ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁଳି କାଟ୍ ନେଇ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ସହିତ ଆଲୋଚନା ପରେ ଶକ୍ତି ସଚିବ ନିକୁଞ୍ଜ ଧଳ କହିଛନ୍ତି ମେଣ୍ଟେନାନ୍ସ ପାଇଁ ରାଜ୍ୟରେ ବିଜୁଳି କାଟ୍ ହେଉଛି। ବିଦ୍ୟୁତ୍ ବିତରଣକାରୀ କମ୍ପାନିଗୁଡ଼ିକ କହିଛନ୍ତି ବିଭିନ୍ନ ମେଣ୍ଟେନାନ୍ସ କାମ ଚାଲିଥିବାରୁ ବିଜୁଳି କାଟ କରାଯାଉଛି। ରାତିରେ ବିଜୁଳି କାଟ୍ ନକରିବାକୁ ବିଦ୍ୟୁତ୍ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ଶକ୍ତି ସଚିବ କହିଛନ୍ତି, “ରାଜ୍ୟରେ ମେ’ ୧ ତାରିଖରୁ ବିଜୁଳି ସମସ୍ୟା ନାହିଁ। ବିଦ୍ୟୁତ ବିତରଣକାରୀ କମ୍ପାନିଗୁଡ଼ିକ କହିଛନ୍ତି ଗତ ବର୍ଷ କୋଭିଡ ଏବଂ ବାତ୍ୟା ଯୋଗୁଁ ମେଣ୍ଟେନାନ୍ସ କାମ ହୋଇନଥିଲା। ବର୍ତ୍ତମାନ ମେଣ୍ଟେନାନ୍ସ କାମ ଚାଲିଥିବାରୁ ବିଜୁଳି କାଟ୍ କରାଯାଉଛି। ଗ୍ରୀଷ୍ମ ଦିନ ଚାଲିଥିବାରୁ ବିଜୁଳି କାଟ୍ କମ କରିବାକୁ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦଆଯାଇଛି। ରାତିରେ ବିଜୁଳି କାଟ ନକରିବାକୁ ମଧ୍ୟ କୁହାଯାଇଛି”।

ବିଜୁଳି ସମସ୍ୟା ନେଇ ବୁଧବାର ଷ୍ଟାଣ୍ଡି କମିଟି ଶକ୍ତି ବିଭାଗର ବିଭିନ୍ନ ସଂସ୍ଥା ସହ ଆଲୋଚନା କରିଥିଲେ। ବିଜୁଳି କାଟ୍ ଏବଂ ଅଧିକ ବିଲ୍ ଆସିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ଷ୍ଟାଣ୍ଡିଂ କମିଟି। ବିଦ୍ୟୁତ୍ ବିତରଣକାରୀ କମ୍ପାନିଗୁଡ଼ିକୁ ଦିନରେ ମେଣ୍ଟେନାନ୍ସ କାମ କରିବା ସହ ପାଓ୍ଵାର ଆଉଟେଜକୁ କମ୍ କରିବାକୁ ପରାମର୍ଶ ଦିଆଯାଇଛି।

ଗତ ବର୍ଷ କୋଭିଡ ଏବଂ ବାତ୍ୟା ପାଇଁ ଠିକ୍ ଭାବେ ମେଣ୍ଟେନାନ୍ସ କାମ ହୋଇପାରିନଥିଲା। ଏବେ ସେହି କାମ ଚାଲିଛି। ମେଣ୍ଟେନାନ୍ସ କାମ ଶେଷ ହେଲେ ଆଉ ବିଜୁଳି ସମସ୍ୟା ରହିବ ନାହିଁ। କେବଳ ଦିନ ବେଳା ମେଣ୍ଟେନାନ୍ସ କାମ କରାଯିବ ବୋଲି କହିଛନ୍ତି ଟାଟା ପାଓ୍ଵାର ନର୍ଥର ସିଇଓ ଭାସ୍କର ସରକାର। ଅଧିକ ବିଲ୍ ଆସୁଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଅଧିକ ଟଙ୍କାଟିଏ ନିଆଯାଉ ନାହିଁ ବୋଲି ସେ କହିଛନ୍ତି।

ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ସୁବ୍ରତ ତରାଇ କହିଛନ୍ତି ଖରାଦିନେ ଲୋକଙ୍କ ସମସ୍ୟା ଦୂର ପାଇଁ ଟାଇମ୍ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ଵ ଦେବାକୁ କୁହାଯାଇଛି। ବିର୍ଷା ଦିନ ପୂର୍ବରୁ ସମସ୍ତ କାମ ଶେଷ କରିବାକୁ ବିଦ୍ୟୁତ୍ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

Tags: #PowerCut #ElectricSupplyCompany #OdishaGovt #Enegry

Comment