ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ବର୍ଷ ପରେ ବଡ଼ଦାଣ୍ଡ ଆଜି ଭକ୍ତାରଣ୍ୟ। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର ଧାମ। ଭକ୍ତଙ୍କ ଗହଣରେ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ମହାବାହୁ।ଦୁଇ ବର୍ଷ ପରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ

କରୋନା ପାଇଁ ଗଲା ଦୁଇ ବର୍ଷ ହେଲା ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। କେବେଳ ସୀମିତ ସେବାୟତମାନେ ହିଁ ରଥଯାତ୍ରାରେ ସାମିଲ ହେଉଥିଲେ। କଟକଣା ପାଇଁ ଘର ଭିତରେ ବନ୍ଦୀ ହୋଇଥିଲେ ଭକ୍ତବୃନ୍ଦ। ହେଲେ ଆଜି ସବୁ ଅପେକ୍ଷାର ଅନ୍ତ ଘଟିଲା। ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ଘଟିଲା। ଚକାଆଖି ସହ ଆଖି ମିଶାଇଲା ଭକ୍ତ। ଏତେଦିନ ପରେ ନିଜର ଭାବର ଠାକୁରଙ୍କୁ ପାଖରେ ପାଇ ଭକ୍ତ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳୀ, ହୁଳହୁଳି ସାଙ୍ଗକୁ ହରିବୋଲ ଧ୍ଵନିରେ ଦୁଲୁକିଲା ଶ୍ରୀକ୍ଷେତ୍ର ମାଟି।ନିର୍ଦ୍ଧାରିତ ସମୟରେ ହେଲା ସବୁ କାର୍ଯ୍ୟ

ସକାଳେ ନିର୍ଦ୍ଧାରିତ ସମୟର ଢେର ଆଗରୁ ରଥ ପ୍ରତିଷ୍ଠା ହୋଇଥିଲା। ପରେ ପରେ ଘଣ୍ଟ ଘଣ୍ଟା କାହାଳୀରେ କମ୍ପି ଉଠିଲା ଶ୍ରୀମନ୍ଦିର। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି, ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପରେ ପରେ ମାଆ ସୁଭଦ୍ରା, ଆଉ ଶେଷରେ ହଲିଝୁଲି ଆସିଥିଲେ କାଳିଆ ସାଆନ୍ତ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ତା’ପରେ ଛେରାପହଁରା ନୀତି ସମ୍ପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ତିନି ରଥରେ ସୁନା ଝାଡୁରେ ଛେରାପହଁରା ସହ ବନ୍ଦାପନା କରିଥିଲେ ଗଜପତି।ଏହା ପରେ ଆରମ୍ଭ ହୋଇଥିଲା ଚାରମାଳ ଫିଟା। ଦିନ ପ୍ରାୟ ସାଢ଼େ ୧୨ଟାରେ ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ଭକ୍ତମାନେ। ଏହା ପରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ, ଆଉ ଶେଷରେ ଘର୍ଘରନାଦରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ। ସନ୍ଧ୍ୟା ହେବା ପୂର୍ବରୁ ସବୁ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା।

ରଥରେ ଭଲକି ଦିଶିଲେନି ଠାକୁରେ

ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଶ୍ରୀଜୀଉଙ୍କ ରଥ ଟାଣିବାକୁ ଭକ୍ତମାନେ ସୁଯୋଗ ପାଇଥିଲେ। ପାଖରୁ ମହାବାହୁଙ୍କ ଦର୍ଶନ କରିବେ ବୋଲି କାହିଁ କେତେଆଡୁ ଭକ୍ତମାନେ ଧାଇଁ ଆସିଥିଲେ ଶ୍ରୀକ୍ଷେତ୍ରକୁ। ହେଲେ ସେବାୟତମାନେ ଶ୍ରୀବିଗ୍ରହଙ୍କ ଆଗରେ ଭିଡ଼ କରିବା ଯୋଗୁଁ ଭକ୍ତଙ୍କୁ ଭଲ କରି ଦିଅଁ ଦର୍ଶନ ମିଳିପାରିନି ବୋଲି କେତେକ ଶ୍ରଦ୍ଧାଳୁ କ୍ଷୋଭ ପ୍ରକାଶ କରିଛନ୍ତି।ରଥ ଟାଣିଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ବଡ଼ଦାଣ୍ଡରେ ବଡ଼ଠାକୁରଙ୍କୁ ଦର୍ଶନ କରିବାକୁ ଆଜି ପୁରୀ ଛୁଟି ଆସିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ୍ ମୂରଲୀଧର ମଧ୍ୟ ଆଜି ରଥ ଟାଣିବାକୁ ଶ୍ରୀକ୍ଷେତ୍ର ଆସିଥିଲେ। ସମସ୍ତେ ଏକ୍ତର ହୋଇ ଦଉଡ଼ି ଧରି ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣିଥିଲେ। ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହୋଇଥିବାରୁ ସମସ୍ତେ ବେଶ୍ ଖୁସି ମଧ୍ୟ ଥିଲେ।ଶ୍ରୀକ୍ଷେତ୍ରକୁ ଜଗିଲେ ୮୦ ପ୍ଲାଟୁନ ପୋଲିସ

ଶ୍ରୀଜୀଉଙ୍କ ରଥଯାତ୍ରାକୁ ନିରାପଦ ଏବଂ ଶୃଙ୍ଖଳିତ କରିବା ଲାଗି ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି କରାଯାଇଛି। ଏଥିପାଇଁ ସହରରେ ୮୦ ପ୍ଲାଟୁନ ପୋଲିସ ସହ ୧୮ ଜଣ ଏସ୍‌ପି ରାଙ୍କର ଅଧିକାରୀ, ୩୩ ଜଣ ଅତିରିକ୍ତ ଏସ୍‌ପି, ୭୪ ଜଣ ଡିଏସ୍‌ପି, ୧୩୬ ଇନ୍ସପେକ୍ଟର, ୭୨୧ ଏସ୍‌ଆଇ ଏବଂଏଏସ୍ଆଇ, ୧୦୭ ହାବିଲଦାର, ୬୭୩ କନେଣ୍ଟବଳ ଏବଂ ୨୦୦୮ ଜଣ ହୋମଗାର୍ଡଙ୍କୁ ନିଯୁକ୍ତ କରାଯାଇଥିଲା। ସେହିପରି ଅଗ୍ନିଶମ ଅଧିକାରୀ, ଡାକ୍ତରୀ ଦଳ ଆଦିଙ୍କ ମିଳିତ ସହଯୋଗରେ ଶ୍ରୀଗୁଣ୍ଡିଚା ଯାତ୍ରା ସୁରୁଖୁରୁରେ ହୋଇପାରିଛି।

Tags: #RathaJatra #RathYatra #Puri #LordJagannath #CarFestival #Odisha #RathYatra2022 #ବଡ଼ଦାଣ୍ଡ #ରଥଯାତ୍ରା #ଶ୍ରୀକ୍ଷେତ୍ର #ପୁରୀ

Comment