ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ବ୍ୟାଡମିଣ୍ଟନର ଅନ୍ୟତମ ମର୍ଯ୍ୟାଦାଜନକ ପ୍ରତିଯୋଗିତା ‘ଥମାସ କପ’ ପୁରୁଷ ବର୍ଗ ପ୍ରତିଯୋଗିତାରେ ଇତିହାସ ରଚିଛି ଭାରତ। ପ୍ରଥମ ଥର ପାଇଁ ଫାଇନାଲକୁ ଯାଇଥିବା ଭାରତୀୟ ଦଳ ବିଜେତା ଟ୍ରଫି ହାସଲ କରି ରେକର୍ଡ କରିଛି। ଫାଇନାଲରେ ୧୪ ଥର ଟ୍ରଫି ବିଜେତା ଇଣ୍ଡୋନେସିଆକୁ ଭାରତୀୟ ଦଳ ସିଧାସଳଖ ୩-୦ରେ ପରାସ୍ତ କରି ନୂଆ ଇତିହାସ ସୃଷ୍ଟି କରିଛି।

ଭାରତୀୟ ବ୍ୟାଡମିଣ୍ଟନ ଦଳର ଐତିହାସିକ ସଫଳତା ପରେ ଏବେ ଦେଶ ସାରା ବିଜୟ ଉତ୍ସବ ପାଳନ କରାଯାଉଛି। ଭାରତୀୟ ଦଳର ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ଅଭିନବ ବିନ୍ଦ୍ରା ଏବଂ ସଚିନ ତେନ୍ଦୁଲକର ଅଭିନନ୍ଦନ ଜଣାଇଛନ୍ତି। ବିଜୟୀ ଭାରତୀୟ ଦଳ ନିମନ୍ତେ ଏକ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର।

ଏହି ଟୁର୍ଣ୍ଣାମେଣ୍ଟର ୭୩ ବର୍ଷର ଇତିହାସରେ ପ୍ରଥମଥର ଫାଇନାଲରେ ପ୍ରବେଶ କରିଥିବା ଭାରତ ବିଶ୍ଵର ଷଷ୍ଠ ଦଳ ଭାବେ ବିଶ୍ଵ ଚମ୍ପିଆନ ହୋଇଛି। ଭାରତ ଡେନମାର୍କକୁ ହରାଇ ପ୍ରଥମ ଥର ଫାଇନାଲକୁ ପ୍ରବେଶ କରିଥିଲା। ବ୍ୟାଡମିଣ୍ଟନ ଦଳର ‘ଥମାସ କପ’ ବିଜୟ ଭାରତୀୟ କ୍ରୀଡା ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ୪୩ ବର୍ଷ ପୂର୍ବେ ଭାରତ ସେମିଫାଇନାଲ ଖେଳି ପରାଜିତ ହୋଇଥିଲା।

Tags: #Sports #Badminton #IndianBadmintonTeam #winner #ThomasCup

Comment