ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଆଜି ଆଦିବାସୀ ଲୋକନୃତ୍ୟ ଓ ବିଭିନ୍ନ ବାଦ୍ୟରେ କମ୍ପି ଉଠିଥିଲା। ପଞ୍ଜାବୀ ଢୋଲ, ପାଇକ ଆଖଡ଼ା ଓ କୀର୍ତ୍ତନର ଧ୍ୱନି ସମସ୍ତଙ୍କୁ ଆବିଭୂତ କରିଥିଲା। ଏ ଭବ୍ୟ ଆୟୋଜନ ଥିଲା ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ପାଇଁ।

ଶୁକ୍ରବାର ୧୧ଟା ୩୦ରେ ଦ୍ରୋପଦୀ ମୁର୍ମୁ ଭୁବନେଶ୍ୱରରେ ପହଁଚିଥିଲେ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସମୟରେ ବିମାନବନ୍ଦରରେ ଅସମ୍ଭବ ଭିଡ଼ ଜମିଥିଲା। ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ନୂଆ ମନ୍ତ୍ରୀ ଅଶୋକ ପଣ୍ଡା, ଟୁକିନି ସାହୁ, ବିଧାୟକ ଦେବୀ ମିଶ୍ର, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେ ଏବଂ ବିଜେପି ଓ ବିଜେଡିର ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ। ସେହିପରି ବିମାନବନ୍ଦର ପରିସରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଭିଡ଼ ଜମିଥିଲା।

ବିଧାନସଭାରେ ଦ୍ରୌପଦୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ

ଆଜି ବିମାନବନ୍ଦରରୁ ସିଧା ରାଜ୍ୟ ଅତିଥି ଭବନକୁ ଆସିଥିଲେ ଦ୍ରୌପଦୀ ମୁର୍ମୁ। ଏଠାରେ କିଛି ସମୟ ବିଶ୍ରାମ ନେବାପରେ ବିଧାନସଭା ନୂତନ ସମ୍ମିଳନୀ କକ୍ଷକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର ସାଂସଦ ଓ ବିଧାୟକ ତାଙ୍କୁ ପୁଷ୍ପଗୁଛ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ସେମାନଙ୍କ ସହିତ ରାଷ୍ଟ୍ରପତି ନିର୍ବାଚନ ନେଇ ମୁର୍ମୁ ଆଲୋଚନା କରିଥିଲେ। ଏ ସମୟରେ ଭାବବିହ୍ୱଳ ହୋଇପଡ଼ିଥିଲେ ଦ୍ରୌପଦୀ ମୁର୍ମୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହ ରାକ୍ଷୀର ପାଉଣା ମାଗିବା ପୂର୍ବରୁ ସେ ଦେଇ ଦେଲେ ବୋଲି କହିଥିଲେ।

ରାଜ୍ୟ ଅତିଥି ଭବନରେ ନେତା କର୍ମୀଙ୍କ ସହ ଆଲୋଚନା

ବିଧାନସଭାରୁ ଫେରି ପୁଣିଥରେ ରାଜ୍ୟ ରାଜ୍ୟ ଅତିଥି ଭବନକୁ ଆସିଥିଲେ ଦ୍ରୌପଦୀ ମୁର୍ମୁ। ଏଠାରେ ସବୁ ଦଳର ବିଧାୟକ ଏବଂ ସାଂସଦମାନଙ୍କ ସହଯୋଗ ଲୋଡ଼ିଥିଲେ। ଏହି ଅବସରରେ ଓଡ଼ିଶା ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଥିଲେ, ‘‘ଦ୍ରୌପଦୀ ମୁର୍ମୁ ଆମର ରାଷ୍ଟ୍ରପତି ପ୍ରାର୍ଥୀ। ଆମ ଓଡ଼ିଶାର ଝିଅ। ତାଙ୍କୁ ଆଜି ବହୁତ ସୁନ୍ଦର ଭାବେ ଭୁବନେଶ୍ୱରରେ ସ୍ୱାଗତ କରାଯାଇଛି। ବିଜେଡି ମଧ୍ୟ ତାଙ୍କୁ ସମର୍ଥନ କରିଛି। ଆଶା କରୁଛୁ କଂଗ୍ରେସ ମଧ୍ୟ ତାଙ୍କ ପ୍ରତି ସମର୍ଥନ ଜଣାଇବ । ସେ ରାଷ୍ଟ୍ରପତି ହେଲେ ଆମ ଓଡ଼ିଶାର ଯଶ ଆହୁରି ବଢ଼ିବ।’’

ନବୀନ ନିବାସରେ ଏକାଠି ଭୋଜନ କଲେ ନବୀନ ଓ ଦ୍ରୌପଦୀ

ମୁର୍ମୁଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ। ନବୀନ ନିବାସରେ ହୋଇଥିବା ମଧ୍ୟାହ୍ନ ଭୋଜନରେ ଶୁଦ୍ଧ ଶାକାହାରୀ ଓ ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ ଥିଲା ବୋଲି ଜଣାପଡ଼ିଛି। ଏହି ସମୟରେ ନବୀନ ନିବାସରେ ବିଜେଡି ସାଂସଦ ପିନାକୀ ମିଶ୍ର ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉପସ୍ଥିତ ଥିଲେ।

ଆମେ ଓଡ଼ିଆ ଝିଅକୁ ସମର୍ଥନ କରୁଛୁ: ସସ୍ମିତ ପାତ୍ର

‘‘ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଝିଅ, ଓଡ଼ିଆ ଝିଅ। ସେ ଆଗାମୀ ଦିନରେ ଆମ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି। ଦେଶର ସର୍ବୋଚ୍ଚ ପଦବୀ, ରାଷ୍ଟ୍ରପତିଙ୍କ ପଦବୀ ପାଇଁ ସେ ପ୍ରାର୍ଥୀ ହୋଇଛନ୍ତି। ଏହା ପ୍ରତିଟି ଓଡ଼ିଆ ପାଇଁ ଗର୍ବର କଥା। ତେଣୁ ଏଠି ଆମେ ଦଳକୁ ନ ଦେଖି ନୁହେଁ ଓଡ଼ିଆ ଝିଅକୁ ସମର୍ଥନ କରୁଛୁ। ଅନ୍ୟ ଦଳକୁ ବି ଆହ୍ୱାନ କରୁଛୁ ସେମାନେ ବି ମୁର୍ମୁଙ୍କୁ ସମର୍ଥନ କରନ୍ତୁ’’, ଆଜି ଭୁବନେଶ୍ୱରରେ ବିମାନବନ୍ଦରରେ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିବା ଅବସରରେ କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

ମୋ ଓଡ଼ିଶା ପାଇଁ ମୁଁ ଗର୍ବିତ – ଦ୍ରୌପଦୀ ମୁର୍ମୁ

”ମୁଁ ଓଡ଼ିଶା ମାଟିର ଝିଅ ହିସାବରେ ସବୁବେଳେ ଗର୍ବ କରିଆସିଛି। କାରଣ ମୋ ମାଟି ଚଣ୍ଡାଶୋକୁ ଧର୍ମାଶୋକରେ ପରିଣତ କରିଛି। ମୋ ମାଟିର ସାଧବ ପୁଅମାନେ ସାତ ସମୁଦ୍ର ଡେଇଁ ସାରା ପୃଥିବୀରେ ବାଣିଜ୍ୟ କରୁଥିଲେ।  ଏଇ ମାଟିର ପୁଅ କୋଣାର୍କ ମନ୍ଦିର ତିଆରି କରିଛି। ଏଇ ପାଇକ ବିଦ୍ରୋହ କରିଛି ଆଉ ଦେଶ ପାଇଁ, ରାଜ୍ୟ ପାଇଁ ପ୍ରାଣବଳୀ ଦେଇଛି। ମୋ ପ୍ରଭୁ ଶ୍ରୀଜଗନ୍ନାଥ ସାରାଜଗତର ନାଥ। ମୋ ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଏଠିକାର ସଂସ୍କୃତି ବିବିଧତାରେ ପରିପୂର୍ଣ୍ଣ।  ଆମ ଆଦିବାସୀ ଭାଇଭଉଣୀଙ୍କ ସଂସ୍କୃତି ମଧ୍ୟ ନିଆରା। ଏଇ ମାଟିର ଝିଅ ଆଜି ଦେଶର ରାଷ୍ଟ୍ରପତି ପଦ ପାଇଁ ଛିଡ଼ା ହୋଇଛି। ତେଣୁ ମୁଁ ଆପଣଙ୍କ ସ୍ନେହ, ଶ୍ରଦ୍ଧା ଓ ସହଯୋଗ ଲୋଡ଼ୁଛି”, କହିଛନ୍ତି ଦ୍ରୌପଦୀ ମୁର୍ମୁ ।

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ମୁର୍ମୁ ନିର୍ବାଚିତ ହେଲେ ସେ ହେବେ ଦେଶର ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ଏହାସହିତ ସେ ଦେଶର ସର୍ବକନିଷ୍ଠ ରାଷ୍ଟ୍ରପତି ମଧ୍ୟ ହେବେ।

Tags: #DraupadiMurmu #NDA #BJP #BJD #PresidentElection #ଦ୍ରୌପଦୀ ମୁର୍ମୁ

Comment