ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବେଶ୍ କିଛିଦିନ ହେବ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି। ଖୋଦ୍ ଶାସକ ଦଳରେ ଥାଇ ମଧ୍ୟ ସୌମ୍ୟଙ୍କର ଏହି ରୂପ କ’ଣ ଆଭାସ ଦେଉଛି ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା।

ବିଜୁ ଜନତା ଦଳରେ ଯୋଗଦେବା ପୂର୍ବରୁ ପାଖାପାଖି ଦୁଇ ଦଶନ୍ଧି ଧରି ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେପି ଏବଂ କଂଗ୍ରେସ ଦଳରେ ଥିଲେ। ସେ ସମୟରେ ମଧ୍ୟ ସେ ଶାସନରେ ଥିବା ବିଜେଡି ସରକାରକୁ ବାରମ୍ବାର ଘେରୁଥିବାର ଦେଖିବାକୁ ମିଳିଛି। ପରେ ନିଜସ୍ଵ ଦଳ ଗଠନ ପରେ ମଧ୍ୟ ସରକାରଙ୍କ ପ୍ରତି ତାଙ୍କର ସମାନ ବ୍ୟବହାର ରହିଥିଲା। ହେଲେ ୨୦୧୮ରେ ସୌମ୍ୟ ଶଙ୍ଖ ଧରିବା ପରେ ନିରବ ହୋଇଯାଇଥିଲେ। ହେଲେ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ସେ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି। କେତେବେଳେ ନିଜସ୍ଵ ଖବରକାଗଜରେ ସମ୍ପାଦକୀୟ ମାଧ୍ୟମରେ ହେଉ ଅବା ସଭା ସମିତିରେ ମନ୍ତବ୍ୟ ଦେଇ ସେ ସରକାରୀ ବ୍ୟବସ୍ଥାକୁ ସମାଲୋଚନା କରୁଛନ୍ତି।   ‘ମିଛୁଆ ବିଧାୟକ ହୋଇ ରହିବାକୁ ଚାହୁଁନି’

ଚଳିତ ବିଧାନସଭାର ମୌସୁମୀ ଅଧିବେଶନ ବେଳେ ଗଣମାଧ୍ୟମକୁ ଏକ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଥିଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଥିଲେ ଯେ, ରାଜ୍ୟରେ ସରକାରୀ ଅଫିସରମାନଙ୍କର ଅହଂକାର ବଢ଼ିଯାଇଛି। ଭୁଲ ଏବଂ ଭିନ୍ନ ତଥ୍ୟ ଦେଇ ବିଧାନସଭାରେ ବିଧାୟକମାନଙ୍କୁ ମିଛୁଆ ଦର୍ଶାଯାଉଛି। ହେଲେ ମିଛୁଆ ବିଧାୟକ ହୋଇ ମୁଁ ବିଧାନସଭାରେ ରହିବାକୁ ଚାହେଁନା। ଏହା ଗଣତନ୍ତ୍ର ପାଇଁ ବିପଦ। ଏଭଳି କହି ସରକାରୀ ବ୍ୟବସ୍ଥାକୁ ଏକ ତୀର୍ଯ୍ୟକ ବାଣ ମାରିଥିଲେ ସୌମ୍ୟ।

ମୋ ସରକାରକୁ ସୌମ୍ୟଙ୍କ ସମାଲୋଚନା

ମୋ ସରକାର ଏବଂ ଫାଇଭ୍-ଟି ଅଧୀନରେ ଏବେ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ହେଲ ସୌମ୍ୟବାବୁ ଏହି ମୋ ସରକାରକୁ ଏକ ହାଲୁକା ବାଣ ମାରିଛନ୍ତି। ବିଧାନସଭାର ଗତ ଶୀତ ମୋ ସରକାରକୁ ନେଇ ମତ ରଖିଥିଲେ ସୌମ୍ୟ। ସେ କହିଥିଲେ ଯେ, ସବୁ କଥାରେ ମୋ ଶବ୍ଦ ବ୍ୟବହାର କରିବା ପ୍ରବଣତା ଆମର ଟିକେ ଅଧିକ ହୋଇଯାଉଥିବା ଭଳି ମୋର ମନେ ହେଉଛି। କାରଣ ଯେଉଁ କଥାରେ ଆମେ ‘ମୋ’ ଲଗାଉଛୁ। ସେଥିରେ ଆମେ ନିଜକୁ ସଂପୃକ୍ତ କରୁଛୁ। କିନ୍ତୁ ସେହି ଅନୁପାତରେ ତାହା ବିକଶିତ ହେଉଛି କି ନାହିଁ ତାହାର ଉତ୍ତର ଆମ ପାଖରେ ନାହିଁ। ତେଣୁ ମୋ ଶବ୍ଦ ଲାଗିଥିବା କଥାଟି କେବଳ ଶୁଣିବାକୁ ଭଲ ଲାଗୁଛି।ସରକାରଙ୍କୁ ସୌମ୍ୟଙ୍କ ସମ୍ପାଦକୀୟ ବାଣ

ରାଜ୍ୟରେ କୋଭିଡ୍, ନିଯୁକ୍ତି, ସ୍ଵାସ୍ଥ୍ୟସେବା ଆଦି ପ୍ରସଙ୍ଗକୁ ନେଇ ନିଜସ୍ଵ ସମ୍ପାଦିତ ଖବରକାଗଜ ‘ସମ୍ଵାଦ’ର ପ୍ରଥମ ପୃଷ୍ଠାରେ ବିଭିନ୍ନ ସମୟରେ ସମ୍ପାଦକୀୟ ଲେଖି ସରକାରଙ୍କୁ ସମାଲୋଚନା କରିଛନ୍ତି ସୌମ୍ୟ। ଗୋଟିଏ ପଟେ କୋଭିଡ୍ ମହାମାରୀର ସଫଳ ମୁକାବିଲା ଲାଗି ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇଥିବା ବେଳେ ସୌମ୍ୟଙ୍କ ସ୍ତମ୍ଭ ‘ଆମ ଘରର ହାଲ୍‌ଚାଲ୍‌’ରେ ଚିତ୍ର ଥିଲା ଭିନ୍ନ। କୋଭିଡ୍ ମୃତ୍ୟୁକୁ ନେଇ ସରକାର ସଠିକ୍ ତଥ୍ୟ ଦେଉନାହାନ୍ତି ବୋଲି ବିରୋଧୀମାନେ ଯେଉଁ ଅଭିଯୋଗ କରୁଥିଲେ ତାହାକୁ ପରୋକ୍ଷରେ ସମର୍ଥନ କରିଥିଲେ ସୌମ୍ୟ। ଶ୍ରେଣୀରେ ପ୍ରଥମ ହେଲା ପରେ ବି ସରକାର କପି କରୁଛନ୍ତି କି ବୋଲି ସୌମ୍ୟ ପ୍ରଶ୍ନ କରିଥିଲେ।

ସେହିପରି ଶିକ୍ଷା, ସ୍ଵାସ୍ଥ୍ୟ, ନିଯୁକ୍ତି ଆଦି ପ୍ରସଙ୍ଗରେ ନିଜ ସ୍ତମ୍ଭରେ ସୌମ୍ୟ ଲେଖିଥିଲେ ଯେ, ପ୍ରଶିକ୍ଷିତ ଶିକ୍ଷକମାନଙ୍କ ସଂଖ୍ୟା ନ ବଢ଼ାଇ କେବଳ କୋଠାବାଡ଼ିକୁ ଚକ୍‌ଚକ୍ କରିଦେଲେ ବା ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ସମୃଦ୍ଧ ନ କରି ସ୍ମାର୍ଟକାର୍ଡ ବାଣ୍ଟିଦେଲେ ଓଡ଼ିଆ ଯୁବକଙ୍କ ପାଇଁ ଦେଖାଯାଇଥିବା ସ୍ଵପ୍ନ ସାକାର ହୋଇପାରିବ ନାହିଁ। ଏହିଭଳି ଭାବେ ନିଜ ସମ୍ପାଦକୀୟ ମାଧ୍ୟମରେ ସରକାରଙ୍କୁ ବାଣ ମାରିଥିଲେ ସୌମ୍ୟ।ନବୀନ ବାବୁଙ୍କର ଦୁଇଟି ଆଖି

ବିଜୁ ଜନତା ଦଳରେ ଥାଇ ମଧ୍ୟ ସୌମ୍ୟ ବାବୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ନେଇ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଗତବର୍ଷ କଟକରେ ଅନୁଷ୍ଠିତ ପ୍ରଜାତନ୍ତ୍ରର ବିଷୁବ ମିଳନ ଉତ୍ସବରେ ଯୋଗଦେଇ ସୌମ୍ୟ କହିଥିଲେ, ବିଜୁ ଜନତା ଦଳ ଏବଂ ସରକାରୀ କଳର ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ କୌଣସି ସଠିକ୍ ତଥ୍ୟ ରହୁନାହିଁ। ଏସବୁ ବ୍ୟବସ୍ଥା ବିଷୟରେ ନବୀନ ବାବୁ ସିଧାସଳଖ କିଛି ଜାଣୁ ନାହାନ୍ତି। ତାଙ୍କର ଦୁଇଟି ଆଖି ଗୋଟିଏ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଏବଂ ଅନ୍ୟଟି ହେଲେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ। ଏହି ଦୁଇଜଣଙ୍କ ଆଖିରେ ନବୀନ ବାବୁ ସବୁ ଦେଖନ୍ତି। ତେଣୁ ଏହି ଦୁଇ ଆଖି ତାଙ୍କୁ ଯାହା ଦେଖାନ୍ତି ତାହାହିଁ ସେ ଦେଖନ୍ତି ଓ ଜାଣନ୍ତି। ତେଣୁ ଗଣମାଧ୍ୟମ ତୃତୀୟ ନୟନ ଭାବେ ଉଭା ହେବା ଆବଶ୍ୟକ ବୋଲି ସେ କହିଥିଲେ।

ବିଜେଡିରେ ହତାଶ ହୋଇପଡ଼ିଛନ୍ତି ସୌମ୍ୟ!

୨୦୧୯ ବିଧାନସଭା ନିର୍ବାଚନରେ ନୟାଗଡ଼ର ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ଜଣେ ଅଭିଜ୍ଞ ନେତା ଭାବେ ସୌମ୍ୟଙ୍କୁ ଯେ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀପଦ ମିଳିବ ଏହା କୁହାଯାଉଥିଲା। ହେଲେ ନିକଟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଥିଲେ ହେଁ ସୌମ୍ୟଙ୍କ ହାତ ଖାଲି ପଡ଼ିଛି। ଏହି କାରଣରୁ ସେ ଦଳରେ ହତାଶ ହୋଇ ପଡ଼ିଛନ୍ତି ବୋଲି ସୌମ୍ୟଙ୍କ ବିରୋଧୀମାନେ ଚର୍ଚ୍ଚା କହୁଛନ୍ତି।

ବିଜେପି ଆଡ଼କୁ ଢଳୁଛନ୍ତି କି ସୌମ୍ୟ?

ଗୋଟିଏ ପଟେ ଖୋଦ୍ ଶାସକ ଦଳରେ ଥାଇ ସୌମ୍ୟରଞ୍ଜନ ପଟ୍ଟନାୟକ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଆସୁଛନ୍ତି। ବିଭିନ୍ନ ସଭା ସମିତି ଓ ସମ୍ପାଦକୀୟ ଆଦିରେ ସେ ସରକାରୀ ଶାସନ କଳକୁ ତୀର୍ଯ୍ୟକ ବାଣ ମାରୁଥିବା ଦେଖିବାକୁ ମିଳୁଛି। ହେଲେ ନିକଟରେ ତାଙ୍କୁ ବରୋଧୀ ବିଜେପି ଶିବିରରେ ଦେଖି ସମସ୍ତେ ଚକିତ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏବଂ ବିଜେପିର ଯାତ୍ରା ଉପରେ ଲିଖିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସୌମ୍ୟରଞ୍ଜନ। ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖିବା ଅବସରରେ ସେ ଅମିତ ଶାହଙ୍କୁ ଭୁରି ଭୁରି ପ୍ରଶଂସା ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ସୌମ୍ୟବାବୁ ଯେ, ବିଜେପି ଆଡ଼କୁ ଢଳୁଛନ୍ତି ବୋଲି ଏବେ ରାଜନୀତି କରିଡରରେ ଚର୍ଚ୍ଚା ହେଲାଣି।

Tags: #ବିଜେଡି #ସୌମ୍ୟରଞ୍ଜନପଟ୍ଟନାୟକ #ବିଜେପି #BJD #SoumyaranjanPatnaik #KhandapadaMLA #OdishaPolitics

Comment