ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ଦ୍ଵାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୧ର ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଓଡ଼ିଆ ପୁଅ କାର୍ତ୍ତିକ ପାଣିଗ୍ରାହୀ ସଫଳତା ହାସଲ କରିଛନ୍ତି। ଚଳିତ ଥର ଓଡ଼ିଶାରୁ ୧୪ ଜଣ ସଫଳ ହୋଇଥିବାବେଳେ ଓଡ଼ିଶା ଟପ୍ପର ହୋଇଛନ୍ତି ସୋନପୁର ଜିଲ୍ଲାର କାର୍ତ୍ତିକ ପାଣିଗ୍ରାହୀ।

ମେ’ ୩୦ ତାରିଖରେ ପ୍ରକାଶ ପାଇଛି ସିଭିଲ ସର୍ଭିସ ପରୀକ୍ଷାର ଫଳ। ସୋନପୁର ଜିଲ୍ଲା ଗଡ଼ଭିତର ନିବାସୀ ଶିବଶଙ୍କର ପାଣିଗ୍ରାହୀ ଏବଂ ଗୀତା ପାଣିଗ୍ରାହୀଙ୍କ ପୁଅ କାର୍ତ୍ତିକ ପାଣିଗ୍ରାହୀ ସର୍ବ ଭାରତୀୟ ସ୍ତରରେ ୬୩ ରାଙ୍କ ହାସଲ କରି ଓଡ଼ିଶା ଟପ୍ପର ହୋଇଛନ୍ତି।

କାର୍ତ୍ତିକଙ୍କ ବାପା ଶିବଶଙ୍କର ଦିଲ୍ଲୀ ଏୟାରପୋର୍ଟର ଡିଜିଏମ ଭାବେ କାର୍ଯ୍ୟ କରୁଥିବାବେଳେ ମା’ ଗୀତା ଜଣେ ଗୃହିଣୀ। ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ଟପ୍ପର ହେବାରେ କାର୍ତ୍ତିକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ଛାତ୍ର। ତିନି ଥର ପ୍ରୟାସ ପରେ କାର୍ତ୍ତିକଙ୍କୁ ଏହି ସଫଳତା ହାସଲ ହୋଇଥିବା ଜଣାପଡ଼ିଛି।

ଦିନକୁ ପ୍ରାୟ ୮ରୁ ୧୦ ଘଣ୍ଟା ସିଭିଲ ସର୍ଭି ପରୀକ୍ଷା ପୂର୍ବରୁ ପରିଶ୍ରମ କରୁଥିଲେ କାର୍ତ୍ତିକ। କାର୍ତ୍ତିକ ଏହି ସଫଳତା ପାଇବା ପରେ କହିଛନ୍ତି, “ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବି ବୋଲି ଆଶା ଥିଲା। କିନ୍ତୁ ଓଡ଼ିଶା ଟପ୍ପର ହେବି ବୋଲି ଭାବିନଥିଲି”।

ପିଲାଟି ଦିନରୁ ଆଇଏଏସ ଅଫିସର ହେବାକୁ ଲକ୍ଷ୍ୟ ରଖିଥିଲେ କାର୍ତ୍ତିକ। କାର୍ତ୍ତିକ ଜଣେ ମେଧାବୀ ଛାତ୍ର ମଧ୍ୟ। କଠୋର ପରିଶ୍ରମ ଓ ଦୃଢ଼ ନିଷ୍ଠା ଆଜି ତାଙ୍କର ଆଶା ପୂରଣ କରିଛି।

ଏହି ସଫଳତା ପରେ କାର୍ତ୍ତିକ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ମୋତେ ସୁଯୋଗ ମିଳିଲେ କେବଳ ଦେଶ ନୁହେଁ ମୋ ରାଜ୍ୟ ଏବଂ ମୋ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବି। ଡିଜିଟାଲ ଏଜୁକେସନ, ଡିଜିଟାଲ ଡେଲଥ, ନୂଆ ନୂଆ ଟେକ୍ନୋଲୋଜିର ବିକାଶ ସହ ନୂଆ ଚ୍ୟାଲେଞ୍ଜେସକୁ ଗ୍ରହଣ କରିବି”।

ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଇତିହାସରେ ସ୍ନାତ୍ତୋକତ୍ତର ହାସଲ କରିବା ପରେ ଏବେ ସେହି ବିଶ୍ଵବିଦ୍ୟାଳୟରେ ଏମଫିଲ କରୁଛନ୍ତି କାର୍ତ୍ତିକ। ସିଭିଲ ସର୍ଭିସ ପରୀକ୍ଷାରେ କାର୍ତ୍ତିକ ଇତିହାସ ବିଷୟକୁ ଅପ୍ସନାଲ୍ ଭାବେ ରଖିଥିଲେ।

କାର୍ତ୍ତିକଙ୍କର ଏହି ସଫଳତା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସୁବର୍ଣ୍ଣପୁର ଜିଲ୍ଲାର ସାମୁହିକ ବିକାଶ ପାଇଁ ତାଙ୍କର ସବୁବେଳେ ଚେଷ୍ଟା ରହିବ ବୋଲି କହିଛନ୍ତି କାର୍ତ୍ତିକ।

ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ପରୀକ୍ଷାର୍ଥୀଙ୍କୁ ସେ ମନୋବଳ ଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହ ସେ କହିଛନ୍ତି ବିଫଳ ହେଲେ ଭାଙ୍ଗି ନପଡ଼ି ବାରମ୍ବାର ଚେଷ୍ଟା କରିବା ଦ୍ଵାରା ସଫଳତା ନିଶ୍ଚୟ ହାସଲ ହୋଇଥାଏ।

ମେ’ ୩୦ ତାରିଖରେ ‘୨୦୨୧ ସିଭିଲ୍ ସର୍ଭିସ୍ ପରୀକ୍ଷା’ର ଫଳାଫଳ ପ୍ରକାଶ ପାଇଛି। ମୋଟ ୬୮୫ ଜଣ ପ୍ରାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ନାଁ ଲୋକସେବା ଆୟୋଗ ‘ଇଣ୍ଡିଆନ୍ ଆଡମିନିଷ୍ଟ୍ରେଟିଭ ସର୍ଭିସ’, ‘ଇଣ୍ଡିଆନ୍ ଫରେନ୍ ସର୍ଭିସ୍’, ‘ଇଣ୍ଡିଆନ୍ ପୋଲିସ୍ ସର୍ଭିସ୍’ ଏବଂ ‘ସେଣ୍ଟ୍ରାଲ୍ ସର୍ଭିସେସ୍’ ‘ଗ୍ରୁପ୍- ଏ’ ଓ ‘ଗ୍ରୁପ୍ ବି’ରେ ନିଯୁକ୍ତି ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି।

Tags: #UPSCExam #CivilServiceExam #OdishaTopper #KartikPanigrahi

Comment