ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବାହୁଡ଼ାଯାତ୍ରା। ଜନ୍ମବେଦୀରୁ ନଅ ଦିନର ଲୀଳା ଖେଳା ସାରିବା ପରେ ଆଜି ରତ୍ନବେଦୀ ପାଇଁ ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ। ବାହୁଡ଼ା ପାଇଁ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦକ୍ଷିଣ ମୋଡ଼ କରାଯିବା ପରେ ଶରଧାବାଲିରୁ ବଡ଼ଦାଣ୍ଡକୁ ଗଡ଼ିବା ପାଇଁ ତିନି ରଥରେ ଚାରମାଳ ବନ୍ଧା ଶେଷ ହୋଇଛି।

ବାହୁଡ଼ାଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ଶନିବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୫ଟାରେ ଦ୍ବାରପାଳ ପୂଜା ଓ ବେଶ, ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ(ଖେଚୁଡ଼ି ଭୋଗ) ନୀତି ସମ୍ପନ୍ନ ହୋଇଛି।

ସେନାପଟା ଲାଗି ପାଇଁ ଦଇତାପତି ସେବକମାନେ ଆଡ଼ପ ମଣ୍ଡପରେ ପ୍ରବେଶ କରିଛନ୍ତି। ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଶେଷ ପରେ ରଥ ଉପରେ ଅପରାହ୍ଣ ୧ଟାରୁ ସାଢ଼େ ୨ଟା ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଶେଷ ହେବ। ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ। ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ।
Tags: #RathYatra #LordJagannath #Puri #RathYatra2022 #BahudaYatra #ବାହୁଡ଼ାଯାତ୍ରା #ମହାପ୍ରଭୁଜଗନ୍ନାଥ #ରଥଯାତ୍ରା #ପୁରୀ

Comment