ସଂଗୀତା ମାନସିଂହ
ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପ୍ରମୋଦିନୀ ରାଉଳଙ୍କ ଜୀବନ, ଯନ୍ତ୍ରଣା ଏବଂ ସଂଘର୍ଷକୁ ନେଇ ଓଡ଼ିଶାଲାଇଭ୍ର ସ୍ଵତନ୍ତ୍ର ସାକ୍ଷାତକାର।
ଏସିଡ୍ କେବଳ ଶରୀରକୁ ଜାଳିଦିଏ ସିନା, ହେଲେ ଜଣକର ଆତ୍ମବିଶ୍ଵାସକୁ ହୁଏତ ଜାଳିପାରେନା। ଏହାର ଉଦାହରଣ ଓଡ଼ିଶାର ପ୍ରମୋଦିନୀ ରାଉଳ। ତାଙ୍କ ଜୀବନରେ ଘଟିଥିବା ଝଡ଼ରୁ ମୁକୁଳିବା ଏତେ ସହଜ ହୋଇନଥିଲେ ମଧ୍ୟ ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ଵାସ ତାଙ୍କ ଜୀବନରେ ନୂତନ ସୂର୍ଯ୍ୟାଲୋକ ଆଣିଥିଲା। ଆଇନର ଲଢ଼େଇରେ ପ୍ରମୋଦିନୀ ବିଜୟୀ ହେବା ସହ ତାଙ୍କ ଦୋଷୀକୁ ୧୪ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କଲେ ଅଦାଲତ। କିନ୍ତୁ ନ୍ୟାୟ ପାଇଁ ଅପେକ୍ଷା କରିବାକୁ ପଡ଼ିଲା ପ୍ରମୋଦିନୀଙ୍କୁ ଗୋଟେ ଯୁଗ।
ଏକତରଫା ପ୍ରେମ ୧୬ ବର୍ଷର ପ୍ରମୋଦିନୀଙ୍କ କଅଁଳ ଜୀବନର ମୋଡ଼ ବଦଳାଇ ଦେଇଥିଲା। ପ୍ରେମ ନିବେଦନରେ ବିଫଳ ହେବା ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିବା ଯୁବକ ପ୍ରମୋଦିନୀଙ୍କ ସବୁ ସ୍ଵପ୍ନକୁ କ୍ଷଣିକରେ ଧୂଳିସାତ୍ କରିଦେଲା। ନାଟକୀୟ ଢଙ୍ଗରେ ବଦଳି ଯାଇଥିଲା ପ୍ରମୋଦିନୀ ରାଉଳଙ୍କ ଜୀବନର ଗତିପଥ। କିନ୍ତୁ ସେ ହାରି ନଯାଇ ନିଜ ଆତ୍ମବିଶ୍ଵାସକୁ ଦୃଢ଼ କରି ନିଜ ନ୍ୟାୟ ଏବଂ ଅଧିକାର ପାଇଁ ଲଢ଼େଇ କଲେ। ୧୪ ବର୍ଷ ପରେ ଦୋଷୀ ବିରୋଧରେ ସଜା ଶୁଣାଇଲେ ଅଦାଲତ।
୨୦୦୯ ମସିହାର ଘଟଣା। ପାରାମିଲିଟାରୀ ଯବାନ ସନ୍ତୋଷ କୁମାର ବେଦାନ୍ତ ୧୬ ବର୍ଷର କଲେଜ ପଢ଼ୁଥିବା ପ୍ରମୋଦିନୀ ରାଉଳଙ୍କୁ ଏକ ତରଫା ପ୍ରେମ କରୁଥିଲା। ପ୍ରମୋଦିନୀଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା ସନ୍ତୋଷ। କିନ୍ତୁ ସିଧା ସିଧା ସନ୍ତୋଷଙ୍କ ମୁହଁରେ ମନା କରିଦେଇଥିଲେ ପ୍ରମୋଦିନୀ। ପ୍ରମୋଦିନୀଙ୍କ ପ୍ରତ୍ୟାଖ୍ୟାନକୁ ସହଜରେ ଗ୍ରହଣ କରିପାରି ନଥିଲା ସନ୍ତୋଷ। ପ୍ରତିଶୋଧ ନେବାକୁ ସୁଯୋଗ ଉଣ୍ଡୁଥିଲା।
ସେଦିନ ଥିଲା ୨୦୦୯ ଏପ୍ରିଲ ୧୮ ତାରିଖ, ପ୍ରମୋଦିନୀ କଲେଜରୁ ଘରକୁ ଫେରୁଥିଲେ। ଏହି ସମୟରେ ସନ୍ତୋଷ ନିଜ ସହଯୋଗୀ ଅନିଲ ଦଳସିଂହରାୟ ଏକ ବାଇକରେ ଆସି ପ୍ରମୋଦିନୀଙ୍କ ଉପରକୁ ଏସିଡ ମାଡ଼ କରିଥିଲା। କିଛି ବୁଝିବା ପୂର୍ବରୁ ଜଳିଯାଇଥିଲା ପ୍ରମୋଦିନୀଙ୍କ ଶରୀରର ବିଭିନ୍ନ ଅଂଗ। ଯନ୍ତ୍ରଣାରେ ରାସ୍ତା ଉପରେ ପଡ଼ି ଚିତ୍କାର କରିଉଠିଲେ ପ୍ରମୋଦିନୀ। କିଛି ସମୟ ପରେ ତାଙ୍କ ସମ୍ପର୍କୀୟ ପ୍ରମୋଦିନୀଙ୍କୁ ଆଳୁଅଖାରେ ଗୁଡ଼େଇ ଡାକ୍ତରଖାନା ନେଇଗଲେ।
କିନ୍ତୁ ଏତେ ସହଜ ନଥିଲା ଡାକ୍ତରଖାନାରେ ପହଞ୍ଚିବା। ଡାକ୍ତରଖାନା ଯିବା ବାଟ ଜାମ ହୋଇଥିବାରୁ ଗୋଟିଏ ରାତି ରାସ୍ତା ଉପରେ ଆମ୍ବୁଲାନ୍ସ ଭିତରେ ଛଟପଟ ହେବାକୁ ପଡ଼ିଥିଲା ବୋଲି କହିଛନ୍ତି ପ୍ରମୋଦିନୀ ରାଉଳ।
ଏସିଡ ମାଡ଼ରେ ପ୍ରମୋଦିନୀଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିଲା। ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରମୋଦିନୀଙ୍କୁ ଦୀର୍ଘ ୯ ମାସ ଧରି ଆଇସିୟୁରେ ଚିକିତ୍ସା କରାଯାଇଥିଲା। ପରେ କଟକ ବଡ଼ ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ମା’ଙ୍କ ପାଖରେ ଅର୍ଥ ବଳ ନଥିବାରୁ ସେ ପ୍ରମୋଦିନୀଙ୍କୁ ଘରକୁ ନେଇ ଆସିଥିଲେ। ବିନା ପେନକିଲର ମେଡିସିନରେ ଶେଜରେ ପଡ଼ି ରହି ଯନ୍ତ୍ରଣାରେ ଛଟପଟ ହେଉଥିଲେ ପ୍ରମୋଦିନୀ।
“ମୋ ମା’ ଡାକ୍ତରଖାନାରୁ ଗଜକନା ମାଗିକି ଆଣି ମୋ ଦେହରେ ହୋଇଥିବା ଘା’କୁ ପୋଛୁଥିଲେ। ମୋ ଯନ୍ତ୍ରଣା ଦେଖି ମୋ ମା’ ବି ହାରିଯାଥିଲେ। ବିନା ମେଡିସିନରେ ୫ ବର୍ଷ ମୁଁ ଶେଜରେ ପଡ଼ି ଛଟପଟ ହେଉଥିଲି। ଯନ୍ତ୍ରଣା ଏତେ ବଢ଼ିଯାଇଥିଲା ଯେ, ଭଗବାନଙ୍କୁ ସବୁ ଦିନ ମୃତ୍ୟୁ ମାଗୁଥିଲି’’, କହିଛନ୍ତି ପ୍ରମୋଦିନୀ ରାଉଳ।
ପ୍ରମୋଦିନୀଙ୍କୁ ସୁସ୍ଥ କରିବା ପାଇଁ ମା’ ଲାଗି ପଡ଼ିଥିଲେ। ଟଙ୍କା ଯୋଗାଡ଼ କରି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କଲେ। କିନ୍ତୁ କିଛି ଦିନ ଚିକିତ୍ସା ପରେ ଟଙ୍କା ଦେବାକୁ ଅକ୍ଷମ ହେବାରୁ ତାଙ୍କୁ ଡାକ୍ତରଖାନା ମାଲିକ ଡାକ୍ତରଖାନାରୁ ବାହାର କରିଦେଥିଲେ। ଏହି ସମୟରେ ଦେବ ଦୂତ ହୋଇ ଆସିଥିଲେ ସରୋଜ ସାହୁ।
ପ୍ରମୋଦିନୀଙ୍କ ଯନ୍ତ୍ରଣା ଦେଖିନପାରି ସରୋଜ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାର ଡାକ୍ତର ସବୁ ଜାଣିବା ପରେ ପ୍ରମୋଦିନୀଙ୍କ ଚିକିତ୍ସା ମାଗଣାରେ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହିଠାରେ ପ୍ରମୋଦିନୀଙ୍କର ଚିକିତ୍ସା ଚାଲିଲା। ସରୋଜ ଲାଗିପଡ଼ିଲେ ପ୍ରମୋଦିନୀଙ୍କୁ ସୁସ୍ଥ କରିବା ପାଇଁ। ଏମିତିକି ନିଜ ଚାକିରି ଛାଡ଼ି ପ୍ରମୋଦିନୀଙ୍କୁ ଠିକ୍ କରାଇବାରେ ନିଜର ସବୁ ଚେଷ୍ଟା ଲଗାଇ ଦେଇଥିଲେ। ଶେଷରେ ୨୦୧୪ ମସିହାରେ ଚାଲିବାକୁ ସକ୍ଷମ ହୋଇଥିଲେ ପ୍ରମୋଦିନୀ। ଯେଉଁଠି ଡାକ୍ତର ସବୁ ଆଶା ଛାଡ଼ି ଦେଇଥିଲେ ସେଠି ପ୍ରମୋଦିନୀ ଚାଲିବା ଆରମ୍ଭ କରିଥିଲେ। ସରୋଜଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି ପ୍ରମୋଦିନୀ।
ଏହାରି ମଧ୍ୟରେ ପ୍ରମୋଦିନୀ ତାଙ୍କ ମାମଲାର ପୁନର୍ବାର ତଦନ୍ତ କରିବାକୁ ବାହାରିଲେ। କାରଣ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏହି କେସକୁ ବନ୍ଦ କରିଦିଆଯାଇଥିଲା। ତତ୍କାଳୀନ ଏସପିଙ୍କ ନିର୍ଦ୍ଦେଶରେ ପ୍ରମୋଦିନୀଙ୍କ ମାମଲାର ପୁନର୍ବାର ତଦନ୍ତ ହୋଇଥିଲା। ୨୦୧୭ ମସିହା ନଭେମ୍ବର ମାସରେ ଜଗତସିଂହପୁ ପୋଲିସ ସ୍ଵତନ୍ତ୍ର ଟମ୍ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ବେଦାନ୍ତକୁ କୋଲକାତାରୁ ଏବଂ ସହଯୋଗୀକୁ ନୟାଗଡ଼ରୁ ଗିରଫ କରିବାରେ ସଫଳ ହୋଇଥିଲା।
ଶେଷରେ ୨୦୨୨ ମେ’ ୯ ତାରିଖରେ ଜଗତସିଂହପୁର ସିଭିଲ ଜଜ୍(ସିନିୟର ଡିଭିଜନ) କମ୍ ଆସିଷ୍ଟାଣ୍ଟ ସେସନସ ଜଜ୍, ଓମେନ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ପ୍ରଦାନ କରିଥିଲେ। ଦୋଷୀ ସନ୍ତୋଷ ବେଦାନ୍ତ ଏବଂ ଅନିଲକୁ ୧୪ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କଲେ।
କୋର୍ଟଙ୍କ ରାୟକୁ ସମ୍ମାନ ଦେଇଥିଲେ ମଧ୍ୟ ଦୋଷୀମାନଙ୍କ ପାଇଁ ଏହି ଦଣ୍ଡ ପର୍ଯ୍ୟପ୍ତ ନୁହେଁ ବୋଲି କହିଥିଲେ ପ୍ରମୋଦିନୀ। ଦୋଷୀକୁ ଯେତେ ଦଣ୍ଡ ଦେଲେବି କମ୍ ହେବ। କିନ୍ତୁ ଆଜୀବନ ଜେଲରେ ଉଭୟ ଦୋଷୀ ରହିବା ଦରକାର ବୋଲି କହିଛନ୍ତି ପ୍ରମୋଦିନୀ।
ସରୋଜଙ୍କୁ ବିବାହ କରିବା ପରେ ବେଶ ବଦଳି ଯାଇଛି ପ୍ରମୋଦିନୀଙ୍କ ଜୀବନ। ହସଖୁସିରେ ଭରିଯାଇଛି ତାଙ୍କ ସଂସାର। ଦିନେ ଏସିଡ୍ ଆକ୍ରମଣର ଶିକାର ହୋଇ ଛଟପଟ ହେଉଥିବା ପ୍ରମୋଦିନୀ ଏବେ ଏସିଡ୍ ଆକ୍ରମଣର ଶିକାର ହେଉଥିବା ଅନ୍ୟ ଝିଅମାନଙ୍କର ସମ୍ମାନ ଏବଂ ଅଧିକାର ପାଇଁ ତାଙ୍କର ଲଢ଼େଇ ଜାରି ରଖିଛନ୍ତି।
Tags: #AcidAttack #PramodiniRoul #Serviver #Justice