ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଶନିବାର ଦିନ ପାଇଁ ରାଜ୍ୟର ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ବର୍ତ୍ତମାନ ରାଜ୍ୟରେ ବର୍ଷା ଜାରି ରହିବା ସହ ମହାନଦୀ, ବୈତରଣୀ ଏବଂ ଜଳକା ନଦୀ ଫୁଲିବାକୁ ଲାଗିଛି। ହୀରାକୁଦରେ ଜଳସ୍ତର ବଢ଼ୁଥିବାରୁ ପୂର୍ବରୁ ୨୮ଟି ଗେଟ ଖୋଲିଥିବାବେଳେ ପୁଣି ଆଉ ୨ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ ୩୦ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି। ସେକେଣ୍ଡ ପିଛା ହୀରାକୁଦକୁ ୪ ଲକ୍ଷ ୬୪ ହଜାର କ୍ୟୁସେକ ପାଣି ପ୍ରବେଶ କରୁଛି।

ପ୍ରବଳ ବର୍ଷା ଏବଂ ହୀରାକୁଦର ଗୋଟିଏ ପରେ ଗୋଟିଏ ଗେଟ ଖୋଲାଯାଉଥିବାରୁ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ବନ୍ୟା ଆଶଙ୍କା ପ୍ରକାଶ ପାଇଛି। ସାମ୍ଭାବ୍ୟ ସ୍ଥିତିକୁ ଏଡ଼ାଇବା ଲାଗି ୮ଟି ଜିଲ୍ଲା ପାଇଁ ୬ ଜଣ ଯନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପୁରୀ ଜିଲ୍ଲା ପାଇଁ ଇଞ୍ଜିନିୟର ଚିନ୍ମମୟ ରଞ୍ଜନ ରାଉତଙ୍କୁ ନିଯୁକ୍ତ କରାଯାଇଥିବାବେଳେ ଜଗତସିଂହପୁର ଜିଲ୍ଲା ଦାୟିତ୍ଵ ମିଳିଛି ଇଞ୍ଜିନିୟର ବିଜୟ କୁମାର ସାମଲଙ୍କୁ। ସେହିପରି କଟକ ଜିଲ୍ଲା ପାଇଁ ଇଞ୍ଜିନିୟର ବାଲେଶ୍ଵର ନାଥ ସାହୁଙ୍କୁ ନିଯୁକ୍ତି କରାଯାଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଇଞ୍ଜିନିୟର ପୂର୍ଣ୍ଣଚନ୍ଦ୍ର ରଥଙ୍କୁ ଦାୟିତ୍ଵ ଦିଆଯାଇଛି। ଏହା ସହିତ ଯାଜପୁର ଏବଂ ଭଦ୍ରକ ଜିଲ୍ଲା ପାଇଁ ଇଞ୍ଜିନିୟର ଧନେଶ୍ଵର ସାମଲଙ୍କୁ ଏବଂ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ପାଇଁ ଇଞ୍ଜିନିୟର ବିଘ୍ନରାଜ ପୁରୋହିତଙ୍କୁ ଦାୟିତ୍ଵ ମିଳିଛି।

ଅନ୍ୟ ପକ୍ଷରେ ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଅଞ୍ଚଳଗୁଡ଼ିକରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଉଛି। ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରପଡ଼ା, ଯାଜପୁର, ଭଦ୍ରକ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାକୁ ପବଳ ବର୍ଷା ଏବଂ ବନ୍ୟା ନେଇ ସତର୍କ କରାଯାଇଛି। ଅତ୍ୟାବଶ୍ୟକ କାମ ନଥିଲେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ଜଳସମ୍ପଦ ବିଭାଗ।

Tags: #Odisha #Mahanadi #FloodSituation #HirakudGate #Warning

Comment