ଶୁଭଶ୍ରୀ ନାୟକ

ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ନିଜ ୟପିଏସ୍‌ସି ଯାତ୍ରା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ପ୍ରଣିତା ଦାଶ।

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ବାରିପଦାର ଝିଅ ପ୍ରଣିତା ଦାଶ। ୪୨ ନମ୍ବର ରାଙ୍କରେ ରହି ସେ ଏହି କୃତିତ୍ୱ ହାସଲ କରିଛନ୍ତି। ପିଲାବେଳୁ ଜଣେ ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ ଦେଖୁଥିଲେ ସେ। ତେଣୁ କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ଦ୍ଵିତୀୟ ଚେଷ୍ଟାରେ ନିଜ ସ୍ୱପ୍ନ ପୂରା କରିଛନ୍ତି ପ୍ରଣିତା।

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ନିଜର  ସଫଳତାକୁ କେମିତି ଦେଖୁଛନ୍ତି?

ସିଭିଲ୍‌ ସର୍ଭିସ ପରୀକ୍ଷା ପାଇଁ ବହୁତ ପରିଶ୍ରମ କରିଥିଲି। ୩ ବର୍ଷ ହେଲା ପ୍ରସ୍ତୁତ ହେଉଥିଲି। ଏଥିପାଇଁ ମତେ କଠିନ ପରିଶ୍ରମ କରିବାକୁ ପଡ଼ିଛି। ଏବେ ଯେତେବେଳେ ମୁଁ ସଫଳ ହୋଇଛି, ମତେ ବହୁତ ଖୁସି ଲାଗୁଛି। ପରିଶ୍ରମର ଫଳ ମିଳିଛି। ମୋର ସଫଳତାକୁ ଦେଖି ପରିବାର ଲୋକ ମଧ୍ୟ ବେଶ୍‌ ଖୁସି ଅଛନ୍ତି। ମୋର ଏ ସଫଳତା ପଛରେ ମୋର ପରିବାରର ଭୂମିକା ବହୁତ ବେଶୀ ରହିଛି।

ପ୍ରଶାସନିକ ସେବାରେ ଯୋଗ ଦେବାକୁ କାହିଁକି ଭାବିଲେ?

ପିଲାବେଳୁ ହିଁ ମୋର ଇଚ୍ଛା ଥିଲା ପ୍ରଶାସନିକ ଅଧିକାରୀ ହେବା। କାରଣ ଏଇଟା ଗୋଟିଏ ଏମିତି ଫ୍ଲାଟଫର୍ମ ଯେଉଁଥିରେ ଲୋକମାନଙ୍କ ସହ ସିଧାସଳଖ ଯୋଡ଼ି ହେବାର ସୁଯୋଗ ଥାଏ। ସେମାନଙ୍କ ସମସ୍ୟା ଜାଣି ସମାଧାନ କରିବାର ସୁଯୋଗ ମିଳେ ବା ଲୋକମାନଙ୍କ ପାଇଁ କିଛି କରି ହୁଏ। ସେଥିପାଇଁ ମୁଁ ପ୍ରଶାସନିକ ଅଧିକାରୀ ହେବାକୁ ଚାହିଁଲି। ଘର ଲୋକ ବି ମତେ ଏଥିପାଇଁ ସବୁବେଳେ ପ୍ରେରଣା ଯୋଗାଇଥିଲେ।

ପ୍ରଶାସନିକ ସେବା ପରୀକ୍ଷା ପାଇଁ ଆପଣଙ୍କର ସ୍ପେଶାଲ ଷ୍ଟ୍ରାଟେଜି କ’ଣ ଥିଲା?

ପୂର୍ବରୁ ୨ ଥର ସିଭିଲ ସର୍ଭିସ ପରୀକ୍ଷାରେ ମୁଁ ବିଫଳ ହୋଇଛି। ତେଣୁ ଏଥର ଜୋରସୋରରେ ପ୍ରସ୍ତୁତ କରିଥିଲି। ମୁଁ ଦିନକୁ ୮ରୁ ୧୦ ଘଣ୍ଟା ମନ ଦେଇ ପଢ଼ୁଥିଲି। ମଝିରେ ମଝିରେ ନିଜକୁ ବ୍ରେକ ଦିଏ। ସାଙ୍ଗସାଥୀଙ୍କ ସହ ବୁଲାବୁଲି କରେ। ପରିବାର ସହିତ ସମୟ ବିତାଏ। ତା’ପରେ ମନରେ ପଢ଼ାକୁ ନେଇ ଏକ ନୂଆ ପ୍ରକାର ଉତ୍ସାହ ଆସେ।  ଗୋଟିଏ ବହି ବାରମ୍ବାର ବାରମ୍ବାର ପଢ଼େ। ବିଭିନ୍ନ ଜାଗାରେ ମକ୍‌ ଇଣ୍ଟରଭ୍ୟୁ ଦେଉଥିଲି। ନିଜକୁ ନିଜେ ପ୍ରେରଣା ଦେଉଥିଲି। ମନରେ ଗୋଟିଏ ଆତ୍ମବିଶ୍ୱାସ ରଖୁଥିଲି। ମୁଁ ଭାବେ ହାର୍ଡ ଓ୍ୱର୍କଠୁ ଅଧିକ ସ୍ମାର୍ଟ ଓ୍ୱର୍କ ଷ୍ଟ୍ରାଟେଜି ମତେ ସଫଳତା ଆଣି ଦେଇଛି।

 ପ୍ରିଲିମ୍‌ସ, ମେନ୍‌ସ ଏବଂ ଇଣ୍ଟରଭ୍ୟୁର ଅନୁଭୂତି କେମିତି ଥିଲା?

ପୂର୍ବରୁ ଯେଉଁ ୨ଥର ପରୀକ୍ଷା ଦେଇଥିଲି ସେଥିରେ ମୋର ପ୍ରିଲିମ୍‌ସ କ୍ଲିଅର ହୋଇନଥିଲା। ତେଣୁ ଏଥର ମୋର ଫୋକସ୍‌ରେ ଥିଲା ପ୍ରିଲିମ୍‌ସ। ପରୀକ୍ଷା ପୂର୍ବ ଦିନ ମତେ ଚିନ୍ତାରେ ନିଦ ହେଲାନି। କିନ୍ତୁ ଯେତେବେଳେ ପରୀକ୍ଷା ହଲ୍‌ରେ ପହଞ୍ଚିଲି ମନରେ ସାହସ ଜୁଟାଇଲି। ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଲେଖିଲି। ମନରେ ଭାବିଥିଲି ଏଥର ଯଦି ନହେଲା ମୁଁ ଭାଙ୍ଗି ପଡ଼ିବିନି। ମେନ୍‌ସ ପରୀକ୍ଷା ମଧ୍ୟ ସେମିତି ଥିଲା। କିନ୍ତୁ ସବୁଠୁ ଅଧିକ ନର୍ଭସ ଥିଲି ଇଣ୍ଟରଭ୍ୟୁରେ। ମୋର ଅପ୍ସନାଲ ସବଜେକ୍ଟ ଥିଲା ଅର୍ଥନୀତି ବା ଇକୋନୋମିକ୍ସ। ତେଣୁ ଅଧିକ ପ୍ରଶ୍ନ ଅର୍ଥନୀତି ସମ୍ପର୍କିତ ଥିଲା। ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଚାଲିଥାଏ। ମୁଁ ଉତ୍ତର ଦେଉଥାଏ। ଆଉ ଯାହା ଆସୁନଥିଲା ତାକୁ ମନା କରୁଥିଲି ଯେ ଆସିନି।

ବିନା କୋଚିଂରେ ସିଭିଲି ସର୍ଭିସ ପରୀକ୍ଷା କ୍ରାକ୍‌ କରିବା ସହଜ କି?

କୋଚିଂ ଗୋଟେ ଆଇଡିଆ ଦିଏ। ମନରେ ଗୋଟେ ପ୍ରତିଯୋଗିତା ଆଣେ। ଗ୍ରୁପ୍‌ରେ ପଢ଼ିବାର ସୁଯୋଗ ଦିଏ। କିନ୍ତୁ ପରିଶ୍ରମ ତ ନିଜକୁ କରିବାକୁ ପଡ଼େ। ଆଉ ପ୍ରତିଦିନର ଗୋଟିଏ ରୋଟିନ୍‌ ତିଆରି କରେ। ନିଜକୁ ମୋଟିଭେଟ୍‌ କରେ।

କିନ୍ତୁ ବିନା କୋଚିଂରେ ବି ଅନେକ ସଫଳ ହୋଇଛନ୍ତି। ଯାହାର ଉଦାହରଣ ରହିଛି। ତେଣୁ କୋଚିଂ ନେବା ବା ନନେବା ସେଇ ପ୍ରାର୍ଥୀଙ୍କ ଉପରେ ନିର୍ଭର କରେ।

ଆଗକୁ କ’ଣ ଯୋଜନା ରହିଛି?

ଓଡ଼ିଶା କ୍ୟାଡର ମିଳିଲେ ମୁଁ ବେଶୀ ଖୁସି ହେବି। ନହେଲେ ଯେଉଁ କ୍ୟାଡର ବି ମିଳିବ ମୁଁ ନିଷ୍ଠାର ସହ ସେଠି କାମ କରିବି। ମୋର ସବୁବେଳେ ଲକ୍ଷ୍ୟ ରହିଛି ଖାଦ୍ୟ ନିରାପତ୍ତା। ତେଣୁ ଚାହିଁବି ଏଇ ସେକ୍ଟରରେ କାମ କରିବାକୁ। ପିଲାଙ୍କ ଓ ମହିଳାମାନଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବି। ତା’ ଛଡ଼ା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱ ଦେବି।

ବାରପଦାରୁ ଲଣ୍ଡନର ଯାତ୍ରା କେମିତି ଥିଲା?

ବାରପଦା ସହରର ଟାଉନଥାନା ପଛପାଖ ପୁରୁଣାସାହି ନିକଟରେ ମୋର ଘର। ଜେଜେ ବାପା ବରିଷ୍ଠ ଆଇନଜୀବୀ ଭାବେ ଜିଲ୍ଲାରେ ଖ୍ୟାତି ଲାଭ କରିଥିଲେ। ବଡ଼ବାପା ଜଷ୍ଟିସ ଦେବବ୍ରତ ଦାସ ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି। ମୋ ବାପା ମଧ୍ୟ ଜଣେ ଆଇନଜୀବୀ। ମୁଁ ପ୍ରଥମରୁ ପଞ୍ଚମ ବାରିପଦାରେ ପଢ଼ିଛି। ତା’ପରେ ଭୁବନେଶ୍ୱର ଆସିଲି। ଏଠାରେ ଡିଏଭି ପୋଖରୀପୁଟରେ ମାଟ୍ରିକ ଯାଏ ପଢ଼ିଲି। ପରେ ମଦର୍ସ କଲେଜରେ ପ୍ଲସ ୨ ପଢ଼ିଥିଲି। କୋଲକାତା ସେଣ୍ଟ ଜାଭିୟର୍ସରୁ ଗ୍ରାଜୁଏସନ କରିବା ପରେ ଲଣ୍ଡନ ଯାଇଥିଲି। ସେଠାରେ କୁଇନ୍ସ ୟୁନିଭର୍ସିଟିରେ ଇକୋନୋମିକ୍ସରେ ଏମଏସସି କରିଥିଲି। ତା’ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଡିଷ୍ଟାନ୍‌ସରେ ଏମ୍‌ଫିଲ୍‌ କରିଛି। ଏ ଯାତ୍ରା ମତେ ବହୁତ କିଛି ଶିଖାଇଛି।

Comment