। ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ ବିରେନ ତାଙ୍କ ଜୀବନର ଏହି ଅକୁହା ଅଧ୍ୟାୟକୁ ଦର୍ଶକଙ୍କ ସାମ୍ନାକୁ ଆଣିଛନ୍ତି। ଗୀତ ଗାଇବାରୁ ବିରେନଙ୍କ କଳାକାର ଜୀବନର ଆରମ୍ଭ ହୋଇଥିବା ସେ କହନ୍ତି।

ବିରେନଙ୍କ ବଡ଼ ଭଉଣୀଙ୍କୁ ଗୀତ ଶିଖାଇବାକୁ ଜଣେ ସଂଗୀତ ଗୁରୁ ତାଙ୍କ ଘରକୁ ଆସୁଥିଲେ। ସେହିଠାରୁ ଦେଖି ଦେଖି ବିରେନ ଗୀତ ଗାଇବା ଆରମ୍ଭ କରିଥିଲେ। ବିଧିବଦ୍ଧ ଭାବେ ସଂଗୀତ ଶିକ୍ଷା କରି ନଥିଲେ ମଧ୍ୟ ବିରେନ ଖୁବ୍ ଭଳ ଗୀତ ଗାଇପାରୁଥିଲେ। ବିରେନଙ୍କର ଏହି ପ୍ରତିଭାକୁ ଆବିଷ୍କାର କରିଥିଲେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି (ଖୋକା ଭାଇ)। କଲେଜ ପଢ଼ା ସମୟରେ ଅକ୍ଷୟ ମହାନ୍ତିଙ୍କ ସହ ବିରେନ ବିଭିନ୍ନ ମଞ୍ଚରେ ପ୍ରଥମେ କୋରସ୍ ଏବଂ ପରେ ଗୀତ ଗାଇବାର ସୁଯୋଗ ପାଇଥିଲେ।‘ମୋ ଭିତରର ଭଏସଓଭର ଆର୍ଟିଷ୍ଟକୁ ଆବିଷ୍କାର କରିଥିଲେ ଖୋକା ଭାଇ’

ଅକ୍ଷୟ ମହାନ୍ତିଙ୍କ ସହ ଗୀତ ଗାଇ ବିରେନ ତାଙ୍କର କଳାକାର ଜୀବନର ଆରମ୍ଭ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ଭଏସଓଭର ଆର୍ଟିଷ୍ଟ ଭାବେ ବିଧିବଦ୍ଧ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ ଭିତରର ଭଏସଓଭର ଆର୍ଟିଷ୍ଟକୁ ଖୋକା ଭାଇ ଆବିଷ୍କାର କରିଥିବା ବିରେନ କହନ୍ତି। ଅକ୍ଷୟ ମହାନ୍ତିଙ୍କ ସହ ମଞ୍ଚରେ ଗୀତ ଗାଉ ଗାଉ କଛି ଆଡ୍ ଫିଲ୍ମରେ ମଧ୍ୟ ଗୀତ ଗାଇବାକୁ ସୁଯୋଗ ପଇଥିଲେ ବିରେନ। ସେହିଭଳି ଥରେ ଏକ ଆଡ୍‌ର ଶେଷ ଟ୍ୟାଗ୍ ଲାଇନରେ ଭଏସ ଦେବାକୁ ଅକ୍ଷୟ ମହାନ୍ତି ବିରେନଙ୍କୁ କହିଥିଲେ, ଆଉ ବିରେନଙ୍କ ଗୁରୁ ଗମ୍ଭୀର ଭଏସରେ ସେହି ଲାଇନଟି ଅକ୍ଷୟ ମହାନ୍ତିଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହିଠାରୁ ବିରେନ ଭଏସଓଭର ଆର୍ଟିଷ୍ଟ ଭାବେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ବିଶେଷ ସଫଳତା ଦେଇଛି।ବିରେନଙ୍କ ଲଣ୍ଡିତ ମସ୍ତକ ଲୁକ୍ ପଛର କାହାଣୀ

ବିରେନ ମିଶ୍ରଙ୍କ ଭଏସ ଏବଂ ଅଭିନୟ ଯେମିତି ଦମଦାର ତାଙ୍କ ଲୁକ୍ ମଧ୍ୟ ସେମିତି ନିଆରା। ଲଣ୍ଡିତ ମୁଣ୍ଡକୁ ଫ୍ରେଞ୍ଚ କଟ୍ ଦାଢ଼ି। ବିରେନଙ୍କର ଏହି ଲୁକ୍ ତାଙ୍କୁ ଅଭିନୟ କ୍ଷେତ୍ରରେ ବିଶେଷ ସଫଳତା ଦେଇଛି। ବିରେନଙ୍କର ଏହି ଲଣ୍ଡିତ ମସ୍ତକ ପଛରେ ଏକ ଭଲ କାହାଣୀଟେ ରହଥିବା ସେ କହନ୍ତି।

ନବେ ଦଶକରେ ଫୁଟବଲ ବିଶ୍ଵକପ୍ ଚାଲିଥାଏ। ସେଥିରେ ଜଣେ ଫ୍ରେଞ୍ଚ୍ ଗୋଲକିପର୍‌ଙ୍କ ଲଣ୍ଡା ମୁଣ୍ଡ ସହ ପ୍ରେଞ୍ଚ୍ କଟ୍ ଦାଢ଼ି ବିରେନଙ୍କୁ ଭାରି ପସନ୍ଦ ଆସିଥିଲା। ଏପରିକି ତାଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ ସମାନ ଲୁକ୍‌ରେ ଦେଖି ସେହି ଷ୍ଟାଇଲକୁ ଆପଣାଇବାକୁ ଇଚ୍ଛା କରିଥିଲେ ବିରେନ। ତେଣୁ ସେ ସେଲୁନ ଯାଇ ଲଣ୍ଡା ହେବା ସହ ଫ୍ରେଞ୍ଚ୍ କଟ୍‌ ଷ୍ଟାଇଲରେ ଦାଢ଼ି କାଟିଥିଲେ। ବିରେନଙ୍କ ଏହି ନୂଆ ଅବତାରରେ ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ଚିହ୍ନି ପାରିନଥିଲେ। ହେଲେ ଏହି ଲୁକ୍ ବିରେନଙ୍କୁ ଏକ ନୂଆ ଆରମ୍ଭ ପାଇଁ ସୁଯୋଗ ଦେଇଥିଲା। ‘କହୁଥିଲେ ସରିବନି’ ଟେଲି ସିରିଏଲରେ ତାଙ୍କୁ ଖଳନାୟକ ଚରିତ୍ର ରୋଲ ମିଳିଥିଲା, ଯାହା ଥିଲା କ୍ୟାମେରା ସାମ୍ନାରେ ବିରେନଙ୍କର ପ୍ରଥମ ଅଭିନୟ। ସେବଠାରୁ ବିରେନ ସବୁବେଳେ ଲଣ୍ଡା ରହିବା ସହ ଫ୍ରେଞ୍ଚ କଟ୍ ଷ୍ଟାଇଲରେ ଦାଢ଼ି ରଖିଆସୁଛନ୍ତି।

ତେବେ ଲଣ୍ଡିତ ମସ୍ତକ ପାଇଁ ବିରେନଙ୍କୁ ଯେତିକି ପ୍ରଶଂସା ମିଳିଛି ସେତିକି ଦୁଃଖ ମଧ୍ୟ ମିଳିଥିବା ସେ କହନ୍ତି। ଏହି ଲୁକ୍ ପାଇଁ ସେ ଏବଂ ତାଙ୍କ ପରିବାର ଏକ ବିରାଟ ଦୁର୍ଘଟଣାର ଶିକାର ହୋଇଥିବା କଥା ସାକ୍ଷାତକାର ବେଳେ ବିରେନ କହିଛନ୍ତି।ଗୋଟିଏ ଦୁର୍ଘଟଣା ପାଇଁ ଯାତ୍ରା ପେଣ୍ଡାଲରୁ ଦୂରେଇ ଯାଇଥିଲେ ବିରେନ

ଟେଲି ସିରିଏଲ ଓ ସିନେମା ପରେ ଯାତ୍ରା ଜଗତରେ ବି ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ବିରେନ ମିଶ୍ର। ତାଙ୍କର ୪ ବର୍ଷର ଯାତ୍ରା କ୍ୟାରିୟର ମଧ୍ୟରେ ସେ ୧୫ରୁ ଊର୍ଦ୍ଧ୍ଵ ଯାତ୍ରାରେ ଦମଦାର ଅଭିନୟ କରି ଦର୍ଶକଙ୍କୁ ମୋହିତ କରିଛନ୍ତି। ଟେଲି ସିରିଏଲ ଏବଂ ସିନେମା ପରି ଯାତ୍ରାରେ ମଧ୍ୟ ବିରେନଙ୍କ ଖଳନାୟକ ଚରିତ୍ର ଦର୍ଶକଙ୍କ ମନରେ ସ୍ଵତନ୍ତ୍ର ଛାପ ଛାଡ଼ିଛି। ମାତ୍ର ଏକ ଦୁର୍ଘଟଣା ପାଇଁ ସେ ଆଉ ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳୁନାହାନ୍ତି।

ଏକ ଯାତ୍ରାର ସିନ୍ ରିହରସଲ୍ ବେଳେ ମଞ୍ଚ ଉପରୁ ଆକସ୍ମାତ୍ ତଳକୁ ପଡ଼ିଯାଇଥିଲେ ବିରେନ। ଏହି ଦୁର୍ଘଟଣାରେ ତାଙ୍କର ମେରୁଦଣ୍ଡ ହାଡ଼ରେ ଗୁରୁତର ଆଘାତ ଲାଗିଥିଲା। ଫଳରେ ସେ ୩ ମାସ ଧରି ମେଡିକାଲରେ ଚିକିତ୍ସିତ ହୋଇଥିଲେ।  ଏହାପରଠାରୁ ବିରେନ ଯାତ୍ରା ପେଣ୍ଡାଲଠାରୁ ଦୂରେଇ ଯାଇଥିଲେ।

Tags: #BirenMishra #OdiaActorBirenMishra #VeerenMishra #VoiceoverArtistBirenMishra #Ollywood #Jatra

Comment